ପୁଣି ବିବାଦରେ ସୋନା ମହାପାତ୍ର : ‘ଆହେ ନୀଳ ଶୈଳ’ ଗୀତ ଗାଇ ପଡିଲେ ଅଡୁଆରେ, ଟୁଇଟ୍ କରି ବିରୋଧ କଲେ ପିଙ୍କି ପ୍ରଧାନ

74

କନକ ବ୍ୟୁରୋ : ପୁଣି ବିବାଦରେ ଗାୟିକା ସୋନା ମହାପାତ୍ର । ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’ ଗୀତକୁ ନେଇ ଏହି ବିବାଦ ଦେଖାଦେଇଛି । ‘ ଆହେ ନୀଳ ଶୈଳ’ ଗୀତକୁ ସୋନା ମହାପାତ୍ର କଦର୍ଥ କରିଥିବା ଅଭିଯୋଗ ହୋଇଛି । ସାଲବେଗଙ୍କ ରଚିତ ଏହି ଭଜନ କୋଟି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡିତ । ଏପରିକି ସୋନା ଏହି ଗୀତରେ ଅନେକ ଶବ୍ଦକୁ ମଧ୍ୟ ବିକୃତ କରିଥିବା ସାମ୍ନାକୁ ଆସିଛି । ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି ।

ସୋନାଙ୍କ ଏହି ଗୀତକୁ ବିରୋଧ କରିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ପିଙ୍କି ଏହାକୁ ନେଇ ଟ୍ୱିଟ ବି କରିଛନ୍ତି । ଗୀତକୁ କଦର୍ଥ ନ କରିବାକୁ ସେ ଟ୍ୱିଟରେ ଲେଖିଛନ୍ତି । ଗୀତକୁ ସୁଧାରିବାକୁ ସେ ଟ୍ୱିଟରରେ ସୋନାଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ରଙ୍ଗବତୀ ଓ ଏକ ସୁଫି ଗୀତକୁ ନେଇ ବି ବିବାଦରେ ରହିଥିଲେ ସୋନା ମହାପାତ୍ର ।

ପୂର୍ବରୁ ମଧ୍ୟ ବହୁଚର୍ଚ୍ଚିତ  ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ଆଧିନିକ ଶୈଳୀରେ ପରିବେଷଣ କରି ସୋନା ବିବାଦ ଘେରକୁ ଆସିଥିଲେ। ‘ରଙ୍ଗବତୀ..’ର ସ୍ବର ଓ ଭାଷାକୁ ସେ ବିକୃତ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି  ବୋଲି ଅଭିଯୋଗ ହୋଇଥିଲା। ଏଥିସହ ସେ  ‘ରଙ୍ଗବତୀ..’ର ମୂଳ ଗାୟକ ଓ .ଲେଖକଙ୍କ ଅନୁମତି ନେଇ ନ ଥିବାର ଅଭିଯୋଗ ମଧ୍ୟ ହୋଇଥିଲା।  ସୋନା ଜଣେ ଜଣାଶୁଣା ଗାୟିକା। ସେ ଦେଶବିଦେଶର ଅନେକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି । ଏଥିସହ ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କଣ୍ଠଦାନ କରିଛନ୍ତି।