କନକ ବ୍ୟୁରୋ : ଆପଣ ଦେଶ ବିଦେଶର ଅନେକ ଓକିଲଙ୍କ ଜାଣିଥିବେ । ନ୍ୟାୟପାଳିକା ବ୍ୟବସ୍ଥାରେ ଓକିଲ ଯେ ବିଚାରପତିଙ୍କ ତଳେ ଏକଥା ସମସ୍ତଙ୍କୁ ଜଣା । ହେଲେ ଆପଣ କ'ଣ ଜାଣିଛନ୍ତି କି, ଜଣେ ଓକିଲ ନିଜର ନିସ୍ୱାର୍ଥପରତା, ଦୃଢମନୋବଳ ଓ ଦେଶହିତ ଉର୍ଦ୍ଦେଶ୍ୟରେ ଅନେକ ଚେଷ୍ଟା କରିବା ପରେ ଜଣେ ନୁହେଁ କି ୨ ଜଣ ନୁହେଁ ୫ ଜଣ ବିଚାରପତିଙ୍କ ଠାରୁ ଗାଦି ଛଡାଇ ନେଇଥିଲେ । ସେମାନଙ୍କ ଭିତରୁ କିଛି ବିଚାରପତି ଛଟେଇ ହୋଇଥିଲେ ତ କିଛି ବିଚାରପତିଙ୍କ ନିଜ ପଦରୁ ଇସ୍ଥଫା ଦେବାକୁ ପଡିଥିଲା । ଏବେ ଆସନ୍ତୁ ଜାଣିବା ଏହି ଦେଶପ୍ରେମୀ ଓକିଲଙ୍କ ବାବଦରେ
ଇକଲାବ ଏମ୍ ଛାଗଲା । ଜାନୁଆରୀ ମାସ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଛାଗଲାଙ୍କ ମୃତ୍ୟୁ ପରେ ଦେଶ ଜଣେ ନିର୍ଭିକ ଓକିଲଙ୍କୁ ହରାଇଛି । ସେ ନିଜର ଓକିଲାତି ପେଶାକୁ ଏତେ ନିର୍ଭିକ ଓ ନ୍ୟାୟବନ୍ତ କରିଦେଇଥିଲେ କି, ଖୁବ କମ୍ ସମୟ ମଧ୍ୟରେ ବମ୍ବେ ବାର ଆସୋସିଏସନର ଅଧ୍ୟକ୍ଷ ହୋଇପାରିଥିଲେ । ୧୯୯୦ ଦଶକରେ ସେ ଭାରତୀୟ ନ୍ୟାୟପାଳିକାରେ ଚାଲିଥିବା ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲେ । ଏହାରି ଭିତରେ ସେ ଭାରତୀୟ ବାର ଆସୋସିଏସନର ସଦସ୍ୟ ଓ ଦିଲ୍ଲୀ ସ୍ଥିତ ନ୍ୟାସନାଲ ଲିଗାଲ ସଭିସେସ୍ ଅଥରେଟିର ସଦସ୍ୟ ଭାବେ ମଧ୍ୟ ଚୟନ ହୋଇଥିଲେ ।
ଏସବୁ ଥିଲା ତାଙ୍କ ଓକିଲାତି ସମୟର ମିଳିଥିôବା ବିଭିନ୍ନ ପଦପଦବୀ କଥା । ହେଲେ ସବୁଠାରୁ ବଡ଼ କଥା ହେଉଛି ୧୯୯୦ ମସିହାରେ ସେ ଯେତେବେଳେ ବମ୍ବେ ବାର ଆସୋସିଏସନର ଅଧ୍ୟକ୍ଷ ଥିଲେ ସେତେବେଳେ ସେ ବମ୍ବେ ହାଇକୋର୍ଟର ୫ ଜଣ ବିଚାରପତିଙ୍କ ସଚ୍ଚୋଟତା ନେଇ ପ୍ରଶ୍ନ ଉଠାଇଥିଲେ । ସେ ଉକ୍ତ ୫ ଜଣ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ । ସେହି ୫ ଜଣ ବିଚାରପତିଙ୍କ ବିରୋଧରେ ଛାଗଲା ଏତେ ମଜବୁତ ନଥି ସାମ୍ନାକୁ ଆଣିଥିଲେ ଯେ ବାଧ୍ୟ ହୋଇ ସେହି ୫ ଜଣ ବିଚାରପତିଙ୍କ ମଧ୍ୟରୁ କିଛି ବିଚାରପତି ଇସ୍ତଫା ଦେଇଥିଲେ ଓ କିଛି ବିଚାରପତିଙ୍କୁ ବଦଳି କରାଯାଇଥିଲା । ଏହାପରେ ପୁଣି ୧୯୯୫ ମସିହାରେ ସେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିଥିଲେ । ଏଥର ବି ତାଙ୍କ ପ୍ରସ୍ତାବ ଆଗରେ କୋର୍ଟ ହାର ମାନିଥିଲେ ଓ ବମ୍ବେ ହାଇକୋର୍ଟର ତତକାଳୀନ ମୁଖ୍ୟ ବିଚାରପତିଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।
ବମ୍ବେ ବାର ଆସୋସିଏସନର ପ୍ରମୁଖ ଆଇନ ବିଶେଷଜ୍ଞ ମଧ୍ୟରୁ ଛାଗଲା ଅନ୍ୟତମ ଥିଲେ । ବିଶେଷ କରି ସାଧାରଣ ମାମଲା ଓ କମ୍ପାନୀ ମାମଲା ଲଢିବାକୁ ତାଙ୍କୁ ଅନେକ ପ୍ରସ୍ତାବ ମିଳୁଥିଲା । ଏହାସହ ସେ ଅନ୍ତର୍ଜାତୀୟ ମଧ୍ୟସ୍ଥତାରେ ମଧ୍ୟ ଭାଗ ନେଇ ବିଦେଶ ନ୍ୟାୟାଳୟରେ ଚାଲିଥିବା କିଛି ମାମଲା ଉପରେ ଭାରତ ସରକାରଙ୍କୁ ପରାମର୍ଶ ଦେଇଥିଲେ ।
ଏବେ ପ୍ରଶ୍ନ ଉଠୁଛି ଓକିଲର ସଜ୍ଞା ହେଉଛି ସେ ତା'ର କ୍ଲାଏଣ୍ଟକୁ ନ୍ୟାୟ ପ୍ରଦାନ କରିବା, କ୍ଲାଏଣ୍ଟ ନ୍ୟାୟରେ ଥାଉ କି ଅନ୍ୟାୟରେ । ହେଲେ ଛାଗଲାଙ୍କ ଭଳି ଦେଶରେ ହାତ ଗଣତି କେତେଜଣ ଓକିଲ ରହିଛନ୍ତି, ଯେଉଁମାନେ ପୁରା ନ୍ୟାୟପାଳିକା ଉପରେ ପ୍ରଶ୍ନ ଉଠାଇବା ଓ ସତସାହାସର ସହ ବିଚାରପତିଙ୍କ ବିରୋଧରେ ପ୍ରସ୍ତାବ ଆଣିବା ।