କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା କଥା । ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ପଚାରିଲେ ପ୍ରଶ୍ନ, ଉତ୍ତର ରଖି କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ଗୋଟି ଗୋଟି କରି ବୁଝାଇଦେଲେ । ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ? ବିଧାନସଭାରେ ଲିଖିତ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଓଡ଼ିଆ ଅଭିଧାନରେ ଦିଆଯାଇଥିବା ଅର୍ଥକୁ ଉଲ୍ଲେଖ କରି, ଅସ୍ମିତା ଶବ୍ଦର ବ୍ୟାଖା କଲେ ଓଡ଼ିଆ ଭାଷା, ସାହିତ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ବିଧାନସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢ଼ିଥିଲା ଏବଂ ୨୪ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିଥିଲା ।  ସେହି ପ୍ରସଙ୍ଗକୁ ନେଇ ରୋଚକ ହୋଇଛି ବିଧାନସଭା ପ୍ରଶ୍ନ ଉତ୍ତର । ତେବେ ସବୁଠୁ ବଡ଼ କଥା ହେଉଛି ଓଡ଼ିଆ ଅଭିଧାନକୁ ଉଦ୍ଧାର କରି ଅସ୍ମିତା ଶବ୍ଦକୁ ବ୍ୟାଖା କରିଛନ୍ତି ସୂରଜ ସୂର୍ଯ୍ୟବଂଶୀ। 

Advertisment

ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଓଡ଼ିଆ ଅସ୍ମିତାର ଅର୍ଥ ମୁଁ ପଣ ଏବଂ ଅହଂଜ୍ଞାନ, ଏପରିକି ମୁଁ ଭାବ, ମୁଁ ଅଛି ଏବଂ ଆତ୍ମ ପରିଚିତି ବୋଲି କହି ପୂର୍ବ ସରକାରର ଗୋହି ଖୋଳିଛନ୍ତି । ଅର୍ଥାତ୍‌ ସଂସ୍କୃତିମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ଅହଙ୍କାର ଯୋଗୁଁ ବିଜେଡି ଗଲା । ଏହା ମଧ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ  ବିଜେଡି  ଯାଇଛି । ତେବେ ଆମେ ଓଡ଼ିଆ  ଅସ୍ମିତାକୁ  ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଅସ୍ମିତା ଆଧାରରେ ସରକାର ଗଠନ ହୋଇଛି । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି  ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ତେଣୁ ଓଡ଼ିଆ ଅସ୍ମିତାକୁ  କେବେ ବି ରାଜନୈତିକ ଅସ୍ତ୍ର ଭାବେ ଦେଖିବା ଉଚିତ୍‌ ନୁହେଁ । ଆମ  ଅସ୍ତିତ୍ବର ଭାବରୁ ପ୍ରଦର୍ଶିତ କରିବା ହେଉଛି ଅସ୍ମିତା । ଏପରି ଓଡ଼ିଆ ଅସ୍ମିତାର ଅର୍ଥକୁ ସରଳ ଭାବେ ବୁଝାଇଛନ୍ତି  ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ।