କନକ ବ୍ୟୁରୋ :  ବହୁ ବାଦ ବିବାଦର ଅନ୍ତ ଘଟିବା ସହ ଦୀର୍ଘ ଦିନର ସମସ୍ୟା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଆସନ୍ତା ୬ତାରିଖରୁ ସହର ଉପକଣ୍ଠର ଦୁଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ହେଲେ ଦୂର ଯାତ୍ରା କରିବାକୁ ଥିବା ଯାତ୍ରୀ କେମିତି ପହଞ୍ଚିବେ ଉଭୟ ବସ୍‌ଷ୍ଟାଣ୍ଡରେ? ପ୍ରଶାସନ ପକ୍ଷରୁ କ’ଣ ହୋଇଛି ବ୍ୟବସ୍ଥା ?   

Advertisment

ବ୍ରହ୍ମପୁର ସହରର ସମ୍ପ୍ରସାରଣ, ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା, ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ଓ ଜବରଦଖଲ ପ୍ରମୁଖ ଟ୍ରାଫିକ ସମସ୍ୟା ଭାବେ ଉଭା ହୋଥିଲା । ଆଉ ଏବେ ଗେଟ୍ ବଜାର ଛକରେ ନିର୍ମାଣାଧୀନ ଓଭର ବ୍ରିଜ ଏହି ସମସ୍ୟାକୁ ଦ୍ଵିଗୁଣିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହର ମଧ୍ୟରେ ଥିବା ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୬ତାରିଖରୁ ସହର ଉପକଣ୍ଠ ଡୁଡୁମା କଲୋନି ଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବସଷ୍ଟାଣ୍ଡ ଓ ହଳଦିଆପଦର ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି ।

ଅଧିକ ପଢନ୍ତୁ: ବ୍ରହ୍ମପୁର ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା; ସହର ଭିତରୁ ହଟିବ ବସ୍‌ଷ୍ଟାଣ୍ଡ !


ବ୍ରହ୍ମପୁର ସହରକୁ ବିଭିନ୍ନ ଅଞ୍ଚଳ ସହ ସଂଯୋଗ ଲାଗି ଗଡ଼ୁଛି ୪୫୦ରୁ ଅଧିକ ବସ୍‌। କୋରାପୁଟ, ରାୟଗଡ଼ା ଓ ଗଜପତିରୁ ଦିଗପହଣ୍ଡି ଦେଇ ଆସୁଥିବା ବସ୍ ଓ ଭଞ୍ଜନଗର, ଆସିକା ପଟୁ ଆସୁଥିବା ବସ୍‌ଗୁଡ଼ିକ ଡୁଡୁମା କଲୋନିସ୍ଥିତ ଅସ୍ଥାୟୀ ବସ୍‌ଷ୍ଟାଣ୍ଡରେ ରହିବେ । ଯାତ୍ରୀମାନଙ୍କୁ ସହରକୁ ନେବା ଆଣିବା ଲାଗି ୩୯ଟି ଆମ ବସ୍‌, କିଛି ସରକାରୀ ଓ ଘରୋଇ ବସ୍ ଗଡ଼ିବ। ଏହା ସହ ନୂଆ ବସ୍‌ଷ୍ଟାଣ୍ଡ ପାଲଟିବ ଅଟୋରିକ୍ସା ଷ୍ଟାଣ୍ଡ। ଅଟୋରିକ୍ସା ଭଡ଼ାକୁ ନିୟନ୍ତ୍ରଣ କରିବା ଲାଗି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଭଡ଼ା ଧାର୍ଯ୍ୟ କରାଯାଇଛି । 

ସେହିପରି ଭୁବନେଶ୍ୱର, ଆନ୍ଧ୍ର ଓ ପୁରୁଷୋତ୍ତମପୁର ପଟୁ ଆସୁଥିବା ବସ୍‌ଗୁଡ଼ିକ ଆମ୍ବପୁଆ, କୋର୍ଟପେଟା, ଗିରି ରୋଡ୍‌ ଓ ଗୋଷାଣୀ ନୂଆଗାଁ ଦେଇ ହଳଦିଆପଦର ବସଷ୍ଟାଣ୍ଡରେ ପହଞ୍ଚିବେ। ଏଭଳି ବ୍ୟବସ୍ଥା ଦ୍ଵାରା ଯାତ୍ରୀଙ୍କ ସୁବିଧା ସହ ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିପାରିବ । ହଳଦିଆପଦର ବସଷ୍ଟାଣ୍ଡ ନିର୍ମାଣ ଓ ଉଦ୍‌ଘାଟନକୁ ୭ବର୍ଷ ପୂରିଥିବା ବେଳେ ଡୁଡୁମା କଲୋନି ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ଓ ଉଦ୍‌ଘାଟନକୁ ପୂରିଛି ୨୭ଦିନ। ତେବେ ପ୍ରମୁଖ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଆଗାମୀ ୬ତାରିଖକୁ ଅପେକ୍ଷା ।