POLLYGAMY MARRIAGE Photograph: (Kanak News)
କନକ ବ୍ୟୁରୋ: ସରକାର ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ଦୃଷ୍ଟିରେ ରଖି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ବହୁବିବାହ ପ୍ରଥାକୁ ନିଷିଦ୍ଧ କରିବା ପାଇଁ ଏକ ନୂଆ ଆଇନ ଅଣାଯାଉଛି । ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୌଣସି ମହିଳା ଯେପରି ଦୁଇଟି ବିବାହ କିମ୍ବା ପ୍ରତାରଣା ଯୋଗୁଁ ସାମାଜିକ କିମ୍ବା ଆର୍ଥିକ କଷ୍ଟ ନ ଭୋଗନ୍ତି, ତାହା ସୁନିଶ୍ଚିତ କରିବା । ତେବେ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ରୋକିବାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ।
ଏହି ନିଷ୍ପତ୍ତି ଅଧୀନରେ ଆସାମ ବହୁବିବାହ ନିଷେଧ ବିଲ୍, ୨୦୨୫କୁ ଅନୁମୋଦନ କରାଯାଇଛି । ଆସାମ ସରକାର ଏହି ବିଲ୍ କୁ ନଭେମ୍ବର ୨୫ରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଆଇନ ନାରୀର ସମ୍ମାନ ଓ ସାମାଜିକ ସମାନତା ଦିଗରେ ଏକ ବଡ଼ ପଦକ୍ଷେପ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହି ଆଇନ ଅଧୀନରେ ଯଦି କୌଣସି ବ୍ୟକ୍ତି ଏକାଧିକ ବିବାହ କରେ, ତେବେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଯିବାକୁ ପଡ଼ିପାରେ। ତେବେ, ଷଷ୍ଠ ଅନୁସୂଚୀ କ୍ଷେତ୍ରରେ (ଯେଉଁଠାରେ ବିଶେଷ ଆଦିବାସୀ ଆଇନ ଲାଗୁ ହୁଏ) କିଛି ବ୍ୟତିକ୍ରମ ରହିବ।
ଆହୁରି ପଢନ୍ତୁ... ସଞ୍ଜୁ ସାମ୍ସନ୍ଙ୍କ ଉପରେ ଚେନ୍ନାଇର ନଜର ! ସାମ୍ସନ୍ଙ୍କ ପାଇଁ ବଡ଼ ଖେଳାଳିଙ୍କୁ ଛାଡ଼ିପାରେ CSK
ଏହା ବ୍ୟତୀତ, ସରକାର ବହୁବିବାହ ଦ୍ୱାରା ପୀଡ଼ିତ ମହିଳାମାନଙ୍କ ପାଇଁ ଏକ ନୂଆ କ୍ଷତିପୂରଣ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଫଳରେ ଏହି ମହିଳାମାନେ ସମ୍ମାନଜନକ ଭାବରେ ନିଜ ଜୀବନ ବଞ୍ଚାଇ ପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ହେଉଛି କୌଣସି ମହିଳା ଯେପରି ଦୁଇଟି ବିବାହ କିମ୍ବା ପ୍ରତାରଣା ଯୋଗୁଁ ସାମାଜିକ କିମ୍ବା ଆର୍ଥିକ କଷ୍ଟ ନ ଭୋଗନ୍ତି, ତାହା ସୁନିଶ୍ଚିତ କରିବା ।
ଆସାମ ସରକାର କହିଛନ୍ତି ଯେ ଏହି ଆଇନର ଉଦ୍ଦେଶ୍ୟ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ଟାର୍ଗେଟ କରିବା ନୁହେଁ, ବରଂ ସମାଜରେ ମହିଳାମାନଙ୍କ ପ୍ରତି ନ୍ୟାୟ ଓ ସମାନତା ସୁନିଶ୍ଚିତ କରିବା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆସାମ ବହୁବିବାହ ନିଷେଧ ବିଲ୍, ୨୦୨୫ ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯେଉଁମାନେ ଏକାଧିକ ବିବାହ କରନ୍ତି ଓ ମହିଳାମାନଙ୍କ ଅଧିକାରର ଉଲ୍ଲଂଘନ କରନ୍ତି । ସେ ଏହାକୁ ଏକ ସାମାଜିକ ସୁଧାରର ପଦକ୍ଷେପ ବୋଲି କହିଛନ୍ତି ଓ କହିଛନ୍ତି ଯେ ରାଜ୍ୟକୁ ଏପରି ପ୍ରଥାର "ଅଭିଶାପ" ରୁ ମୁକ୍ତ କରିବା ଜରୁରୀ।
ଆହୁରି ପଢନ୍ତୁ... ଦିବ୍ୟାଙ୍ଗଙ୍କ ଦରଦ ବୁଝିଲେ ABD; ହ୍ୱିଲ୍ ଚେୟାରରେ କ୍ରିକେଟ୍ ଖେଳି ପୁଣି ହୃଦୟ ଜିତିଲେ
କ୍ୟାବିନେଟ୍ ବୈଠକରେ ବହୁବିବାହ ଆଇନ ସହିତ ଆହୁରି ଅନେକ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସରକାର ରଙ୍ଗମହଲ, ଉତ୍ତର ଗୁଆହାଟୀରେ ୪୭୮.୭୮ କୋଟି ଟଙ୍କା ବ୍ୟୟରେ ଆଧୁନିକ ନ୍ୟାୟିକ ଟାଉନସିପର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ କରିଛନ୍ତି। ଏହା ବ୍ୟତୀତ, ଆସାମ ଷ୍ଟାର୍ଟଅପ୍ ଓ ନବସୃଜନ ନୀତି ୨୦୨୫-୩୦କୁ ମଧ୍ୟ ସ୍ୱୀକୃତି ଦିଆଯାଇଛି । ଏହି ନୀତିର ଉଦ୍ଦେଶ୍ୟ ହେଉଛି ଆସନ୍ତା ୫ ବର୍ଷରେ ଆସାମକୁ ଭାରତର ଅଗ୍ରଣୀ ଉଦ୍ୟମିତା ଓ ନବସୃଜନ କେନ୍ଦ୍ର କରିବା, ଯାହା ପାଇଁ ୩୯୭ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଆସାମକୁ ଆର୍ଥିକ ଓ ସାମାଜିକ ଭାବରେ ଶକ୍ତିଶାଳୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ ।
Follow Us