କନକ ବ୍ୟୁରୋ: ଯେତେ ଯାହା କଲେ ବି କୋଟିଆକୁ ଅକ୍ତିଆର କରିବାକୁ ଟିକେ ବି ସୁଯୋଗ ଛାଡ଼ୁନି ଆନ୍ଧ୍ର । ପୂର୍ବରୁ ରାସନକାର୍ଡ ହିତାଧିକାରୀଙ୍କ ସର୍ଭେ କରିଥିଲା । ଏବେ ଡିଜିଟାଲ୍ ସ୍ମାର୍ଟ ରାସନକାର୍ଡ ବାଣ୍ଟିଛି ଆନ୍ଧ୍ର । କିଛି ଦିନର ନିରବତା ପରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଦଖଲ ପାଇଁ ଏଭଳି ଢଙ୍ଗରେ ଅନୁପ୍ରବେଶ କରି ଓଡ଼ିଶା ସରକାରଙ୍କୁ ଚକମା ଦେଇଛି ଆନ୍ଧ୍ର ।

Advertisment

କୋଟିଆ ପଞ୍ଚାୟତରେ ପଶି ବର୍ତ୍ତମାନ ପୁରୁଣା ରାସନ କାର୍ଡ ଫେରାଇ ନେଇ ଆନ୍ଧ୍ର ହିତାଧିକାରୀଙ୍କୁ ଡିଜିଟାଲ୍ ସ୍ମାର୍ଟ ରାସନ କାର୍ଡ ବଣ୍ଟନ କରୁଛି । ଏଥିପାଇଁ ପ୍ରତି ପଞ୍ଚାୟତରେ ସ୍ଵତନ୍ତ୍ର ଶିବିର କରି ହିତାଧିକାରୀଙ୍କ ଟିପଚିହ୍ନ ନେଉଛନ୍ତି ଆନ୍ଧ୍ରର ସରକାରୀ କର୍ମଚାରୀ । ଏହାରି ମଧ୍ୟରେ ତଳଗଞ୍ଜେଇପଦର ଓ ଗଞ୍ଜେଇପଦର ଗାଁରେ କାର୍ଡ ବଣ୍ଟନ ସରିଲାଣି । ଦୁଇଟି ଗାଁରେ ଶହେ ହିତାଧିକାରୀ ନୂଆ କାର୍ଡ ପାଇଥିବା ସୂଚନା ମିଳିଛି । ଏହି କାର୍ଡରେ ହିତାଧିକାରୀଙ୍କୁ ମାସିକ ୩୫ କିଲୋ ଚାଉଳ, ତେଲ, ସାବୁନ, ଡାଲି ଏବଂ ପ୍ରସୂତିଙ୍କୁ କ୍ଷୀର ମିଳୁଛି । ଆନ୍ଧ୍ରର ଏହି ଲୋଭନୀୟ ଯୋଜନା ପ୍ରତି କୋଟିଆବାସୀ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି । 

ଆନ୍ଧ୍ରର ଡିଜିଟାଲ୍ ସ୍ମାର୍ଟ ରାସନ କାର୍ଡ ବଣ୍ଟନ ନେଇ ଜିଲ୍ଲାପଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ କହିଛନ୍ତି, ଖବର ପାଇବା ପରେ ସେ ତଳଗଞ୍ଜେଇପଦର ଓ ଗଞ୍ଜେଇପଦର ଗାଁକୁ ଯାଇ ତଦନ୍ତ କରିଥିଲେ । ଲୋକଙ୍କୁ ମିଳିଥିବା ସ୍ମାର୍ଟ ରାସନ କାର୍ଡ ମାଗିଥିଲେ । କିନ୍ତୁ ଲୋକେ କାର୍ଡ ମିଳିନି, ସର୍ଭେ ହୋଇଛି ବୋଲି କହିଥିବା ବିଡିଓ ସୂଚନା ଦେଇଛନ୍ତି । 

ବଡ଼କଥା ହେଉଛି ଓଡ଼ିଶାର କୋଟିଆ ପଞ୍ଚାୟତରେ ୪୦ଟି ଗାଁ ରହିଛି । ସେଥିରୁ ୨୧ଟି ଗାଁକୁ ନିଜର ବୋଲି ଦାବି କରୁଛି ଆନ୍ଧ୍ର । ଗଞ୍ଜେଇଭଦ୍ରା, ଫଟୁସିନେରୀ, ଧୂଳିଭଦ୍ରା ପଞ୍ଚାୟତ ଗଠନ କରି ସେଥିରେ ଏହି ୨୧ଟି ବିବାଦୀୟ ଗାଁକୁ ଅନ୍ତର୍ଭୁକ୍ତ କରିଛି । ଅନ୍ୟପକ୍ଷରେ ଦୁଇ ରାଜ୍ୟର ଯୋଜନାରେ ଉପକୃତ ହେଉଛନ୍ତି ବିବାଦୀୟ ଗାଁର ଲୋକ । କୋଟିଆରେ ପଶି ବାରମ୍ବାର ମନମାନି କରୁଛି ଆନ୍ଧ୍ର, କେମିତି ଓ କାହିଁକି ଜାଣିପାରୁନି ପ୍ରଶାସନ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।