Apasmara Photograph: (KanakNews)
କନକ ବ୍ୟୁରୋ : ସନାତନ ଧର୍ମରେ ମହାଦେବଙ୍କୁ ସଂହାରକର୍ତ୍ତା ବୋଲି କୁହାଯାଏ । କିନ୍ତୁ ପ୍ରଭୁ ଶିବଙ୍କ ଅନ୍ୟନାମ ଭୋଳାଶଙ୍କର ମଧ୍ୟ , ଉଗ୍ର ଏବଂ ନମ୍ର ଉଭୟର ମିଳିତ ସନ୍ତୁଳନ । ପୁରାଣରେ ଶିବଶମ୍ଭୁଙ୍କ ଅନେକ ଲୀଳା , ଅନେକ ଅବତାର କଥା କୁହାଯାଇଛି । ଯେଉଁଥିରେ ନଟରାଜ ରୂପ ଅନ୍ୟତମ । ପ୍ରଭୁ ଶିବଙ୍କର ଆନନ୍ଦମୟ ତାଣ୍ଡବର ମୁଦ୍ରାକୁ ନଟରାଜ ବେଶ ବୋଲି କୁହାଯାଏ । ନାଟ୍ୟଶାସ୍ତ୍ରର ରଚୟିତା ଭଗବାନ ଗଙ୍ଗାଧରଙ୍କ ଏହି ମୂର୍ତ୍ତିକୁ ଶାସ୍ତ୍ରୀୟ ନାଟ୍ୟ ଆରମ୍ଭ ପୂର୍ବରୁ ନର୍ତ୍ତକ,ନର୍ତ୍ତକୀମାନେ ମୁଣ୍ଡିଆ ମାରି ନୃତ୍ୟ ପରିବେଷଣ କରିଥା’ନ୍ତି । ବିଶିଷ୍ଟ ପଣ୍ଡିତ କୁହନ୍ତି ନୀଳକଣ୍ଠଙ୍କ ଏହି ରୂପ ଉଭୟ ନିର୍ମାଣ ଓ ବିନାଶର ପ୍ରତିକ । ତେବେ ଯଦି ଆପଣ ନଟରାଜ ମୂର୍ତ୍ତି ଦେଖିଥିବେ ତା’ହେଲେ ପ୍ରଭୁଙ୍କ ପାଦ ତଳେ ଜଣେ ଶୋଇଥିବାର ଦେଖିଥିବେ । ଯାହାଙ୍କ ଉପରେ ପାଦ ରଖି ନଟରାଜେଶ୍ବର ନୃତ୍ୟ କରୁଥିବାର ନଜର ଆସନ୍ତି । ତେବେ ଶିବଶମ୍ଭୁଙ୍କ ପାଦ ତଳେ ଥିବା ଏହି ଜୀବଜଣଙ୍କ କିଏ ଆସନ୍ତୁ ଜାଣିବା ।
ଧର୍ମ ଗ୍ରନ୍ଥ ଅନୁସାରେ ଶିବଙ୍କ ରୌଦ୍ର ତାଣ୍ଡବକୁ ରୁଦ୍ର ଏବଂ ଆନନ୍ଦ ତାଣ୍ଡବକୁ ନଟରାଜ ବୋଲି କୁହାଯାଏ । ଗୋଟିଏ ସୃଷ୍ଟିର ବିନାଶ ଏବଂ ଆଉ ଗୋଟିଏରେ ସୃଷ୍ଟିର ସୃଜନ । ଅଗ୍ନି ଚକ୍ରରେ ଘେରି ହୋଇ ରହିଥିବା ପ୍ରଭୁ ଶ୍ରୀ ନଟରାଜଙ୍କ ୪ ଟି ଭୂଜ , ଡାହାଣ ହସ୍ତରେ ଡମ୍ବରୁ ଯାହାର ଧ୍ବନି ସୃଜନର ପ୍ରତିକ । ବାମହସ୍ତରେ ନିଆଁ ଯାହା ବିନାଶର ପ୍ରତିକ । ଦ୍ବିତୀୟ ଡାହାଣ ହସ୍ତରେ ଅଭୟ ମୁଦ୍ରା ଯାହା ନକରାତ୍ମକ ପ୍ରଭାବରୁ ଦୂରେଇ ରହିବା ପାଇଁ ଶିକ୍ଷା ଦେଇଥାଏ । ପ୍ରଭୁଙ୍କ ଗୋଟିଏ ଗୋଡ଼ ଉପରକୁ ଉଠିରହିଛି ଯାହା ମୋକ୍ଷର ପ୍ରତିକ । ଏହାର ଅର୍ଥ ଭଗବାନ ଶିବଙ୍କ ଚରଣରେ ହିଁ ମୋକ୍ଷ ପ୍ରାପ୍ତ । ନଟରାଜଙ୍କ ଚାରିପାଖରେ ଥିବା ଅଗ୍ନିଚକ୍ର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ସୂଚାଏ । ପ୍ରଭୁଙ୍କ ଶରୀରରେ ଥିବା ସାପ କୁଣ୍ଡଳିନୀ ଶକ୍ତିର ପ୍ରତିକ ଥିବା ବେଳେ ପାଦ ତଳେ ଦବିଥିବା ଜୀବ ହେଉଛି ଜଣେ ଦାନବ । ଏହି ଦାନବ ଅଜ୍ଞନତାକୁ ଦର୍ଶାଏ । ପ୍ରଭୁ ନଟରାଜଙ୍କ ଏହି ମୂର୍ତ୍ତି ସୂଚାଏ ଯେ ଭଗବାନ ଶିବ ଅଜ୍ଞନତାରୂପୀ ଦାନବକୁ ପାଦରେ ଦଳି ମୋକ୍ଷ ପ୍ରଦାନ କରନ୍ତି ।
ଅଧିକ ପଢ଼ନ୍ତୁ : ଶ୍ରୀହରିଙ୍କ କଥା କହେ ନୀଳଚକ୍ର; ପୁରାଣରେ ରହିଛି ଏକ ସୁନ୍ଦର କାହାଣୀ
ନଟରାଜଙ୍କ ପାଦ ତଳେ ଦବି ହୋଇ ରହିଥିବା ଦାନବର ନାଁ ‘ଅପସ୍ମାର’ ଯାହାର ଅନ୍ୟ ନାଁ ମୂୟାଲକ । ଶାସ୍ତ୍ରରେ ଅପସ୍ମାରକୁ ଜଣେ ବାମନ ଦାନବ ବୋଲି କୁହାଯାଇଛି ଯିଏ ଅଜ୍ଞନତାର ପ୍ରତିକ । ଏହାକୁ ଏକ ରୋଗ ବୋଲି ମଧ୍ୟ କୁହାଯାଏ । ଯୋଗଶାସ୍ତ୍ରରେ ‘ନଟରାଜାସନ’ ନାମକ ଏକ ଯୋଗ ରହିଛି ଯାହାକୁ ପ୍ରତିଦିନ ଅଭ୍ୟାସ କଲେ ଅପସ୍ମାର ରୋଗରୁ ଉପସମ ମିଳିବା କଥା କୁହାଯାଏ । ଏକ କଥା ଅନୁସାରେ ଅପସ୍ମାର ଦାନବ ସ୍ବୟଂକୁ ସର୍ବଶକ୍ତିଶାଳୀ ଭାବି ଅନ୍ୟମାନଙ୍କୁ ତୁଚ୍ଛ ବୋଲି ଭାବୁଥିଲା । ସ୍କନ୍ଦ ପୁରାଣରେ ଏହି ଦାନବକୁ ଅମର ବୋଲି ମଧ୍ୟ କୁହାଯାଏ । ନିଜ ମାୟାରେ କାହାର ବି ଚେତନା ହରଣ କରିବାର ଶକ୍ତି ଅପସ୍ମାର ପାଖରେ ଥିଲା । ନିଜର ନକରାତ୍ମକ ଭାବନାର ପ୍ରୟୋଗ କରି ନିଷ୍ପାପକୁ କଷ୍ଟ ପହଞ୍ଚାଉଥିଲା ଏହି ଦାନବ । ଗର୍ବ,ଅହଙ୍କାରରେ ଚୂର୍ ହୋଇ ସାଧୁଙ୍କ ଉପରେ ମଧ୍ୟ ଦାନବର ପ୍ରଭାବ ପଡ଼ିବାକୁ ଲାଗିଲା । ଯାହାକୁ ଖଣ୍ଡନ କରିବାକୁ ଭିକ୍ଷୁକ ବେଶରେ ଧରାକୁ ଆସିଲେ ଶିବ-ପାର୍ବତୀ । କିନ୍ତୁ ମାତା ପାର୍ବତୀଙ୍କ ଉପରେ ମଧ୍ୟ ଦାନବ ଶକ୍ତି ପ୍ରଦର୍ଶନ କଲା । ଚେତାଶୂନ୍ୟ ହୋଇଗଲେ ଉମା ଏବଂ ଅର୍ଦ୍ଧାଙ୍ଗିନୀଙ୍କ ଏଭଳି ଅବସ୍ଥାରେ ଦେଖି ୨୪ ଥର ଡମ୍ବରୁ ବଜାଇଥିଲେ ଡମ୍ବରୁଧର ଯାହାର ଧ୍ବନିକୁ ସମ୍ଭାଳି ନପାରି ତଳେ ପଡ଼ିଯାଇଥିଲା ଅପସ୍ମାର ଦାନବ । ଆଉ ତା’ ଉପରେ ପାଦ ରଖି ଆନନ୍ଦ ତାଣ୍ଡବ କରିଥିଲେ ମହାଦେବ । ଏହି ମୁଦ୍ରାକୁ ଅଞ୍ଜଳି ମୁଦ୍ରା ବୋଲି ମଧ୍ୟ କୁହାଯାଏ । ପୁରାଣରେ ଅପସ୍ମାରକୁ ନେଇ ଏମିତି ଅନେକ କଥା ରହିଛି ଯାହା ସନାତନ ଧର୍ମର ଗୁଢ଼ତାକୁ ପ୍ରତିପାଦନ କରେ ।
Follow Us