ଓଡ଼ିଆ ଭାଷା ୧୯୫୪ ମସିହାରୁ ସରକାରୀ ଭାଷା ହେବ ବୋଲି ବିଲ୍ ଅଣାଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ୭୧ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାରେ ସରକାରୀ କଳ ବିଫଳ । ଓଡ଼ିଆ ଭାଷାର ବିକାଶ ଓ ଅସ୍ମିତା ସମ୍ପର୍କରେ ଯେତିକି ଭାଷଣ ଦିଆଯାଉଛି, ତାହା ଆଚରଣରେ ପ୍ରକାଶ ପାଉନାହିଁ । ଓଡ଼ିଆ ଭାଷାର ବିକାଶ ପାଇଁ ଆଚରଣ ଓ ଉଚ୍ଚାରଣ ଏକ ହେବା ଜରୁରି । ଏଥିସହ ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମିଳିମିଶି ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଚେଷ୍ଟା କରିବା ଉଚିତ । ‘ସମ୍ବାଦ ସାହିତ୍ୟ ପକ୍ଷ’ର ଚତୁର୍ଥ ସନ୍ଧ୍ୟାରେ ଆଶୀର୍ବଚନ ଦେଇ ଏହା କହିଛନ୍ତି ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ । ଭୁବନେଶ୍ବରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କୁ ଉତ୍ସର୍ଗ ମଞ୍ଚରେ ‘ଭାଷା, ସାହିତ୍ୟ ଓ ସାମାଜିକ ଗଣମାଧ୍ୟମ’ ଉପରେ ନାନା ଚର୍ଚ୍ଚା ଆଲୋଚନା ହୋଇଥିଲା । ତେବେ ଅତିଥିଙ୍କୁ ସ୍ବାଗତ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଭାଷା ହିଁ ଜୀବନ ।
ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ଭାଷାକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ପଡ଼ିବ । ଭାଷାକୁ ଅଧିକ ବ୍ୟବହାର କରିବା ପାଇଁ କେବଳ କାଗଜ କାଳି ନୁହେଁ ବିଜ୍ଞାନ ଓ କାରିଗରୀ କୌଶଳରେ ଥିବା ସୁଯୋଗ ଓ ସମ୍ଭାବନାକୁ ପାଥେୟ କରି ଉତ୍ତର ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ । ଓଡ଼ିଆ ଭାଷା ସରକାରୀ ଭାଷା ହେଲା । ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ବ୍ୟବହାର ନକଲେ ଦଣ୍ଡ ମିଳିବ ବୋଲି କୁହାଗଲା । କିନ୍ତୁ ଅଧିକାଂଶ ଜାଗାରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ । ସରକାର ଓଡ଼ିଆ ଭାଷାକୁ ବ୍ୟବହାର କଲେ ଭାଷାର ସ୍ବୀକୃତି ବଢ଼ିବ । କିନ୍ତୁ ତାହା ହେଉନାହିଁ । ଯଦି ପ୍ରତ୍ୟେକ ଘରେ ଓଡ଼ିଆ ଭାଷା ବ୍ୟବହାର ହେବ ଏବଂ କାରିଗରୀ କୌଶଳ ମାଧ୍ୟମରେ ସାରା ବିଶ୍ବରେ ରହୁଥିବା ଓଡ଼ିଆ ପରିବାର ଭାଷାକୁ ବ୍ୟବହାର କରିବେ, ତେବେ ସରକାର ଭାଷାକୁ ବ୍ୟବହାର କରନ୍ତୁ ବା ନ କରନ୍ତୁ କିଛି ଫରକ ପଡ଼ିବନି ।
ଭାଷାକୁ ଉତ୍ତର ପିଢ଼ି ପାଖରେ ପହଞ୍ଚାଅ: ସୌମ୍ୟରଂଜନ
