କନକ ବ୍ୟୁରୋ: ବିହାରରେ ଭୋଟ୍ ପଡ଼ିବାର ତାରିଖ ଯେତେ ଯେତେ ପାଖୋଉଛି, ନେତାଙ୍କ ମୁହଁରେ ବୟାନ ମଧ୍ୟ ସେତିକି ଧୂଆଁଧାର ହେବାର ଲାଗିଛି । ଆଉ ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । କହିଛନ୍ତି, ଆଜିର ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍ ପାଇଁ କିଛି ବି କରିପାରନ୍ତି ।

Advertisment

ରାହୁଲ ଗାନ୍ଧୀ ମୁଜଫରପୁରର ରାଲିରେ ଲୋକଙ୍କୁ କହିଛନ୍ତି ମୋଦୀଙ୍କୁ କେବଳ ଆପଣଙ୍କ ଭୋଟ୍ ଦରକାର । ଯଦି ଆପଣ ଡ୍ରାମା କରିବାକୁ ବି କହିବେ, ତେବେ ଭୋଟ୍ ପାଇଁ ସେ ଡ୍ରାମା ବି କରିଦେବେ । ଯଦି ଆପଣ ତାଙ୍କୁ ଭୋଟ୍ ଦେବେ ତେବେ ସେ ଷ୍ଟେଜ୍ ଉପରେ ଆସି ନାଚିବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଯାହାକି ଏବେ ବିବାଦ ସୃଷ୍ଟି କରିଛନ୍ତି । 

ରାହୁଲ ଗାନ୍ଧୀ ଏହି ରାଲିରେ ମହାମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ଏହାସହ ଆଗାମୀ ଦିନରେ ବିହାରରେ ମହାମେଣ୍ଟର ସବୁ ସମାଜ ଏବଂ ସବୁ ଧର୍ମକୁ ନେଇ ସରକାର ଗଠନ ହେବ ବୋଲି ସେ କହିଛନ୍ତି । ତେବେ ବିହାର ଲୋକ ହିଁ ଆମର ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଏହାସହ ବିହାରର ଲୋକଙ୍କ ପ୍ରଂଶସା କରି ରାହୁଲ କହିଛନ୍ତି, ବିହାରର ଲୋକ ସବୁଠି ମିଳିଯିବେ । ବିହାରର ଲୋକ ହିଁ ଦିଲ୍ଲୀ ତିଆରି କରିଛନ୍ତି, ବେଙ୍ଗାଲୁରୁର ସଡ଼କ ତିଆରି କରିଛନ୍ତି, ଗୁଜରାଟରେ କାମ ବି କରିଛନ୍ତି । ଏମିତି କି ଦୁବାଇରେ ମଧ୍ୟ ବିହାରର ଲୋକ କାମ କରିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଜାଣିରଖିବା ଉଚିତ ଯେ, ବିହାରରେ ଆସନ୍ତା ୬ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ଏବଂ ୧୧ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ପଡ଼ିବାକୁ ଅଛି । ଯାହାର ଫଳାଫଳ ଆସନ୍ତା ନଭେମ୍ବର ୧୪ ତାରିଖରେ ଆସିବ । ଆଉ ଏହା ପୂର୍ବରୁ ଏବେ ପ୍ରଚାର ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ନେତା ।