AMIT SHAH Photograph: (KANAK NEWS)
କନକ ବ୍ୟୁରୋ: “ଆଗାମୀ ନିର୍ବାଚନ ହିଁ ବିହାରକୁ ଜଙ୍ଗଲରାଜରୁ ମୁକ୍ତ କରିବାର ସଠିକ୍ ସମୟ । ଏନଡିଏରେ ସାମିଲ ଥିବା ୫ ଦଳ ପାଣ୍ଡବ ଭଳି ନିର୍ବାଚନରେ ଏକାଠି ଲଢୁଛନ୍ତି । ଆଉ ବିହାରରେ ଏନଡିଏ ଜିତିବା ନିଶ୍ଚୟ । ମହାମେଣ୍ଟ ବିହାରର କଦାପି ବିକାଶ ଚାହୁନି । ଲାଲୁ ଯାଦବ କେବଳ ନିଜ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଆଉ ସୋନିଆ ଗାନ୍ଧୀ ନିଜ ପୁଅକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି”, ବିହାରର ପ୍ରଚାର ମୈଦାନରୁ ବିରୋଧୀଙ୍କୁ କିଛି ଏଭଳି ଢଙ୍ଗରେ ଶବ୍ଦର ତୀରରେ ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ବର୍ତ୍ତମାନ ବିହାରରେ ପ୍ରଚାର ଅଭିଯାନ ଜାରି ରହିଛି । ଏହିକ୍ରମରେ ଶାହ ଦରଭଙ୍ଗାରେ ଏକ ସଭାରେ ନିଜର ସମ୍ବୋଧନ ରଖି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସିଧା ସିଧା ତେଜସ୍ୱୀ ଆଉ ରାହୁଲଙ୍କୁ ଟାର୍ଗେଟ୍ କରିବା ସହ ଶାହ ପରୋକ୍ଷରେ ଲାଲୁ ଆଉ ସୋନିଆଙ୍କୁ ମଧ୍ୟ ତୀର ମାରିଛନ୍ତି ।
ଶାହ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଦେଢ଼ ମାସ ତଳେ ବିହାର ଆସିଥିଲେ ଆଉ ଏବେ ପୁଣି ମାସେ ପରେ ବିହାର ଆସିଛନ୍ତି । ଯେତେବେଳେ ପ୍ରଥମ ଥର ରାହୁଲ ବିହାର ଆସିଥିଲେ, ସେତେବେଳେ ‘ଅନୁପ୍ରବେଶକାରୀ ବଞ୍ଚାଅ ଯାତ୍ରା’ ଆରମ୍ଭ କରିଥିଲେ ବୋଲି ଶାହ କଟାକ୍ଷ କରି କହିଛନ୍ତି । ରାହୁଲ ଏବଂ ତେଜସ୍ୱୀ ଏବେ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ରକ୍ଷକ ସାଜିଛନ୍ତି ବୋଲି କହିବା ସହ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇଲେ ବିହାର ଅନୁପ୍ରବେଶକାରୀ ମୁକ୍ତ ହୋଇପାରିବ ବୋଲି ଶାହ କହିଛନ୍ତି ।
ମହାମେଣ୍ଟକୁ କହିଲେ ଠକମେଣ୍ଟ
ଅମିତ ଶାହ ବୁଧବାର ଦରଭଙ୍ଗାରେ କହିଛନ୍ତି ଯେ, ଗତଥର ସେଠାକାର ୧୦ଟି ଆସନରୁ ୯ଟି ଆସନ ଏନଡିଏ ଖାତାକୁ ଯାଇଥିଲା । ଆଉ ଏଥର ମଧ୍ୟ ଠିକ୍ ସେମିତି ଢଙ୍ଗରେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ସମସ୍ତ ୧୦ଟି ଯାକ ଆସନରେ ଏନଡିଏର ପ୍ରାର୍ଥୀଙ୍କୁ ଜିତାବାଇବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଏହି ସଭାରେ ମହାମେଣ୍ଟକୁ ଠକମେଣ୍ଟ ବୋଲି ମଧ୍ୟ କହିବାକୁ ସେ ପଛାଇନାହାଁନ୍ତି । ଖାଲି ସେତିକି ନୁହେଁ, ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁର ମଧ୍ୟ ଏଥର ନିଶ୍ଚୟ ନିର୍ବାଚନ ଜିତିବେ ବୋଲି ଶାହ ଦାବି କରିଛନ୍ତି । ଯିଏକି ଏବେ ଅଲୀନଗରରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ।
ବିହାର ରାଜନୀତିର ଜାତି ଗଣତି ; ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବ କି MY ଫର୍ମୁଲା?
ଶାହ କହିଛନ୍ତି, ରାଷ୍ଟ୍ରୀୟ ଜନତା ଦଳର ସରକାର ମୈଥିଳୀ ଭାଷାକୁ ମାନ୍ୟତା ଦେଲାନି । ଯାହାକୁ ସମ୍ବିଧାନରେ ମଧ୍ୟ ସ୍ଥାନିତ କରାଯାଇଛି । ବର୍ତ୍ତମାନ ସମୟରେ ମିଥିଳାରେ ମାଆ ସୀତାଙ୍କ ମନ୍ଦିର ନିର୍ମାଣାଧୀନ ରହିଛି । ଏହାସହ ମାତା ସୀତ ଯେଉଁ ଯେଉଁ ଜାଗାକୁ ଯାଇଥିଲେ, ତାକୁ ନେଇ ଏକ ରାମ ସର୍କିଟ ମଧ୍ୟ ତିଆରି କରାଯିବ ବୋଲି ଶାହ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ; “ଭୋଟ୍ ପାଇଁ ମୋଦୀ ଷ୍ଟେଜରେ ବି ନାଚିପାରିବେ”
ଯୁବକଙ୍କୁ ଆଗକୁ ନିଅନ୍ତି ମୋଦୀ – ଶାହ
ଅମିତ ଶାହଙ୍କ କହିବା କଥା ହେଲା, ବିହାରର ୮.୫୨ କୋଟି ଲୋକଙ୍କୁ ମାଗଣାରେ ରାସନ ଦିଆଯାଇଛି । ଏହାସହ ମଖାନା ବୋର୍ଡ ମଧ୍ୟ ଗଠନ କରାଯାଇଛି । ଅନ୍ୟପଟେ ଘରୋଇ ଉପଭୋକ୍ତାଙ୍କ ପାଇଁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯାଇଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବକଙ୍କ ବିକାଶ ଚାହାଁନ୍ତି । ଯାହାକି ମହାମେଣ୍ଟର ସରକାର ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି ଶାହ ।
Follow Us