କନକ ବ୍ୟୁରୋ : ସ୍କୁଲକୁ ମଣିଷ ତିଆରି କାରଖାନା କୁହାଯାଏ । ଛୋଟ ଛୋଟ ପିଲାମାନେ ଏଇଠୁ ଅ, ଆ... ଶିଖନ୍ତି । ସ୍କୁଲ ହିଁ ପିଲାଙ୍କ ପାଇଁ ପ୍ରାଥମିକ ଶିକ୍ଷାର କେନ୍ଦ୍ରସ୍ଥଳ । ଏଣୁ ବିଦ୍ୟାଳୟର ପରିବେଶ ପିଲାଙ୍କ ପାଇଁ ବେଶ୍‌ ଗୁରୁତ୍ବ ବହନ କରେ । ପିଲାଙ୍କ ମାନସିକତାକୁ ପ୍ରଭାବିତ କରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବକ୍ସିବାରିଗାଁ ପଞ୍ଚାୟତ ଓସ୍ତପଙ୍ଗା ଗ୍ରାମ ଗୋଳିଆନାଳି ସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ବଦଳିଛି ରୂପ । ବିଦ୍ୟାଳୟ ଆଗରେ ଫୁଲବଗିଚା । ପାଚେରିରେ ମହାପୁରୁଷ, ଆଦିବାସୀ ପରମ୍ପରା, କ୍ରୀଡ଼ାବିତ୍‌, ପର୍ଯ୍ୟଟନସ୍ଥଳ ଓ ବିଭିନ୍ନ ମନ୍ଦିରର ଚିତ୍ର । ପାଠାଗାରରେ ରହିଛି ବିଭିନ୍ନ ପ୍ରକାରର ପୁସ୍ତକ । ଏ ହେଉଛି ହରିଚନ୍ଦନପୁର ବ୍ଲକସ୍ଥିତ ନିଆରା ବିଦ୍ୟାଳୟ । ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେଉଛି । ଦୁର୍ଗମ ଅଞ୍ଚଳର ଏହି ଆଦର୍ଶ ବିଦ୍ୟାଳୟର ସୌନ୍ଦର୍ଯ୍ୟ ଯେମିତି, ପାଠପଢ଼ା ମଧ୍ୟ ସେମିତି । ୨୦୧୪ ମସିହାରେ ସ୍ଥାପିତ ହୋଇଛି ଏହି ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଛନ୍ତି ୪୧ ଜଣ । ଶିକ୍ଷାଦାନ ପାଇଁ ଅଛନ୍ତି ଦୁଇ ଜଣ ଶିକ୍ଷକ । 

Advertisment

ସ୍କୁଲକୁ ସବୁଦିନିଆ ରାସ୍ତା ନଥିଲେ ବି ଏଠାକାର ସୌନ୍ଦର୍ଯ୍ୟୀକରଣ, ଶୈକ୍ଷିକ ପରିବେଶ ବେଶ୍‌ ଚମତ୍କାର ହୋଇଛି ।  ବିଦ୍ୟାଳୟ ପରିସରରେ ବଗିଚା ନିର୍ମାଣ କରାଯିବା ସହ କଂକ୍ରିଟ ବେଞ୍ଚ ପକାଯାଇଛି । ଶ୍ରେଣୀଗୃହରେ ଟେରାକୋଟା ସହ ଶୈକ୍ଷିକ ବାତାବରଣ ପାଇଁ ବିଭିନ୍ନ ଚିତ୍ର କରାଯାଇଛି । ସ୍କୁଲରେ ଏକ ପାଠାଗାର ମଧ୍ୟ ରହିଛି । ଏଠାରେ ବିଭିନ୍ନ ଖବର କାଗଜ, ମାଗାଜିନ ଓ ପୁସ୍ତକ ରଖାଯାଇଛି । ଶ୍ରେଣୀଗୃହ ଭିତରେ ଓ ବାହାରେ ସଚେତନତାଧର୍ମୀ ସ୍ଲୋଗାନ ଲେଖାଯିବା ସହ ଶିକ୍ଷଣ ସାମଗ୍ରୀ ରଖାଯାଇଛି । ଯାହା ପିଲାଙ୍କୁ ସ୍କୁଲକୁ ଆସିବାକୁ ଆକୃଷ୍ଟ କରୁଛି । 

ଅଧିକ ପଢ଼ନ୍ତୁ---ସ୍ୱାବଲମ୍ବୀ ହେବେ କେନ୍ଦୁପତ୍ର ତୋଳାଳି ; ଦକ୍ଷ ହେବାପାଇଁ ଦିଆଯିବ ତାଲିମ

ପ୍ରଧାନଶିକ୍ଷକ ସରୋଜ କୁମାର ବେହେରା ଯୋଗଦାନ କରିବା ପରେ ବିଦ୍ୟାଳୟର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି ସ୍କୁଲର ଅଧିକାଂଶ ଛାତ୍ରଛାତ୍ରୀ ଆଦିବାସୀ ଶ୍ରେଣୀର । ତେବେ ୨୦୨୩ରୁ ଏଯାଏଁ ଏହି ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଉଭୟ ଶିକ୍ଷକଙ୍କ ଗୁଣାତ୍ମକ ଶିକ୍ଷାଦାନ ଯୋଗୁଁ ଆଖପାଖ ଗାଁରୁ ଛାତ୍ରଛାତ୍ରୀ ଏଠାକୁ ପାଠ ପଢ଼ିବାପାଇଁ ଆସୁଛନ୍ତି । ଅନନ୍ୟ ସୌନ୍ଦର୍ଯ୍ୟୀକରଣ ଓ ଶିକ୍ଷାଦାନର ଶୈଳୀ ପାଇଁ ଏହି ସ୍କୁଲ୍ ଏବେ ବ୍ଲକ୍‌ର ଅନ୍ୟ ସ୍କୁଲ ପାଇଁ ପାଲଟିଛି ଉଦାହରଣ । ଆଉ ବିଦ୍ୟାଳୟର ସାଜସଜ୍ଜା ଦେଖି ଅଭିଭାବକ କହୁଛନ୍ତି ସ୍କୁଲ ହେବ ତ ଏମିତି ।