କନକ ବ୍ୟୁରୋ : କନକ ନ୍ୟୁଜ୍‌ର ମହାପ୍ରଭାବ,ପୁରୀରେ ବେଆଇନ ହୋମ୍‌ ଷ୍ଟେକୁ ପ୍ରଶାସନର ନୋଟିସ୍ । ପ୍ରଥମ ପର୍ଯ୍ୟାୟରେ ୮ଟି ଲଜ୍‌କୁ କାରଣଦର୍ଶାଅ ନୋଟିସ୍ ହୋଇଛି । ଆଗକୁ ବି ଏ ପ୍ରକ୍ରିୟା ଜାରି ରହିବ ବୋଲି କହିଛି ପ୍ରଶାସନ । ଶ୍ରୀମନ୍ଦିର ଚାରିପାଖ ହେଉ କି ବଡ଼ଦାଣ୍ଡ, ପୁରୀରେ ବେଆଇନ ଭାବେ ଗଢ଼ିଉଠିଛି ମାଳମାଳ କମର୍ସିଆଲ ହୋମ୍‌ ଷ୍ଟେ । ସୂଚନା ଅନୁଯାୟୀ ବର୍ଷକ ଭିତରେ ୨୭୦୦ ଆବାସିକ କୋଠା ବ୍ୟାବସାୟିକ କୋଠାରେ ରୂପାନ୍ତରିତ ହୋଇଛି । ଏ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌କୁ ଆସିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ୮ଟି ବେଆଇନ ଲଜିଂ ମାଲିକଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ଆଗକୁ ମଧ୍ୟ ଅନ୍ୟମାନଙ୍କୁ ନୋଟିସ୍ କରାଯିବ ବୋଲି ପୌର ଅଧିକାରୀ କହିଛନ୍ତି ।

Advertisment

୮୦ ପ୍ରତିଶତ ବେଆଇନ ଲଜିଂରେ ସୂଚନା ଫଳକ ନାହିଁ । ୫ ବଖରା ଘର ଥିଲେ ୨ ବଖରାକୁ ରଖି ବାକି ୩ ବଖରାକୁ ଷ୍ଟେ ହୋମ୍ କରୁଛନ୍ତି ମାଲିକ । ଅନେକ ମାଲିକ ନିଜ ଘରେ ରୋଷେଇ କରି ଖାଇବାକୁ ବି ଦେଉଛନ୍ତି । ପ୍ରଶାସନ କିମ୍ବା ପୁଲିସ ପାଖରେ ତଥ୍ୟ ରହୁ ନଥିବାରୁ ଅପରାଧିକ କାର୍ଯ୍ୟକଳାପ ବଢ଼ିବା ଆଶଙ୍କା ରହିଛି । ଅନେକଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ବେଳେ କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ, ସେ ନେଇ ଉଠିଛି ପ୍ରଶ୍ନ । ଅଟୋ ଚାଳକଙ୍କ ପାଖରେ ଲଜିଂର ଯେତିକି ହିସାବ ଅଛି, ତାର ଅଧା ହିସାବ ବି ନାହିଁ ପୁଲିସ କି ପୌରସଂସ୍ଥା ପାଖରେ । ଏଥିରେ ପୌରସଂସ୍ଥା କେବଳ ରାଜସ୍ବ ହରାଉଛି ତା ନୁହେଁ, ବରଂ ସହର ପ୍ରତି ବି ବଡ଼ ବିପଦ ସୃଷ୍ଟି ହେଉଛି ।

ଅଧିକ ପଢ଼ନ୍ତୁ---ପର୍ଯ୍ୟଟକଙ୍କ ମନ ମୋହୁଛି ଗାରିଆ ଡୁଡ଼ୁମା, ବର୍ଷ ତମାମ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