କନକବ୍ୟୁରୋ : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ସମ୍ପର୍କରେ ପ୍ରଶ୍ନ ଉଠିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘୋଷଣା କରିଛନ୍ତି, ସେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଫଡନାଭିସ୍ କହିଛନ୍ତି, ଦୁର୍ଘଟଣା ସମ୍ପର୍କରେ ଉଠାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ଗୁରୁତ୍ୱପୂର୍ଣ୍ଣ ।  ବଜେଟ ଅଧିବେଶନର ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସ୍ପଷ୍ଟ କରିଛନ୍ତି, ସରକାର ଯେକୌଣସି ସନ୍ଦେହ ଦୂର କରିବାକୁ ଚାହାଁନ୍ତି ।

Advertisment

ଫଡନବୀସ କହିଛନ୍ତି, ତାଙ୍କୁ ସହଯୋଗୀ ଏନ୍‌ସିପିରୁ ସିବିଆଇ ତଦନ୍ତ ଦାବି କରି ଏକ ଚିଠି ମିଳିଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମୁଁ କଥା ହୋଇଛି। ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଓ ରାଜ୍ୟ ସିଆଇଡି ଦ୍ୱାରା ହେଉଥିବା ତଦନ୍ତ ସହିତ ଏବେ ମାମଲାର ତଦନ୍ତ ସିବିଆଇ ମଧ୍ୟ କରିବ।

ଅଧିକ ପଢନ୍ତୁ.... ସେନା ପାଲଟିଲେ ଦେବଦୂତ: ସିକିମରେ ତୁଷାରପାତ ମଧ୍ୟରେ ଅପରେସନ୍ ହିମରାହତ

ଜାନୁଆରି ୨୮ ତାରିଖରେ, ପୁଣେ ଜିଲ୍ଲାର ବାରାମତି ନିକଟରେ ଅବତରଣ କରିବା ସମୟରେ ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଅଜିତ ପାୱାର ଓ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।

ଏନ୍‌ସିପି (ଏସ୍‌ପି) ନେତା ରୋହିତ ପାୱାର ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପାୱାର ବିମାନର ମାଲିକ, ଭିଏସ୍‌ଆର୍‌ ଓ ବିମାନର ମାଲିକଙ୍କ ମଧ୍ୟରେ ଥିବା କଥିତ ସମ୍ପର୍କ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଭିଏସ୍‌ଆର୍ କମ୍ପାନିର ଅଡିଟ୍ କରୁଛି। ସମସ୍ତ ଲଗ୍ ବୁକ୍ ଯାଞ୍ଚ କରାଯାଉଛି। ସେ କହିଛନ୍ତି ତଦନ୍ତ ରିପୋର୍ଟ ଉପଲବ୍ଧ ନହେବା ପର୍ଯ୍ୟନ୍ତ ଅନୁମାନକୁ ଏଡାଇ ଦିଆଯିବା ଉଚିତ ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପାଖରେ ଲୁଚାଇବା ପାଇଁ କିଛି ନାହିଁ। ସେ କହିଛନ୍ତି, ଏହି ତଦନ୍ତ ସମସ୍ତ ରାଜନୈତିକ ନେତାଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମହା ବିକାଶ ଅଘାଡ଼ି ବୈଠକରେ ଏନ୍‌ସିପି (ଏସ୍‌ପି) ନେତାଙ୍କ ଅନୁପସ୍ଥିତି ଆଲୋଚନାର ବିଷୟ ପାଲଟିଛି। ବିରୋଧୀ ଦଳ ସରକାରଙ୍କ ଚା' ପାର୍ଟିକୁ ମଧ୍ୟ ବୟକଟ କରିଛି । ଆଶା କରାଯାଉଛି, ଅଧିବେଶନ ସମୟରେ ବିମାନ ଦୁର୍ଘଟଣା ପ୍ରସଙ୍ଗ ଜୋରଦାର ଉଠିବ। ସରକାର ପୁଣି ଥରେ କହିଛନ୍ତି, ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ସୁନିଶ୍ଚିତ କରାଯିବ।


---