କନକ ବ୍ୟୁରୋ : ପୁଣ୍ୟର ମାସ ଶ୍ରାବଣର ଆରମ୍ଭ ହୋଇସାରିଛି । ଦେବାଧିଦେବ ମହାଦେବଙ୍କ କୃପା ଲାଭ କରିବା ପାଇଁ ହାତରେ ପାଣିଭାର ଏବଂ କାଉଡ଼ି ଧରି କାଉଡ଼ିଆ ଭକ୍ତ ଭୋଳାନାଥଙ୍କ ପୀଠକୁ ଯାତ୍ରା କରୁଛନ୍ତି । ମହାଦେବ ମାନସିକ ପୂରଣ କରିବେ ଏହି ଆଶା ନେଇ ଭକ୍ତ କାହିଁ କେତେ ଦୂରରୁ ବାବାଙ୍କ ପାଖକୁ ଜଳ ଲାଗି କରିବା ପାଇଁ ଯାଆନ୍ତି । ଜଳାଭିଷେକ କରିବା ଉଦ୍ଦେଶ୍ୟରେ ଦେଶର ପ୍ରତିଟି ଶୈବପୀଠରେ ଭକ୍ତ ଲମ୍ବା ଧାଡ଼ି ଲଗାଇଥାଆନ୍ତି । 

Advertisment
shiv sati
shiv sati Photograph: (google)

କିନ୍ତୁ କେବଳ ଭାରତ ଭୂମିରେ ନୁହେଁ ଶତ୍ରୁଦେଶ ବୋଲାଉଥିବା ପାକିସ୍ତାନରେ ବି ଭଗବାନ ଶିବଙ୍କ ମନ୍ଦିର ରହିଛି । ମୁସଲିମ୍ ବହୁଳ ଦେଶ ହେଲେ ବି ସେଠାରେ ବସବାସ କରୁଥିବା ଅଳ୍ପସଂଖ୍ୟକ ହିନ୍ଦୁ ମହାଦେବଙ୍କ ପୂଜା କରନ୍ତି । ୧୯୪୭ ରେ ଭାରତ-ପାକିସ୍ତାନ ବିଭାଜନ ହେଲା କିନ୍ତୁ ଏହା ପୂର୍ବରୁ ହିଁ ସେଠାରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ଥିଲା । ଏଥିପାଇଁ ପାକିସ୍ତାନରେ ଅନେକ ପ୍ରାଚୀନ ଏବଂ ଐତିହାସିକ ମନ୍ଦିର ରହିଛି । 

Katas raj
Katas raj Photograph: (google)

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଚକୱାଲ ଅଞ୍ଚଳରେ କଟାସରାଜ ମନ୍ଦିର ରହିଛି । ଏହି ମନ୍ଦିରଟି ବହୁତ ପୁରୁଣା । ମାନ୍ୟତା ରହିଛି ମାତା ସତୀ ଯେତେବେଳେ ଆତ୍ମଦାହ କରିଥିଲେ ଉମାପତୀ ପ୍ରାଣପ୍ରିୟାଙ୍କ ବିୟୋଗରେ ଏହିଠାରେ ବିରହର ଅଶ୍ରୁ ଢାଳିଥିଲେ । ଉକ୍ତ ସ୍ଥାନରେ ଏକ ପବିତ୍ର କୁଣ୍ଡ ରହିଛି ଯାହାକୁ କଟାକ୍ଷ କୁଣ୍ଡ ବୋଲି କୁହାଯାଏ । ମହାଦେବଙ୍କ ଅଶ୍ରୁ ନିର୍ଗତ ଅନ୍ୟ ଏକ କୁଣ୍ଡ ରାଜସ୍ଥାନର ପୁଷ୍କରରେ ଥିବା କୁହାଯାଏ । 

sialkot
sialkot Photograph: (google)

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ସିୟାଲକୋଟରେ ମଧ୍ୟ ଏକ ପ୍ରାଚୀନ ଶିବ ମନ୍ଦିର ରହିଛି । ଏହାକୁ ସେଠାକାର ପ୍ରମୁଖ ଧାର୍ମିକ ସ୍ଥଳ ବୋଲି କୁହାଯାଏ । ଶ୍ରାବଣ ମାସ ଆସିଲେ ଆଜି ବି ଶିବଭକ୍ତ ପ୍ରଭୁଙ୍କ ଆରାଧନା କରିବାକୁ ମନ୍ଦିରରେ ପହଞ୍ଚନ୍ତି । ଏହି ମନ୍ଦିରକୁ ଶିଖ୍ ଧର୍ମର ପ୍ରଚାରକ ସର୍ଦ୍ଦାର ତେଜା ସିଂ ନିର୍ମାଣ କରାଇଥିବା ସୂଚନା ମିଳେ । ଭାରତ-ପାକିସ୍ତାନ ବିଭାଜନ ସମୟରେ ମନ୍ଦିରକୁ ବନ୍ଦ କରାଯାଇଥିବା ବେଳେ ୧୯୯୨ ରେ ମନ୍ଦିରକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ୨୦୧୫ ରେ ପୁନଃନିର୍ମାଣ କରାଯାଇ ପୁନର୍ବାର ଖୋଲାଯାଇଥିଲା । 