‘ଆଲୋଚନା’ ଅଧିବେଶନରେ ‘ଭାଷା ଓ ଅସ୍ମିତା: ସ୍ବପ୍ନ ନା ବାସ୍ତବତା’ ବିଷୟବସ୍ତୁ ଉପରେ ତିନି ଜଣ ଯୁବ ଲେଖକ ଆଲୋଚନା କରିଥିଲେ । ଲେଖକ ଦେବାଶିଷ ମହାପାତ୍ରଙ୍କ ସଂଚାଳନରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଡ. ପ୍ରସନ୍ନ କୁମାର ସ୍ବାଇଁ କହିଲେ, ଭାଷା ଗୋଟିଏ ଜାତିର ଗୌରବ । ଭାଷାକୁ କେତୋଟି ଅକ୍ଷରରେ ସୀମିତ ରଖାଯାଇ ପାରିବ ନାହିଁ । ଡ. ସନ୍ତୋଷ ତ୍ରିପାଠୀ ଓଡ଼ିଆ ଶବ୍ଦ ଭଣ୍ଡାରକୁ ବଢ଼ାଇବାକୁ ପ୍ରସ୍ତାବ ରଖିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ର ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ ନୂଆ ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ ।
ଆଜି ଚର୍ଚ୍ଚିତ ଚିକିତ୍ସକ ଡା. ଦେବାଶିଷ ଜ୍ୟୌଷ୍ଠୀ ‘ଅଭିଯୁକ୍ତି’ ବାଢ଼ି କହିଲେ, ନିଜର କର୍ମକ୍ଷେତ୍ରରେ ଓଡ଼ିଆ ଭାଷାକୁ ଫୁଟାଇଲେ କିଛି ମାତ୍ରାରେ ମାତୃଭୂମିର ଋଣ ଶୁଝି ହେବ । ସେଥିପାଇଁ ମୁଁ ଅନେକ ସମାଲୋଚନା ସତ୍ତ୍ବେ ଓଡ଼ିଆରେ ରୋଗୀଙ୍କ ପାଇଁ ଔଷଧ ଲେଖୁଛି । ରୋଗୀର ଭାଷାରେ କଥା ହେଉଛି । ସବୁ ଡାକ୍ତର ରୋଗୀର ଭାଷାରେ ଲେଖନ୍ତୁ ଓ କଥା ହୁଅନ୍ତୁ । ‘ଅଭିଜ୍ଞତା’ ଅଧିବେଶନରେ ଲେଖକ ଅମରେଶ ବିଶ୍ବାଳ, ପ୍ରସନ୍ନ କୁମାର ସ୍ବାଇଁ ଓ ଅମୀୟ ବେଜ୍ କହିଲେ, ସମୟ ବଦଳୁଛି । ସମୟ ଅନୁସାରେ ସାମାଜିକ ଗଣମାଧ୍ୟମର ସୁଯୋଗ ନେଇ ଲେଖକମାନେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ପ୍ରୟାସ କରନ୍ତୁ । ଗତସନ୍ଧ୍ୟାରେ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଥିଲା ସାହିତ୍ୟିକ ପ୍ରକାଶ ମହାପାତ୍ରଙ୍କ ବଂଶୀ ବାଦନ । ଏହି ଅବସରରେ ବ୍ୟଙ୍ଗକବି ସତ୍ୟାନାଶ ଓଡ଼ିଆ ଭାଷା ସାହିତ୍ୟକୁ ନେଇ ଚମତ୍କାର ବ୍ୟଙ୍ଗ କରି ଦର୍ଶକଙ୍କୁ ହସାଇ ହସାଇ ଚେତାଇ ଦେଇଥିଲେ । ସବୁ ଦିନ ପରି ଆଜି ମଧ୍ୟ ସାହିତ୍ୟକୁ ନେଇ ଆର୍ଜେ ଅନିଲ୍ ଆକର୍ଷଣୀୟ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରିଚାଳନା ଓ ଆର୍ଜେ ସଂଗ୍ରାମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି ଅବସରରେ ‘ଉତ୍କଳ ସାହିତ୍ୟ ସମାଜ’ ଓ ‘ଫ୍ରେଣ୍ଡସ୍ ପବ୍ଲିସର୍ସ’କୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ‘ଆମ ଓଡ଼ିଶା’ର ସାଧାରଣ ସମ୍ପାଦକ ଅରବିନ୍ଦ ଦାସ, ପ୍ରକାଶନୀ ସମ୍ପାଦକ ଅସିତ୍ ମହାନ୍ତି, ‘ସମ୍ବାଦ’ର ଡେପୁଟି ଏଡିଟର୍ ଧୃତିକାମ ମହାନ୍ତି ଓ ସ୍ତମ୍ଭକାର ଅଭିରାମ ବିଶ୍ବାଳ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ । ଏଜିଏମ୍ ଆଶିଷ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ । ଆସନ୍ତାକାଲି ପଞ୍ଚମ ଦିବସରେ ରହିଛି ‘ନାଟକର ନବରସ’ । ଏଥିରେ ମଞ୍ଚ ନାଟକ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ଏଥିସହ ଏକାଧିକ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହେବ ।