ଗୋଟିଏ ଜାତି କେତେ ସମୃଦ୍ଧ ଓ ଗୌରବଶାଳୀ ତାହା ରଙ୍ଗମଞ୍ଚରୁ ବାରି ହୋଇପଡ଼େ । ସମ୍ବାଦପତ୍ର ଭଳି ରଙ୍ଗମଞ୍ଚ ମଧ୍ୟ ଜନଜୀବନର କଥାକୁ ପ୍ରଦର୍ଶିତ କରେ । ସେଥିପାଇଁ ବୋଧହୁଏ ‘ସମ୍ବାଦ’ ପକ୍ଷରୁ ଏହି ନିଆରା କାର୍ଯ୍ୟକ୍ରମ ‘ସମ୍ବାଦ ସାହିତ୍ୟପକ୍ଷ’ ପାଳନ କରାଯାଉଛି । ବୁଧବାର ‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ପଞ୍ଚମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ପ୍ରଖ୍ୟାତ ନାଟ୍ୟକାର ତଥା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ପଞ୍ଚମ ସନ୍ଧ୍ୟାରେ ଓଡ଼ିଆ ନାଟ୍ୟ ଜଗତର ମହାନ ଗୁରୁ ଗଣକବି ବୈଷ୍ଣବ ପାଣିଙ୍କୁ ‘ନାଟକର ନବରସ ମଞ୍ଚ’ ଉତ୍ସର୍ଗ କରାଯାଇଥିଲା । ପ୍ରଥମ ଅଧିବେଶନ ‘ନାଟକର ସମ୍ପର୍କ ସିନେମାରେ ଶିଥିଳ ହେଉଛି କି’ ବିଷୟରେ ‘ଆଳାପ’ ଆଲୋଚନା ହୋଇଥିଲା । ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ କୁନା ତ୍ରିପାଠୀ ଏଥିରେ ଯୋଗ ଦେଇ କହିଲେ, ଓଡ଼ିଶାରେ ଅଧିକାଂଶ ସିନେମା ନାଟକରୁ ହୋଇଛି । ଗୋଟିଏ ସମୟରେ ଓଡ଼ିଶାରେ ଲେଖା ହେଉଥିବା ଉପନ୍ୟାସରୁ ନାଟକ ଏବଂ ନାଟକରୁ ସିନେମା ହେଉଥିଲା । ସେଥିରେ ଓଡ଼ିଆ ମାଟିର ବାସ୍ନା ରହୁଥିଲା । କିନ୍ତୁ ଦକ୍ଷିଣୀ ସଂସ୍କୃତିକୁ ଦର୍ଶକଙ୍କ ଉପରେ ଲଦି ଦିଆଯିବାରୁ ଆଉ ସିନେମା ଚାଲିଲା ନାହିଁ । ଏବେ ସମୟ ବଦଳିଛି । ଓଡ଼ିଆ ନାଟକ ଓ ସିନେମାକୁ ଦର୍ଶକ ଆଦର କରୁଛନ୍ତି । ତେବେ ନାଟକରୁ ସିନେମା ଏବଂ ସିନେମାରୁ ନାଟକ ହେବାର ପ୍ରକ୍ରିୟା ଜାରି ରହିବା ଉଚିତ ।
/kanak/media/media_files/2025/03/06/oswNdrHVkmwnK0L3TkDa.jpg)
‘ନାଟକର ନବରସ’ ପ୍ରସଙ୍ଗ ‘ଆଲୋଚନା’କୁ ସଂଚାଳନ କରିଥିଲେ ନାଟ୍ୟ ନିର୍ଦ୍ଦେଶକ ସୀମନ୍ତ ମହାନ୍ତି । ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ କହିଲେ, ଏବେ ନାଟକରେ ହାସ୍ୟ, କରୁଣ, ରୁଦ୍ର ଓ ଶୃଙ୍ଗାର ଏହି ୪ଟି ମୁଖ୍ୟ ରସ ବ୍ୟବହାର ହେଉଛି । ଆବଶ୍ୟକ ସ୍ଥଳେ ନାଟ୍ୟକାରଙ୍କ ଅନୁମତି ନେଇ ନିର୍ଦ୍ଦେଶକ ନାଟକରେ ଆଉ କିଛି ରସ ଯୋଡ଼ିବାକୁ ଚେଷ୍ଟା କରେ । ନାଟ୍ୟକାର ଶଙ୍କର ତ୍ରିପାଠୀ କହିଲେ, ସବୁ ନାଟକରେ ନବରସ ପ୍ରୟୋଗ ସମ୍ଭବ ନୁହେଁ । ନାଟକରେ ନବରସ ପ୍ରୟୋଗ କରିବାକୁ ନାଟକ ଲେଖାଯାଏ ନାହିଁ । ଏହା ଏକ ସ୍ବାଭାବିକ ପ୍ରକ୍ରିୟା । କାହାଣୀର ଆବଶ୍ୟକତାକୁ ଦେଖି ନବରସ ପ୍ରୟୋଗ ହୁଏ । ନାଟ୍ୟ ନିର୍ଦ୍ଦେଶକ ନାରାୟଣ ସାହୁ ନିଜର ମତ ରଖି କହିଲେ, ଗଣକବି ବୈଷ୍ଣବ ପାଣି ନାଟକରେ ନବରସ ପ୍ରୟୋଗ କରୁଥିଲେ । କିନ୍ତୁ ଏବେ ସବୁ ନାଟକରେ ନବରସ ପ୍ରୟୋଗ କରାଯାଇ ପାରୁନାହିଁ । ମଞ୍ଚ ସଂଯୋଜନା କରୁଥିବା ଶ୍ରୀନିବାସ ଘଟୁଆରୀ ନାଟକର ନବରସକୁ ବିଭିନ୍ନ ଅଙ୍ଗଭଙ୍ଗୀରେ ଦର୍ଶକଙ୍କ ସମ୍ମୁଖରେ ପରିବେଷଣ କରି କରତାଳି ସାଉଁଟିଥିଲେ ।
ଗୋଟିଏ ଜାତି ତା’ର ରଙ୍ଗମଞ୍ଚ ଦ୍ବାରା ପରିଚିତି ପାଏ: ଅନନ୍ତ ମହାପାତ୍ର
ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ନାଟକର ବଡ଼ ଭୂମିକା ରହିଛି
ମଞ୍ଚସ୍ଥ ହେଲା କ୍ଷୁଦ୍ରନାଟକ ବାବାଜୀ ଓ ଘୂର୍ଣ୍ଣି
‘ଅଭିଯୁକ୍ତି’ ଅଧିବେଶନରେ ମଞ୍ଚ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନିବେଦିତା ଜେନା ‘ନାଟକରେ ଚିକିତ୍ସା ତତ୍ତ୍ବ’ ପ୍ରସଙ୍ଗରେ କହିଲେ, କରୋନା ପରେ ମାନସିକ ସ୍ବାସ୍ଥ୍ୟରେ ଅବନତି ଘଟୁଛି । ମାନସିକ ସୁସ୍ଥତା ଚିକିତ୍ସା ପାଇଁ ଥରକେ ୩ରୁ ୪ ହଜାର ଖର୍ଚ୍ଚ ହେଉଛି । ହେଲେ ନାଟକ ମାଗଣାରେ ମାନସିକ ସୁସ୍ଥତା ଦେଇଥାଏ । ନାଟକ ହିଁ ଦର୍ଶକଙ୍କୁ ମାନସିକ ସୁସ୍ଥ ରଖିବାରେ ସହାୟ ହୁଏ । ‘ନାଟୁଆର ନିଆରା ଅନୁଭୂତି’ ବଖାଣି ନାଟ୍ୟ ନିର୍ଦ୍ଦେଶକ ଶିବଶଙ୍କର ତ୍ରିପାଠୀ ପିଲାଦିନେ ବାପାଙ୍କ ସହ ପ୍ରଥମ ନାଟକ ଦେଖିବାଠାରୁ ଆରମ୍ଭ କରି ବର୍ତ୍ତମାନର ମଞ୍ଚ ନାଟକ ପରିବେଷଣର ନିଆରା ଅନୁଭୂତି ବର୍ଣ୍ଣନା କରିଥିଲେ । ଅଭିନେତା ତଥା ନିର୍ଦ୍ଦେଶକ ଦେବଦତ୍ତ ପତି କହିଲେ, ଜୀବନର କଥା କୁହେ ନାଟକ । ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ନାଟକର ବଡ଼ ଭୂମିକା ରହିଛି । କିନ୍ତୁ ନିୟମିତ ନାଟକ ପରିବେଷଣ କରିବାକୁ ପ୍ରେକ୍ଷାଳୟ ନାହିଁ । ସରକାରୀ କିମ୍ବା ବେସରକାରୀସ୍ତରରେ ପ୍ରୋତ୍ସାହନ ମିଳୁନାହିଁ । ଗଣମାଧ୍ୟମରେ ନାଟକ ଖବରକୁ ପଛକୁ ରଖାଯାଉଛି । ଯାହା ନାଟୁଆଙ୍କୁ ଯନ୍ତ୍ରଣା ଦେଉଛି ।
