ଗୌର ପଟ୍ଟନାୟକ ଆଶୀର୍ବଚନରୁ ‘ଗୀତି କବିତା ଓ ସିନେମା ଗୀତ’ ଆରମ୍ଭ ହୋଇଥିଲା ସନ୍ଧ୍ୟା : ସୌରଭ, ବ୍ରଜବଲ୍ଲଭଙ୍କ ଗୀତରେ ଭିଜିଲେ ଶ୍ରୋତା

ଅକ୍ଷୟ ମହାନ୍ତିଙ୍କୁ ସମର୍ପିତ ‘ଗୀତି କବିତା ଓ ସିନେମା ଗୀତ’ ମଞ୍ଚ: ‘ଗୀତ ଲେଖୁଥିବା ବ୍ୟକ୍ତି ପରମ୍ପରାକୁ ଭୁଲନ୍ତୁ ନାହିଁ’

Sambad Sahitya 9th March

Sambad Sahitya 9th March Photograph: (kanak News)

କନକ ବ୍ୟୁରୋ: ପେନ୍ଥା ପେନ୍ଥା କସି ଆମ୍ବ ମେଳରେ ଦୋଳି ଖେଳୁଥିଲେ ଓଡ଼ିଆ ବର୍ଣ୍ଣମାଳାର ଅକ୍ଷର ସବୁ। ଝାପ୍‌ସା ରଙ୍ଗିନ ଆଲୋକ ଭିତରେ ଓଡ଼ିଆ ସଙ୍ଗୀତର ମଉଡ଼ମଣି ଅକ୍ଷୟ ମହାନ୍ତିଙ୍କୁ ଉତ୍ସର୍ଗ ମଞ୍ଚରୁ ଭାସି ଆସୁଥିଲା କାଳଜୟୀ ଲୋକପ୍ରିୟ ସଙ୍ଗୀତ। ଏଥିସହିତ ଓଡ଼ିଆ ସଙ୍ଗୀତ ଜଗତର ମହାଦ୍ରୁମମାନଙ୍କ ଆଳାପ, ଆଲୋଚନା, ମତ ଓ ମନ୍ତବ୍ୟ ପରିବେଶକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ କରି ଦେଇଥିଲା । ରବିବାର ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟପକ୍ଷ’ର ନବମ ସନ୍ଧ୍ୟାର ଆସର ଥିଲା କିଛି ଏମିତି । କ୍ରି‌କେଟ୍‌ ଖେଳ ଛାଡ଼ି ଏକାଠି ହୋଇଥିଲେ ସାହିତ୍ୟ ଓ ସଙ୍ଗୀତକୁ ଭଲ ପାଉଥିବା ସଂସ୍କୃତି ଅନୁରାଗୀ ମଣିଷମାନେ। 

ଲୋକପ୍ରିୟ ଗୀତିକାର ତଥା ଓଡ଼ିଆ ଗୀତିକବି ସମାଜର ସଭାପତି ଗୌର ପଟ୍ଟନାୟକ ଆଶୀର୍ବଚନରୁ ‘ଗୀତି କବିତା ଓ ସିନେମା ଗୀତ’ ସନ୍ଧ୍ୟା ଆରମ୍ଭ ହୋଇଥିଲା। ଶ୍ରୀ ପଟ୍ଟନାୟକ କହିଲେ, ଶସ୍ତା ଲୋକପ୍ରିୟତା ଓ ଟଙ୍କା ପାଇଁ କିଛି ଗୀତିକାର ମାନସମ୍ମାନକୁ ଭୁଲି ଯାଉଛନ୍ତି। ଗୀତ ଲେଖୁଥିବା ବ୍ୟକ୍ତି ଅସ୍ମିତା ଓ ପରମ୍ପରାକୁ ଭୁଲିବା କଥା ନୁହେଁ। ଗୀତରେ ଠିକ୍‌ ଶବ୍ଦ, ଛନ୍ଦ, ତାଳ ଦେଇ ଲେଖିଲେ ତାକୁ ଲୋକେ ନିଶ୍ଚୟ ମନେ ରଖିବେ।

