କନକ ବ୍ୟୁରୋ : ଦକ୍ଷ ହେବେ କେନ୍ଦୁପତ୍ର ତୋଳାଳି । କେନ୍ଦୁ ପତ୍ର ତୋଳାଳି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବ ବନ ବିଭାଗ । ୨୦୨୧ଠାରୁ ୨୦୨୪ ଆର୍ଥିକ ବର୍ଷରେ ପ୍ରାଣ ହରାଇଥିବା କେନ୍ଦୁପତ୍ର ତୋଳାଳିଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗକୁ କେନ୍ଦୁ ପତ୍ର ତୋଳାଳିଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ଆହୁରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ସରକାର । ଇତି ମଧ୍ୟରେ କେନ୍ଦୁ ପତ୍ର ତୋଳାଳିଙ୍କୁ ମିଳିଛି ମୃତ୍ୟୁକାଳୀନ ସହାୟତା । ୨ ଲକ୍ଷ ଟଙ୍କା ସହାୟତା ପାଇଛନ୍ତି ଉତ୍ତରାଧିକାରୀ । ମାଲକାନଗିରି ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ କେନ୍ଦୁ ପତ୍ର ଉପରେ ନିର୍ଭର କରି ନିଜ ଜୀବିକା ନିର୍ବାହ କରନ୍ତି । ତୋଳାଳି, ବନ୍ଧେଇ ଶ୍ରମିକ ଏବଂ ସାମୟିକ କର୍ମଚାରୀ ମାନେ ଅନେକ ଘଟଣା ଦୁର୍ଘଟଣାର ତଥା ବିଭିନ୍ନ ରୋଗରେ ପଡ଼ି ପ୍ରାଣ ମଧ୍ୟ ହରାନ୍ତି ।
ତେବେ ସେମାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କେନ୍ଦୁ ପତ୍ର ଶାଖା ପକ୍ଷରୁ ମୃତ୍ୟୁକାଳୀନ ଆର୍ଥିକ ସହାୟତା ବା ଇନସ୍ୟୁରାନ୍ସ ପ୍ରଦାନର ବ୍ୟବସ୍ଥା ରହିଛି । ଏହି କ୍ରମରେ ୨୦୨୧ ଠାରୁ ୨୦୨୪ ଆର୍ଥିକ ବର୍ଷରେ ପ୍ରାଣ ହରାଇଥିବା ୧୪୫ ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ୨ ଲକ୍ଷେ ଲେଖାଏଁ, ଅର୍ଥାତ କେନ୍ଦୁ ପତ୍ର କଲ୍ୟାଣ ଟ୍ରଷ୍ଟ ପାଣ୍ଠିରୁ ଏକାକାଳୀନ ୨ କୋଟି ୯୦ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଜମା ଖାତାକୁ ପୈଠ କରିଛି ଜୟପୁର କେନ୍ଦୁ ଲିଫ୍ ଡିଭିଜନ୍ । ବିଧାୟକ ନରସିଂହ ମାଡକାମି ବଟନ ଟିପି ଏହି ଟଙ୍କା ହିତାଧିକାରୀଙ୍କ ଜମା ଖାତାକୁ ପଠାଇଛନ୍ତି ।
ଅଧିକ ପଢ଼ନ୍ତୁ---ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ ; ୨୭ରେ ବସିବ ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ
ଏଣିକି କେନ୍ଦୁ ପତ୍ର ତୋଳାଳିଙ୍କୁ ତାଲିମ ପ୍ରଦାନ କରିବ ବିଭାଗ । କେନ୍ଦୁ ପତ୍ର ତୋଳାଳିଙ୍କ ଆର୍ଥିକ ତଥା ସାମାଜିକ ବିକାଶ ଲାଗି ବ୍ୟାପକ ପଦକ୍ଷେପ ହାତକୁ ନେଇଛି କେନ୍ଦୁ ପତ୍ର ବିଭାଗ । କେନ୍ଦୁ ପତ୍ର ତୋଳାଳିଙ୍କୁ ଜୋତା, ଟୋପି, ପାଣି ବୋତଲ ସହ ଅଖା ବାବଦକୁ ପ୍ରତି ବର୍ଷ ୫୦୦ ରୁ ଅଧିକ ଟଙ୍କା ହିତାଧିକାରୀଙ୍କ ଜମା ଖାତାରେ ପ୍ରଦାନ କରାଯାଉଛି । ଏଥି ସହ ବଜାରରୁ ଅଧିକ ଦରରେ କେନ୍ଦୁ ପତ୍ର କ୍ରୟ ସହ ବୋନସର ମଧ୍ୟ ବ୍ୟବସ୍ଥା ରହିଛି । ଗତ ୨୦୨୬-୧୭ ଓ ୨୦୧୭-୧୮ ବର୍ଷରେ କେନ୍ଦୁ ପତ୍ର ହିତାଧିକାରୀଙ୍କ ପିଲାଙ୍କୁ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ପିଜି ଓ ଏମବିବିଏସ ପାଠ ପଢ଼ା ଲାଗି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ୍ ପ୍ରଦାନ କରାଯାଉଥିଲା । ୨ ବର୍ଷ ପରେ ଏହି ଯୋଜନାକୁ ବନ୍ଦ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ଯୋଡ଼ା ଯାଇଥିବା ଜଣାପଡ଼ିଛି । ଆଉ ଏବେ କେନ୍ଦୁ ପତ୍ର ହିତାଧିକାରୀ ତଥା ପରିବାର ସଦସ୍ୟଙ୍କୁ ଦକ୍ଷତା ତାଲିମ ପ୍ରଦାନ ଲାଗି ବାଲିମେଳା ଠାରୁ ଏକ ସ୍ୱତନ୍ତ୍ର ସ୍କିଲ ଡେଭଲପେମଣ୍ଟ ସେଣ୍ଟର ନିର୍ମାଣ କରାଯାଉଥିବା ସୂଚନା ଦେଇଛନ୍ତି କେନ୍ଦୁ ଲିଫ୍ ଡିଏଫ୍ଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/24/kendupatra-2025-12-24-16-04-28.jpg)