କନକ ବ୍ୟୁରୋ:   ଭକ୍ତିରସରେ ଭିଜିଲା ଭକ୍ତମନ.. ଭକ୍ତପ୍ରାଣ । ଜଗାପ୍ରେମରେ ଖେଳିଗଲା ଅପୂର୍ବ ଶିହରଣ । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ‘ଚକଲେଟ ପ୍ରଡକ୍ସନ୍‌ସ’ର ବହୁଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶୈଳ’। କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ କାହାଣୀ ଉପରେ ଆଧାରିତ ଏହି ନାଟକ ଦେଖି ବିମୋହିତ ହୋଇଛନ୍ତି ଦର୍ଶକ। ଜଗନ୍ନାଥ ସଂସ୍କୃତି, ଐତିହାସିକ ବିଷୟବସ୍ତୁ ତଥା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୩ତମ ସୋ'ର ଉଦଘାଟନ କରିଛନ୍ତି ।

Advertisment

ଅଧିକ ପଢନ୍ତୁ:  ପୁଣି ବିବାଦରେ ସୋନା ମହାପାତ୍ର : ‘ଆହେ ନୀଳ ଶୈଳ’ ଗୀତ ଗାଇ ପଡିଲେ ଅଡୁଆରେ, ଟୁଇଟ୍ କରି ବିରୋଧ କଲେ ପିଙ୍କି ପ୍ରଧାନ


ମହାପ୍ରଭୁଙ୍କ ମାନରକ୍ଷା ଲାଗି ଗଜପତି ରାମଚନ୍ଦ୍ର ଦେବଙ୍କୁ କିଭଳି କଷ୍ଟ ସହିବାକୁ ପଡ଼ିଥିଲା ଏବଂ ଯୁଦ୍ଧରେ ମୋଗଲ ସେନାକୁ ପରାସ୍ତ କରି ପାତଳୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଭଳି ଶ୍ରୀମନ୍ଦିରକୁ ଫେରାଇ ଆଣିଥିଲେ, ତାହା ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି ନାଟକ ଆହେ ନୀଳ ଶଇଳରେ। କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ନୀଳଶୈଳ ଦ୍ୱାରା ଅନୁପ୍ରେରିତ ଏହି ନାଟକକୁ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡକ୍ଟର ପ୍ରତିମା ହୋତା । ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ । 
 
 ଏହି ନାଟକ ଜରିଆରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବାକୁ ଉଦ୍ୟମ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ତଥା ରାଜ୍ୟ ବାହାରେ ଆହେ ନୀଳ ଶଇଳର ୩୨ଟି ସୋ ଅନୁଷ୍ଠିତ ହୋଇସାରିଲାଣି। ତଥାପି ନାଟକ ଦେଖିବା ପାଇଁ ଦର୍ଶକଙ୍କ ମନରେ ଢେର ଉତ୍କଣ୍ଠା ରହିଛି ।