umerkote shiv Temple
umerkote shiv Temple Photograph: (google)

ସିନ୍ଧୁ ପ୍ରାନ୍ତ ଉମରକୋଟରେ ୧୦୦୦ ବର୍ଷ ପୁରୁଣା ଏକ ଶିବ ମନ୍ଦିର ରହିଛି । ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଏହି ମନ୍ଦିରରେ ବଡ଼ ମେଳା ଲାଗେ ଯେଉଁଥିରେ ସାମିଲ ହେବା ପାଇଁ ଦୂରଦୂରାନ୍ତରୁ ଭକ୍ତ ମନ୍ଦିରକୁ ଆସିଥା’ନ୍ତି । ଶ୍ରାବଣରେ ମଧ୍ୟ ଏଠାରେ ଭିଡ଼ ଦେଖିବାକୁ ମିଳେ । ଐତିହାସିକଙ୍କ ମତରେ ୧୦ ମ ଶତାବ୍ଦୀରେ ଏହି ମନ୍ଦିର ପ୍ରସ୍ତୁତ କରାଯାଇଥିଲା । ମନ୍ଦିର ସହ ଜଡ଼ିତ ଏକ କାହାଣୀ ମଧ୍ୟ ରହିଛି । ଜଣେ ଗାଈ ଚରାଳୀ ପ୍ରତିଦିନ ଏଠାରେ ଗୋରୁଙ୍କୁ ଚରାଇବାକୁ ଆସୁଥିଲା । କିନ୍ତୁ ପ୍ରତିଦିନ ଗୋଟିଏ ଗାଈ ଗୋଠ ଛାଡ଼ି ଅନ୍ୟ ଏକ ସ୍ଥାନକୁ ଚାଲିଯାଉଥିଲା । ଦିନେ ଚରାଳୀ ଗାଈ ପଛେ ପଛେ ଯିବାରୁ ଦେଖିବାକୁ ପାଇଥିଲା ଯେ ଉକ୍ତ ଗାଈ ଶିବଲିଙ୍ଗ ଉପରେ ଦୁଗ୍ଧ ଅର୍ପିତ କରୁଛି । ସେହି ଦିନଠାରୁ ଏଠାରେ ଭଗବାନ ଶିବଙ୍କ ପୂଜା ଆରମ୍ଭ ହେଲା । ଅନ୍ୟପକ୍ଷରେ ସିନ୍ଧୁର ଟାଣ୍ଡୋ ଅଲ୍ଲାହୟାରରେ ରାମାପିରଙ୍କ ମନ୍ଦିର ରହିଛି ଯାହାଙ୍କୁ ମହାଦେବଙ୍କ ଅବତାର ବୋଲି କୁହାଯାଏ । 

ପାକିସ୍ତାନର ରାଜଧାନୀ କରାଚୀରେ ୧୫୦ ବର୍ଷ ପୁରୁଣା ଏକ ଶିବ ମନ୍ଦିର ରହିଛି , ଯାହାକୁ ରତ୍ନେଶ୍ବର ମହାଦେବ ବୋଲି କୁହାଯାଏ । ଏହି ମନ୍ଦିରରେ ସଦାଶିବଙ୍କ ସମେତ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା କରାଯାଏ । ଏଠାରେ ପ୍ରତ୍ୟହ ପ୍ରଭୁଙ୍କୁ ପୂଜା କରିବା ସହ ହର ହର ମହାଦେବର ନାମ ଜପ କରାଯାଏ । ଶ୍ରାବଣ ମାସରେ ଏଠାରେ କରାଚୀ ଏବଂ ଆଖପାଖରେ ରହୁଥିବା ହିନ୍ଦୁ ଭକ୍ତ ବେଲପତ୍ର , ଦୁଦୁରା , ଫଳ ଧରି ଜଳାଭିଷେକ କରିବାକୁ ଆସିଥା’ନ୍ତି । 

shiva
shiva Photograph: (google)