କନକ ବ୍ୟୁରୋ;  ରାଜ୍ୟରେ ଶିକ୍ଷାର ଅବସ୍ଥା ବିଗିଡ଼ାବାରେ ଲାଗିଛି । କେତବେଳେ ଭିତ୍ତିଭୂମ ଅସଜଡ଼ା ତ’ ଆଉ କେବେ ଶିକ୍ଷକ ଅଭାବ । ଏମିତି ଅନେକ ସ୍କୁଲ୍‌ ମଧ୍ୟରୁ ଗୋଟିଏ କଟକ ଜିଲ୍ଲା ନରସିଂହପୁର ଯନ୍ତାରିଆ ପ୍ରାଥମିକ ବିଦ୍ୟାଳୟର। କିଛି ଦିନ ତଳେ ବିଦ୍ୟାଳୟରୁ ତାଲା ଭାଙ୍ଗି ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଖବର ପ୍ରସାରଣ ହୋଇଥିଲା କନକ ନ୍ୟୁଜ୍‌ରେ। ଏମିତି ସମସ୍ୟା ଦେଇ ଗତି କରୁଛି ବିଦ୍ୟାଳୟ । ଛାତ ନାହିଁ, ପିଇବା ପାଣି ନାହିଁ, ଶୌଚାଳୟ ବି ବ୍ୟବସ୍ଥା ନାହିଁ। ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

Advertisment

ଅଧିକ ପଢନ୍ତୁ:  ମାଧ୍ୟମିକ ଶିକ୍ଷା ପରିଷଦକୁ ପୂରିଲା ୭୦ ବର୍ଷ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଥିବା ବୋର୍ଡର ଭବିଷ୍ୟତ କିନ୍ତୁ ଅନ୍ଧାର

ଗୋଟିଏ ପଟେ ଟିଣ ଛପର ଅଛି, ଆଉ ଗୋଟିଏ ପୁରା ଖୋଲା। ଏଇ ଦର ଭଙ୍ଗା ଘରେ ପିଲା ବସିଛନ୍ତି, ଶିକ୍ଷୟିତ୍ରୀ ପଢ଼ାଉଛନ୍ତି ପାଠ । ଶିକ୍ଷାର ଏ ଅଭାବନୀୟ ଦୃଶ୍ୟ ହେଉଛି ନରସିଂହପୁର ବ୍ଲକ ଯନ୍ତାରିଆ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର। ବାତ୍ୟାରେ ଟିଣ ଛପର ଉଡ଼ିଯିବା ପରେ ୨ ବର୍ଷରୁ ଅଧିକ ସମୟ ହେଲାଣି ଏମିତି ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ। ଖରା, ବର୍ଷା, ଶୀତ ସହି ଖୋଲା ଆକାଶ ତଳେ ନିଜ ଭିବଷ୍ୟତ ଗଢ଼ୁଛନ୍ତି । 

୧୯୭୮ରେ ସ୍ଥାପିତ ହୋଇଥିଲା ଏହି ପ୍ରାଥମିକ ବିଦ୍ୟାଳୟ ଚାରିପଟେ ପାଚେରୀ ନାହିଁ । ମଦ୍ୟପମାନେ ଆଡ୍ଡା ଜମାଉଛନ୍ତି। ବୁଲା ଗାଈଗୋରୁ ପଶୁଛନ୍ତି । ଦୁଃଖ ସେତିକିରେ ସରିନି । ପାନୀୟ ଜଳର ସୁବିଧା ନାହିଁ, ପାଣି ପିଇବାକୁ ଛାତ୍ରଛାତ୍ରୀଙ୍କୁ ଘରକୁ ଆସୁଛନ୍ତି । ଶୌଚାଳୟ ବି ନାହିଁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବାକୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ । ଗାଁ ଲୋକ ଦ୍ବାରା ଏନେଇ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ ଫଳ ଆପଣଙ୍କ ସାମନାରେ । ପିଲା ଯନ୍ତ୍ରଣାରେ, ପ୍ରଶାସନ ନିଘୋଡ଼ ନିଦ୍ରାରେ !


ସରକାର ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ କୋଟିକୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ବିଦ୍ୟାଳୟର ଏ ସ୍ଥିତି ପଚାରୁଛି, ଅଭିଯୋଗ ପରେ ବି କାହିଁକି ଚୁପ୍‌ ଶିକ୍ଷା ବିଭାଗ? କେଉଁ ଆଡ଼େ ଯାଉଛି ସରକାରୀ ଟଙ୍କା? କିଏ କରୁଛି ବାଟମାରଣା? ତୁରନ୍ତ ଯନ୍ତାରିଆ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସୁଧାରିବା ଦିଗରେ ପଦକ୍ଷେପ ନନେଲେ ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଗାଁ ଲୋକ ।