/kanak/media/media_files/2025/03/06/LycAvbz658bkMb7rh0h0.jpg)
ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କ୍ଷୁଦ୍ରନାଟକ ପରିବେଷଣ । ପ୍ରଥମେ ଜଗନମୋହନ ଲାଲାଙ୍କ ରଚିତ ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ଏବଂ ପରେ କୈଳାସ ଶତପଥୀଙ୍କ ‘ଘୂର୍ଣ୍ଣି’ ମଞ୍ଚସ୍ଥ ହୋଇଥିଲା । ଦୁଇ ନାଟକକୁ ଦେବାନନ୍ଦ ସୋନି ନିର୍ଦ୍ଦେଶନା ଦେଇଥିବା ବେଳେ ବିରଞ୍ଚି ଦାସ, ଉପେନ୍ଦ୍ର ପତି, ସତ୍ୟ, ଶମ୍ଭୁ ହୋତା, ଦେବାନନ୍ଦ ସୋନି, ଲଲିତମୋହନ ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ । ସୌମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ ପ୍ରଚ୍ଛଦପଟ ସଙ୍ଗୀତ ପରିବେଷଣ କରିଥିଲେ ।
/kanak/media/media_files/2025/03/06/wqwnPCbcx18lnv6lXSrP.jpg)
ଏହି ଅବସରରେ ପ୍ରସିଦ୍ଧ ପ୍ରକାଶନୀ ସଂସ୍ଥା ‘ବିଦ୍ୟାପୁରୀ’ କଟକର ଜୀବାନନ୍ଦ ମିଶ୍ର ଏବଂ ପୁରାତନ ସାହିତ୍ୟ ସଂଗଠନ ‘ଫକୀରମୋହନ ସାହିତ୍ୟ ପରିଷଦ’, ବାଲେଶ୍ୱରର ସଂପାଦକ ରତ୍ନାକର ସିଂହଙ୍କୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଏବଂ ଅନନ୍ତ ମହାପାତ୍ର ସମ୍ମାନିତ କରିଥିଲେ । ଅନ୍ୟ ଅତିଥିମାନଙ୍କୁ ‘କନକ ନ୍ୟୁଜ୍’ର ସିଇଓ ରତିକାନ୍ତ ଶତପଥୀ ଓ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ବର୍ଦ୍ଧିତ କରିଥିଲେ । ସାହିତ୍ୟିକ ଅକ୍ଷୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ । ଆର୍ଜେ ଅନିଲ୍ ଆକର୍ଷଣୀୟ ପ୍ରଶ୍ନ-ଉତ୍ତର ପରିଚାଳନା କରିଥିବାବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ଷଷ୍ଠ ଦିନର ବିଷୟ ରହିଛି ‘ଅନୁବାଦ ସାହିତ୍ୟ’ । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ତିନି ପିଢ଼ିର ଅନୁବାଦକମାନେ ଅଂଶଗ୍ରହଣ କରିବେ।