ସୌରଭ, ବ୍ରଜବଲ୍ଲଭଙ୍କ ଗୀତରେ ଭିଜିଲେ ଶ୍ରୋତା

ଗୀତିକାର ଦେବଦାସ ଛୋଟରାୟଙ୍କ ସହ ‘ଆଳାପ’ କରିଥିଲେ ଗୀତିକାର ବିଜୟ ମଲ୍ଲ। ଶ୍ରୀ ଛୋଟରାୟ କହି‌ଲେ, ଗୀତ ଓ କବିତା ଭିତରେ ବେଶି କିଛି ଫରକ ନାହିଁ। ‘ମନରୁ ହୃଦୟ ଯେତିକି ଦୂର... ଗୀତରୁ କବିତା ସେତିକି ଦୂର’...।   ଗୀତିକାର ଡ. ରଜନୀ ରଞ୍ଜନଙ୍କ ସଞ୍ଚାଳନରେ  ହୋଇଥିବା ‘ଆଲୋଚନା’ରେ ଗୀତିକାର ମୋହିତ ଚକ୍ରବର୍ତ୍ତୀ କହିଲେ ଗୀତର ଧାରା ବଦଳିଛି। ଏବେ କବିତାକୁ ନେଇ ସ୍ବର କରାଯାଉଛି। କବିମାନେ ଗୀତ ଲେଖିଲେ ଗୀତର ଓଜନ ବଢ଼ିବ। ଗୀତିକାର ପଞ୍ଚାନନ ନାୟକ କହିଲେ, ପିଲାଦିନରେ ବର୍ଷକୁ ୧୦ରୁ୧୫ ଗୀତ ବାହାରୁଥିଲା। ଏବେ କିନ୍ତୁ ଶହ ଶହ ଗୀତ ରିଲିଜ୍‌ ହେଉଛି। ହେଲେ ସେହି ମଧୁରପଣ ନାହିଁ। ଗୀତିକାର ଶ୍ରୀକାନ୍ତ ଗୌତମ କହିଲେ, ମୁଁ ଲେଖିବା ବେଳେ ଗୀତ କଣ ଓ କବିତା କଣ ଜାଣି ନଥିଲି। କବିତା ଯେ କୌଣସି ଲୋକ ଲେଖିବା ପାରିବ। କିନ୍ତୁ ଗୀତି କବିତା ଲେଖି ପାରିବ ନାହିଁ। ଗୀତି କବିତା ଲେଖିବା ପାଇଁ ଛନ୍ଦ, ତାଳ ଓ ଲୟର ଆବଶ୍ୟକତା ଅଛି।

ଆଜି ଆସରକୁ ଝୁମାଇ ଥିଲେ ଗୀତିକାର ସୌରଭ ନାୟକ। ‘ତୋ ବିନା ଲାଗେ ନା ଭଲ କିଛି....’, ‘ହେ ଫଗୁଣ ତୁମେ ଗଲା ପରେ’, ‘ମୁଁ ତ ଥିଲି ଏକୁଟିଆ ବାଁଆରା ପକ୍ଷୀ’, ‘ସବୁ ପାପର ପ୍ରାୟଶ୍ଚିତ ଥାଏ’ ଓ ‘ମତେ ଭଲ ଲାଗେ ମୋ ଗାଁ’ ଭଳି ଲୋକପ୍ରିୟ ଗୀତ ଗାଇ ଆମ ଓଡ଼ିଶା ପରିସରକୁ ସଙ୍ଗୀତମୟ କରିଥିଲେ। ସେହିପରି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଜଣାଇ କଣ୍ଠଶିଳ୍ପୀ ବ୍ରଜବଲ୍ଲଭ ନାୟକ ‘ଭସା ମେଘ ମୁଁ ଯେ ଭାସି ଯାଏ ଦୂରେ... ଓ ଏଇ ଯେ ବନଲତା ପାହାଡ଼’ ଗୀତ ଗାଇଥିଲେ। ଏହି ଅବସର‌ରେ ଦାଶରଥୀ ପଟ୍ଟନାୟକ ପାଠାଗାର ଓ ସଂଗ୍ରହାଳୟର ଦୀପକ ପଟ୍ଟନାୟକ, ସାହିତ୍ୟ ପତ୍ରିକା ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ଓ ରାଉରକେଲା କଲଚରାଲ ଏକାଡେମୀର ସାଧାରଣ ସମ୍ପାଦକ କାଶୀନାଥ ପାତ୍ରଙ୍କୁ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଡେପୁଟି ଏଡିଟର ଧୃତିକାମ ମହାନ୍ତି ଓ ‘ଆମ ଓଡ଼ିଶା’ର ପ୍ରକାଶନୀ ସମ୍ପାଦକ ଅସିତ୍‌ ମହାନ୍ତି କଳାକାରଙ୍କୁ ସମ୍ମାନିତ କରିଥିଲେ। ଆରଜେ ଅନୀଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରାମକୃଷ୍ଣ ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe