ଆଇଏସ୍‌ଆଇ ସହ ସମ୍ପୃକ୍ତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପରେ ମଧ୍ୟ କଂଗ୍ରେସ ହାଇକମାଣ୍ଡ ଗୌରବ ଗୋଗୋଇଙ୍କୁ ପ୍ରଦେଶ ମୁଖ୍ୟ ଭାବେ ନିଯୁକ୍ତି ଦେବାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ହିମନ୍ତଙ୍କ ଭଳି ଜଣେ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଗୌରବଙ୍କ ଭଳି ଯୁବନେତାଙ୍କୁ ମଇଦାନରେ ଓହ୍ଲାଇବା ବ୍ୟତୀତ କଂଗ୍ରେସ ପାଖରେ ଅନ୍ୟ ବିକଳ୍ପ ନଥିଲା ।

Advertisment
gogoi
gogoi Photograph: (google)

ନ୍ୟୁୟର୍କ ବିଶ୍ବବିଦ୍ୟାଳୟରୁ ଲୋକ ପ୍ରଶାସନ ବା ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତକୋତ୍ତର କରିଥିବା ଗୌରବ କାଲିଆବୋର ଆସନରୁ ୨୦୨୪ ଓ ୨୦୨୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଲୋକସଭାରେ କଂଗ୍ରେସର ଉପନେତା ହିସାବରେ କାର୍ଯ୍ୟ କରୁଥିବା ଗୌରବ ବିଜେପିର ଅନେକ ଚେଷ୍ଟା ସତ୍ତ୍ବେ ୨୦୨୪ ରେ ଜୋରାହାଟରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଜଣେ ଭଲ ବକ୍ତା ଭାବେ ଗୌରବ କେନ୍ଦ୍ରର ମୋଦୀ ସରକାରଙ୍କୁ ଘେରିବାକୁ ସୁଯୋଗ ହାତଛଡା କରନ୍ତି ନାହିଁ । ଲଗାତାର ଦୁଇଟି ବିଧାନସଭା ନିର୍ବାଚନ ହାରିବା ପରେ କଂଗ୍ରେସ ବିଧାୟକ  ଓ କର୍ମୀମାନେ ଦଳ ଛାଡି ବିଜେପିରେ ଯୋଗ ଦେଉଥିଲେ । ଗୌରବ ଏହାକୁ ରୋକିବା ସହ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ଭଲ ଟକ୍କର ଦେଇପାରିବେ ବୋଲି କଂଗ୍ରେସ ଆଶା ରଖିଛି । 

ମାତ୍ର ନୂଆ ନିଯୁକ୍ତି ଗୌରବଙ୍କ ପାଇଁ ଏତେ ସହଜ ହୋଇନପାରେ । ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣୁଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ଏବେ ଆକ୍ରମଣକୁ ଆହୁରି ଶାଣିତ କରିପାରନ୍ତି । ଏହାଛଡା ନିକଟରେ ହୋଇଥିବା ସ୍ଥାନୀୟ ନଗର ପାଳିକା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳୀୟକର୍ମୀଙ୍କ ମନୋବଳକୁ ସର୍ବନିମ୍ନ କରିଛି । ଏଭଳି ସ୍ଥିତିରେ ଆସାମରୁ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ତରୁଣ ଗୋଗୋଇଙ୍କ ପୁଅ ଗୌରବଙ୍କ ପାଇଁ ଆଗାମୀ ନିର୍ବାଚନ ଆହ୍ବାନପୂର୍ଣ୍ଣ ହେବ ।