କନକ ବ୍ୟୁରୋ: ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଘରୋଇ ଏୟାର ଆମ୍ବୁଲାନ୍ସ ସିମରିଆ ନିକଟସ୍ଥ କାସିୟାତୁ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୭ଙ୍କର ମୃତ୍ୟୁ ହୋଇଛି। ବିମାନଟି ସନ୍ଧ୍ୟାରେ ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ୨୭ ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ବିମାନରେ ୭ ଜଣ ଥିବା ବେଳେ ଦୁର୍ଘଟଣାରେ ୪୧ ବର୍ଷୀୟ ସଞ୍ଜୟ କୁମାରଙ୍କ ମୃତ୍ୟୁ ଘଟିଛି। ସେ ଜଣେ ଗୁରୁତର ଅଗ୍ନି ଦୁର୍ଘଟଣାଜନିତ ରୋଗୀ ଥିଲେ ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଉଥିଲା । ନିଜ ରେଷ୍ଟୁରାଣ୍ଟ ସର୍ଟ ସର୍କିଟ୍ ଯୋଗୁ ଘଟିଥିବା ଅଗ୍ନିକାଣ୍ଡରେ ସଞ୍ଜୟଙ୍କ ଶରୀରର ୬୩-୬୫ ପ୍ରତିଶତ ଜଳିଯାଇଥିଲା ।
ପ୍ରଥମେ ତାଙ୍କର ଚିକିତ୍ସା ରାଞ୍ଚିର ଦେବକମଳ ହସ୍ପିଟାଲରେ କରାଯାଉଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ । ସଞ୍ଜୟଙ୍କୁ ଶୀଘ୍ର ଦିଲ୍ଲୀରେ ପହଞ୍ଚାଇବା ପାଇଁ ପରିବାର ଲୋକେ ଲୋନ୍ ତଥା ନିଜ ବନ୍ଧୁବାନ୍ଧବଙ୍କଠାରୁ ଧାର କରଜ କରି ଏୟାର ଆମ୍ବୁଲାନ୍ସକୁ ୮ ଲକ୍ଷ ଟଙ୍କାରେ ବୁକ୍ କରିଥିଲେ। ତେବେ ଖରାପ ଦୃଶ୍ୟମାନ୍ୟତା ଯୋଗୁ ବିମାନଟି ଉଡ଼ାଣ ସମୟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସଞ୍ଜୟ, ତାଙ୍କ ସ୍ତ୍ରୀ ଏବଂ ଭଣଜାଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ: ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ହେଉ ସିବିଆଇ ତଦନ୍ତ
ଦିଲ୍ଲୀର ରେଡବାର୍ଡ ଏୟାରୱେଜ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ପରିଚାଳିତ ଏହି ବିମାନ (ବିଚ୍କ୍ରାଫ୍ଟ କିଙ୍ଗ ଏୟାର ବିଇ୯ଏଲ)ରେ ରୋଗୀଙ୍କ ବ୍ୟତୀତ ଜଣେ ଡାକ୍ତର, ଜଣେ ପାରାମେଡିକ୍, ୨ ଜଣ ଆଟେଣ୍ଡାଣ୍ଟ୍, ଜଣେ ପାଇଲଟ ଏବଂ ସହ ପାଇଲଟ ଥିଲେ। ବିମାନଟି ସନ୍ଧ୍ୟା ୭.୦୭ରେ ରାଞ୍ଚିରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସନ୍ଧ୍ୟା ୭.୩୪ରେ ଏହା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ହରାଇଥିଲା। ରାତି ୧୦ଟାରେ ବିମାନଟି ଦିଲ୍ଲୀରେ ଅବତରଣ କରିଥାନ୍ତା। ରାଞ୍ଚି ବିମାନ ବନ୍ଦର ନିର୍ଦ୍ଦେଶକ ଦୁର୍ଘଟଣା ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି। ଚାର୍ଟର୍ଡ ବିମାନର ପାଇଲଟଙ୍କ ନାମ ବିବେକ ବିକାଶ ଭଗତ ସିଂହ ଏବଂ ସହ ପାଇଲଟ ସବରାଜ ଦୀପ୍ ସିଂହ ବୋଲି ଜଣାପଡ଼ିଛି । ଡାକ୍ତର ବିକାଶ କୁମାର ଗୁପ୍ତା ଏବଂ ପାରାମେଡିକ୍ ସଚୀନ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ରାଞ୍ଚିରୁ ସଞ୍ଜୟ କୁମାରଙ୍କୁ ଦିଲ୍ଲୀ ନିଆଯାଉଥିଲା ବୋଲି ଜଣାପଡ଼ିଛି । ସେମାନଙ୍କ ସହ ଯାଉଥିବା ଦୁଇ ଜଣ ସହଯୋଗୀ ହେଲେ ଅର୍ଚ୍ଚନା ଦେବୀ ଏବଂ ଧୁରୁ କୁମାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/24/air-ambulance-crash-2026-02-24-12-10-42.jpg)