କନକବ୍ୟୁରୋ : ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଗର୍ଭାଶୟରୁ ହିଁ ଆରମ୍ଭ ହୋଇଯାଉଛି। ବାୟୁ ପ୍ରଦୂଷଣ ଏବେ ଏକ ବଡ଼ ଚିନ୍ତାର କାରଣ ପାଲଟିଗଲାଣି। ଏନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରାଯାଇଛି । ପ୍ରଦୂଷଣ ଉପରେ ପ୍ରାୟ ୪୦ ବର୍ଷର ଗବେଷଣା ଏବଂ ରିପୋର୍ଟ ପରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟର ନୂତନ ପୁସ୍ତକ "ସାଁସୋ କା ଆପାତକାଲ’ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଗର୍ଭାଶୟରୁ ହିଁ ଆରମ୍ଭ ହୋଇଯାଉଛି ।
ଗବେଷଣା ଏବଂ ରିପୋର୍ଟରୁ ଜଣାପଡ଼ିଛି, ମା’ମାନେ ଯେତେବେଳେ ଗର୍ଭାବସ୍ଥାରେ ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଆସନ୍ତି ସେତେବେଳେ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିଦଦ ବଢ଼ି ଯାଇଥାଏ। ଏହି ବାୟୁ ପ୍ରଦୂଷଣ ବର୍ତ୍ତମାନ ସମୟରେ ନବଜାତ ଶିଶୁ ଏବଂ କିଶୋରମାନଙ୍କ ପାଇଁ ଜୀବନବ୍ୟାପୀ ବୋଝ ପାଲଟିଗଲାଣି । ଭାରତ ସମେତ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟି ଯାଇଛି । ସାରା ବିଶ୍ୱରେ ଜନ୍ମର ପ୍ରଥମ ମାସ ମଧ୍ୟରେ ହେଉଥିବା ଶିଶୁ ମୃତ୍ୟୁର ଏକଚତୁର୍ଥାଂଶ କାରଣ ବାୟୁ ପ୍ରଦୂଷଣ ରହିଛି ।
ସର୍ଭେରୁ ଜଣାପଡ଼ିଛି ବାୟୁର ବିଷାକ୍ତ ଧୂଳି କଣିକା ସଂସ୍ପର୍ଶରେ ଆସିଥିବା ମା’ଙ୍କଠାରୁ ଜନ୍ମିତ ଶିଶୁର ବଞ୍ଚିବାର ସମ୍ଭାବନା ହ୍ରାସ ପାଉଛି। ପ୍ରଦୂଷିତ ବାୟୁ ହେତୁ ମୃତ ଶିଶୁ ଜନ୍ମନେବା, ସମୟ ପୂର୍ବରୁ ଜନ୍ମ ନେବା ଓ କମ ଓଜନର ଶିଶୁ ଜନ୍ମ ନେବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ଅଧିକ ପଢନ୍ତୁ :
ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ ଚେହେରା, ଖୁବଶୀଘ୍ର ଇଣ୍ଡିଆ ମେଣ୍ଟ କରିବ ଘୋଷଣା
ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସି ବଡ଼ ହେଉଥିବା ଶିଶୁମାନେ ଜୀବନର ପରବର୍ତ୍ତୀ ସମୟରେ ମଧୁମେହ ସମେତ ବିଭିନ୍ନ ପ୍ରକାରର ଅନ୍ତଃସ୍ରାବୀ ଏବଂ ମେଟାବୋଲିକ୍ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ ରହିଥାଏ । ଏଭଳି ଶିଶୁଙ୍କ କ୍ଷେତ୍ରରେ ନିମ୍ନ ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ଡାଇରିଆ, ମସ୍ତିଷ୍କ କ୍ଷତି ଏବଂ ପ୍ରଦାହ, ରକ୍ତ ରୋଗ ଏବଂ ଜଣ୍ଡିସ ଭଳି ଯଦି ରୋଗ ଦେଖାଦିଏ ତେବେ ସେମାନଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଏହାକୁ ସାମ୍ନା କରିପାରେ ନାହିଁ ।
ସେପଟେ , ବିଶ୍ବର ସବୁଠୁ ପ୍ରଦୂଷିତ ସହର ସହ ୫ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ । ଦିଲ୍ଲୀରେ ଶୀତଦିନେ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ଥିଲା ନଡା ଜାଳିବା । କିନ୍ତୁ ନଡ଼ା ଜାଳିବା ୭୭.୫ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ରାଜଧାନୀରେ ବାୟୁ ଗୁଣବତ୍ତା ଦୀପାବଳୀ ପରେ ଗତ ପାଞ୍ଚ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି । ହାରାହାରି PM ସ୍ତର ୨.୫ ଅର୍ଥାତ ୪୮୮ ମାଇକ୍ରୋଗ୍ରାମ ପ୍ରତି ଘନମିଟରରେ ପହଞ୍ଚିଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପରାମର୍ଶିତ ସୀମାର ପ୍ରାୟ ୧୦୦ ଗୁଣ ଅଧିକ । ଏହା ଦୀପାବଳୀ ପୂର୍ବରୁ ଥିବା ସ୍ତର ତୁଳନାରେ ୨୧୨ ପ୍ରତିଶତ ବୃଦ୍ଧି ଦେଖାଇଛି । ଦୀପାବଳୀ ରାତିରେ ୬୭୫ ମାଇକ୍ରୋଗ୍ରାମ ପ୍ରତି ଘନମିଟର ରେକର୍ଡ କରାଯାଇଥିଲା ।
ଦୀପାବଳୀ ପାଇଁ ଗତ ବର୍ଷ ଏହି ବର୍ଷ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୨୮ ଥବା ବେଳେ ଚଳିତ ବର୍ଷ ଏହା ୪୮୮ ଛୁଇଁଛି । ୨୦୨୩ରେ ଦୀପାବଳୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୧୮ ଏବଂ ୨୦୨୨ରେ ୩୧୨ ଥିଲା । ଏହା ସୂଚାଇଛି ଯେ ଗ୍ରୀନ୍ ପଟାକା ମଧ୍ୟ ବିଷାକ୍ତ ଝାଞ୍ଜି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୫ ବର୍ଷର ତଥ୍ୟ ସୂଚାଇଛି ଯେ ଦୀପାବଳୀ ୨୦୨୫ ସାମ୍ପ୍ରତିକ ସମୟରେ ସର୍ବାଧିକ ପ୍ରଦୂଷଣକାରୀ ମଧ୍ୟରୁ ଏକ ଥିଲା । ବାୟୁ ପ୍ରଦୂଷଣ ଶିଶୁ, ବୟସ୍କ ଓ ପୂର୍ବରୁ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/23/airpolution-2025-10-23-15-15-07.png)