କନକ ବ୍ୟୂରୋ:  ମାଲକାନଗିରି ସ୍ୱାଭିମାନ ଅଂଚଳରେ ଲଣ୍ଡା ପାହାଡ଼ ବନୀକରଣ ନାଁରେ ହେକ୍ଟର ହେକ୍ଟର ପାହାଡ଼ିଆ ଢେଫ ଜମିରେ ବୃକ୍ଷରୋପଣ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ହାତ ଗଣତି କିଛି ଗଛ ଲଗାଇ ପୁରା ଅର୍ଥକୁ ବନ କର୍ମଚାରୀ ହରିଲୁଟ୍‌ କରୁଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ହିତାଧିକାରୀଙ୍କ ଜମା ଖାତାକୁ ଟଙ୍କା ପଠାଇ ପୁଣି ସେଇ ଟଙ୍କା ବନ କର୍ମଚାରୀ ଆଦାୟ କରୁଥିବା ନେଇ ଖବର ପ୍ରସାରଣ ପରେ ମଧ୍ୟ ଚୁପ୍‌ ବନ ବିଭାଗ । ତେବେ କେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ତାକୁ ଅପେକ୍ଷା। 

Advertisment

 ଭଲ କରି ଦେଖନ୍ତୁ ଏହି ସୂଚନା ଫଳକଟିକୁ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଲାଗି କାମ୍ପା ଯୋଜନାରେ ବନ ବିଭାଗ ବହୁ ପ୍ରକଳ୍ପ ହାତକୁ ନେଇଥିବା ଉଲ୍ଲେଖ ରହିଛି। ହେଲେ ସୂଚନା ଫଳକ ଏବଂ ବାସ୍ତବତା ସଂପୂର୍ଣ୍ଣ ଓଲଟା। ଫଳକରେ ପ୍ରକଳ୍ପର ଅଟକଳ ମୁଲ୍ୟ ଲେଖା ନାହିଁ। ପାପେରମେଟଲା ପଞ୍ଚାୟତ ଅନ୍ତର୍ଗତ ଜାମଯୋଡ଼ି ଗାଁ ନିକଟସ୍ଥ ୧୦ହେକ୍ଟର ପାହାଡ଼ି ଜମିରେ ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ୧୬ ହଜାର ଗଛ ଲଗାଯାଇଛି। ଜାଫ୍ରା, ବିଜା, ଚମ୍ପା, ପଣସ, ପିଜୁଳି, ଅଁଳା, ଜାମୁକୋଳି ଆଦି ଗଛ ଲାଗିଥିବା ଫଳକ କହୁଛି। ବାସ୍ତବରେ ହଜାରରୁ ଦେଢ଼ ହଜାର ଗଛ ଲାଗିଥିବା ସ୍ଥାନୀୟ ଅଧିବାସୀ କହୁଛନ୍ତି। ଆଉ ହିତାଧିକାରୀଙ୍କ ଅଜାଣତରେ ତାଙ୍କ ଜମାଖାତାକୁ ୫ରୁ ୨୦ହଜାର ଟଙ୍କା ଆସୁଛି, ଆଉ ବନବିଭାଗର କର୍ମଚାରୀମାନେ ଚଞ୍ଚକତା କରି ହିତାଧିକାରୀଙ୍କ ଠାରୁ ଆଦାୟ କରି ନେଉଥିବା ଅଭିଯୋଗ କରିଥିଲେ ଶ୍ରମିକ। 

ଅଧିକ ପଢନ୍ତୁ: ମାଲକାନଗିରି ବଣ୍ଡାଘାଟିରେ କାହିଁକି ସରୁନି ପ୍ରଧାନମନ୍ତ୍ରୀ ଧନମନ ଯୋଜନାରେ ଆବାସ ନିର୍ମାଣ, ସାମ୍ନାକୁ ଆସିଲା ସାଂଘାତିକ ସତ

କାମ୍ପା ଯୋଜନାରେ ହିତାଧିକାରୀଙ୍କ ଜମା ଖାତା ମାଧ୍ୟମରେ ବନ କର୍ମଚାରୀ ଅର୍ଥ ହରିଲୁଟ କରିବା ଖବର କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା। ତଥାପି ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବନ ବିଭାଗ। ମିଳିଥିବା ସୂଚନା ଅନୁସାରେ,  କାମ୍ପା ଯୋଜନାରେ ଚିତ୍ରକୋଣ୍ଡା ବନାଞ୍ଚଳରେ ୨୦୨୪-୨୫ ଆର୍ଥିକ ବର୍ଷରେ ଲକ୍ଷ ଲକ୍ଷ ବୃକ୍ଷରୋପଣ ହୋଇଛି। ସଂପୂର୍ଣ୍ଣ ମାଲକାନଗିରି ଜିଲ୍ଲାରେ ଶହ ଶହ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ବୃକ୍ଷ କଟା ବାବଦକୁ ୪୬୩ ହେକ୍ଟର ଜମିରେ ବନୀକରଣ ପାଇଁ ୧୭ କୋଟି ମଞ୍ଜୁର ହୋଇଛି। ତେବେ ଏହି କାମ୍ପା ଯୋଜନାରେ କେମିତି ହୁଏ ବୃକ୍ଷରୋପଣ? ଆଉ କେମିତି ହୁଏ ସରକାରୀ ଅର୍ଥ ହରିଲୁଟ୍‌? ତାହା ସ୍ୱାଭିମାନ ଅଞ୍ଚଳର ଜାମଯୋଡି ପ୍ରକଳ୍ପ ଏକ ମାତ୍ର ଉଦାହରଣ ।