କନକ ବ୍ୟୁରୋ : ଆସାମର ପ୍ରଖ୍ୟାତ କଣ୍ଠଶିଳ୍ପୀ ଜୁବିନ ଗର୍ଗ ମୃତ୍ୟୁ ମାମଲା ଆଉଜଣେ ଗିରଫ । ସିଙ୍ଗାପୁରରେ ଜୁବିନ ଗର୍ଗ ପହଁରୁଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏହି ମୃତ୍ୟୁ ନେଇ ସମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ତଥା ଉତ୍ତେଜକ ଭିଡିଓ ପୋଷ୍ଟ କରିଥିବା ୨୭ ବର୍ଷୀୟ ମହମ୍ମଦ ଇଞ୍ଜାମୁଲଙ୍କୁ ଗିରଫ କରାଯାଇଛି । ପୁଲିସ ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ତେବେ ଜୁବିନ ଗର୍ଗଙ୍କ ମୃତ୍ୟୁ ନେଇ ସିଙ୍ଗାପୁର ପୁଲିସ ଫୋର୍ସ କୌଣସି ସନ୍ଦେହ କରୁନଥିବା ବେଳେ ଆସାମ ପୁଲିସ ତଦନ୍ତ ଜାରି ରଖିଛି ।

Advertisment

ପୂର୍ବରୁ ଆସାମ ପୁଲିସର ସ୍ୱତନ୍ତ୍ର ଟିମ୍ ଜୁବିନଙ୍କ ସହଯୋଗୀ କଣ୍ଠଶିଳ୍ପୀ ଶେଖର ଜ୍ୟୋତି ଗୋସ୍ବାମୀ ଓ ଅମୃତପ୍ରଭା ମହାନ୍ତଙ୍କୁ ଗିରଫ କରିଥିଲା । ସିଙ୍ଗାପୁରରେ ଜୁବିନ ଗର୍ଗଙ୍କ ପାଖେ ପାଖେ ଗୋସ୍ବାମୀ ପହଁରୁଥିଲେ ଓ ମହାନ୍ତ ତାଙ୍କ ସେଲ୍ ଫୋନରେ ଏହା ରେକର୍ଡିଂ କରୁଥିଲେ । ଗୋସ୍ବାମୀ ଓ ମହାନ୍ତଙ୍କୁ ୬ ଦିନ ପଚରା ଉଚରା ପରେ ଏସଆଇଟି ଗିରଫ କରିଥିଲା । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ସିଆଇଡି ହେପାଜତକୁ ପଠାଇ ଥିଲେ । ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ଉତ୍ତର-ପୂର୍ବ ଭାରତ ଉତ୍ସବର ପରିଚାଳକ ଶ୍ୟାମକାନୁ ମହାନ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସିଙ୍ଗାପୁରରୁ ଆଉ କିଛି ତଥ୍ୟ ହାସଲ କରୁଛି ପୁଲିସ । ସେପ୍ଟେମ୍ୱର ୧୯ ତାରିଖରେ ଜୁବିନ ଗର୍ଗ ସିଙ୍ଗାପୁରରେ ପହଁରିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଏବଂ ଆସାମ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରିବା ସହ ବର୍ତ୍ତମାନ ଆଉ ଜମଙ୍କୁ ଗିରଫ କରିଛି ।