Kotia Photograph: (Kanak News)
କନକ ବ୍ୟୁରୋ : କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର । ବାରମ୍ବାର ବାରଣ ସତ୍ତ୍ୱେ ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ପୁଣି କୋଟିଆର ତଳଗଞ୍ଜେଇ ପଦର ଗାଁରେ ଆନ୍ଧ୍ରର ସ୍ୱାସ୍ଥ୍ୟ ଟିମ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଛି । ସାଲୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଭ୍ୟାନ ଗତକାଲି ତଳଗଞ୍ଜେଇ ପଦର ଗାଁରେ ପହଞ୍ଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପହଞ୍ଚି ଆନ୍ଧ୍ର ଅଧିକାରୀଙ୍କୁ ତାଗିଦ କରିବା ସହିତ ତୁରନ୍ତ ଜାଗା ଛାଡି ଚାଲିଯିବା ପାଇଁ କହିଥିଲେ । ପରେ ଅଧାରୁ ସ୍ୱାସ୍ଥ୍ୟସେବା ବନ୍ଦ କରି ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ ଫେରି ଯାଇଥିଲେ ।
କିଛି ଦିନ ତଳେ କୋଟିଆରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ର ଅଧିକାରୀ । ଆଦିବାସୀ ଆନ୍ଦୋଳନ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆଦିବାସୀ ମେଳା ଆୟୋଜନ କରିଥିଲା ଆନ୍ଧ୍ର । ଆନ୍ଧ୍ରର ଗୁଣବତ୍ତା ସାମଗ୍ରୀ ଗୁଡ଼ିକୁ କିଣିବା ନିମନ୍ତେ ଲୋକଙ୍କୁ କଲେ ସଚେତନ । କୋଟିଆର ସୀମାନ୍ତ ଗ୍ରାମ ନେରେଡିୱାଲାସାର ସାପ୍ତାହିକ ହାଟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ : କିଛି ଦିନର ନୀରବତା ପରେ ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ଆୟୋଜନ କଲା ଆଦିବାସୀ ମେଳା
ସାଲୁର ଗିରିଜନା କୋପରେଟିଭ୍ କର୍ପୋରେସନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭାଗୀୟ ଅଧିକାରୀ ମାନେ ଆଦିବାସୀ ସମବାୟ ସମିତି ଗୁଡ଼ିକର ଷ୍ଟଲ ସ୍ଥାପନ କରି ଆନ୍ଧ୍ରର ବିଭିନ୍ନ ସାମଗ୍ରୀ ବିକ୍ରି କରିଛନ୍ତି । ସେମାନେ ସ୍ଥାନୀୟ ବଜାରରେ ଦୋକାନଗୁଡ଼ିକୁ ମଧ୍ୟ ବୁଲି ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ଯଦି କେହି ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିବା ନେଇ ଜଣାପଡ଼ିଛି ।
ଓଡ଼ିଶା ଉପରୁ ହଟୁନି ପଡ଼ିଶା ଆଖି । କୋଟିଆରୁ ତ ବିଲକୁଲ୍ ନୁହେଁ । କଳବଳ କୌଶଳେ କୋଟିଆର ନିରିହ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ ଜାରି ରଖିଛି । ଆନ୍ଧ୍ରପ୍ରଦେଶର ଚାଲାକିକୁ ବୁଝିବାରେ ବାରମ୍ବାର ବିଫଳ ହେଉଛି ଓଡ଼ିଶା । ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଶାସନ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଜରିଆରେ କୋଟିଆ ଗ୍ରାମପୁଞ୍ଜରେ ପଶୁଛି । କେତେବେଳେ ବାଣ୍ଟୁଛି ଡିଜିଟାଲ କାର୍ଡ, ଆଉ କେତେବେଳେ ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଛି । ଏବେ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ କୋଟିଆରେ ଆଦିବାସୀ ମେଳା ଆୟୋଜନ କରିଛି ଆନ୍ଧ୍ର ।
Follow Us