କନକ ବ୍ୟୁରୋ: ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ସୁବିଧା ହେବ । ବ୍ୟବସାୟୀ ଲାଭବାନ୍ ହେବେ । ଟ୍ରାଫିକ୍ ସମସ୍ୟା ବି ସୁଧୁରିଯିବ। ପଦ୍ମପୁର ନୂତନ ମଡେଲ ବସ୍‌ଷ୍ଟାଣ୍ଡ ପରିକଳ୍ପନା ସମୟରେ ଏମିତି କିଛି ଯୋଜନା ହୋଇଥିଲା । ହେଲେ ପ୍ରତିଶ୍ରୁତି ପୂରଣ ତ ଦୂର କଥା ଜାଗା ଚିହ୍ନଟରେ ସୀମିତ । ରାୟଗଡ଼ା ଜିଲ୍ଲାର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳୀ ପଦ୍ମପୁର। ଏଠାରେ ମଡେଲ ବସ ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରାଯାଇ ପରିବହନ ବିଭାଗକୁ ହସ୍ତାନ୍ତର ହୋଇଛି । ହେଲେ ବସଷ୍ଟାଣ୍ଡ ପାଇଁ ଅନୁଦାନ ଆସୁନି କି ଟେଣ୍ଡର ହେଉନାହିଁ। ତେଣୁ ସହର ବିଭିନ୍ନ ସ୍ଥାନରେ ଅଟକି ରହୁଛି ଭାରିଯାନ। ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା ।

Advertisment

ପଦ୍ମପୁରରେ ବସ ଷ୍ଟାଣ୍ଡ ପ୍ରସଙ୍ଗ ନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଛନ୍ତି । କାହିଁକି ଏବଂ କେଉଁଠି ଅଟକିଛି ପ୍ରକଳ୍ପ? କାହା ପାଖରେ ରହିଛି ସମସ୍ୟା? ଏଭଳି ପ୍ରଶ୍ନ ଉଠାଇଛନ୍ତି। ହେଲେ ପ୍ରାଶାସନିକ ସ୍ତରରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ । ସେପଟେ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଗୁରୁତ୍ବ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୁଣୁପୁର ବିଧାୟକ ।  ନୂତନ ବସ ଷ୍ଟାଣ୍ଡ ନିର୍ମାଣ ସକାଶେ ମାଟି ମୁଠାଏ ବି ପଡ଼ିନି । ନୂଆ ବସଷ୍ଟାଣ୍ଡ ପାଇଁ ମିଳିଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ସୀମିତ।