କନକ ବ୍ୟୁରୋ: ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଘର ଆସି ଫେରିଯାଉଛି ସହ କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି । ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି ଅସହାୟ ପରିବାର। ସରକାରି ପକ୍କା ଘର ଖଣ୍ଡି ୧୫ ହେବ ସଂଗ୍ରାମ ଚାଲିଥିଲେ ବି ଘର ମିଳୁନି । ଫଟା କାନ୍ଥରେ ବାଉଁଶ ଢିରା । ଭଙ୍ଗା ଆଜବେଷ୍ଟସ ଉପରେ ପଡିଛି ଜରିପାଲ । ଏପରି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି କେନ୍ଦ୍ରାପଡା, ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତ, ବିନ୍ଧା ଗ୍ରାମରେ ଏକ ଶିବ ପ୍ରସାଦଙ୍କ ପରିବାର। ଶିବପ୍ରସାଦଙ୍କ ସହ ଘରେ ରହୁଛନ୍ତି ୯ ବର୍ଷର ଦିବ୍ୟାଙ୍ଗ ପୁଅ ପତ୍ନି ଓ ୭୭ ବର୍ଷିୟା ବୁଢି ମା’ । ଶୀତ କାକରେ ଭଙ୍ଗା ଘରେ ରହୁଛନ୍ତି ୪ ପ୍ରାଣୀ। ୧୫ ବର୍ଷ ହେବ ଘର ଖଣ୍ଡିଏ ପାଇଁ ବ୍ଲକ ଠାରୁ ଆରମ୍ଭ କରି ଗ୍ରାମ ପଂଚାୟତକୁ ଦୌଡୁଛନ୍ତି ଶିବ । କିନ୍ତୁ ଆଜି ଯାଏ ଘର ଖଣ୍ଡେ ମିଳିପାରିନାହିଁ । ମଜୁରି ଲାଗି ପରିବାର ପୋଷୁଥିବା ଶିବଙ୍କ ପାଖରେ ଘର ମରାମତି କରିବାକୁ ଅର୍ଥ ନାହିଁ। ସ୍ବଳ୍ପ ରୋଜଗାରରେ ବୁଢି ମା ଓ ଦିବ୍ୟାଙ୍ଗ ପୁଅର ବୋଝ ଭିତରେ ଅସହାୟ ହୋଇପଡିଛନ୍ତି ଶିବ ।

Advertisment

 ଅଧିକ ପଢନ୍ତୁ: ଜିଲ୍ଲା ଗରିବ କିନ୍ତୁ ବାବୁ ଧନୀ : ଜୟପୁର ଭିଜିଲାନ୍ସ ରିପୋର୍ଟରେ ଚକିତ କଲା ଭଳି ତଥ୍ୟ

ବଡ଼ କଥା ହେଉଛି ଏହି ଭଙ୍ଗା ଘର ଏବେ ବିପଦ ସଙ୍କୁଳ ଅବସ୍ଥାକୁ ଆସିଗଲାଣି । କେତେବେଳେ କାନ୍ଥ ଗଡିପଡିବ ତାହା କହିବା ମୁସ୍କିଲ।  ଦିବ୍ୟାଙ୍ଗ ପୁଅ ଓ ବୁଢି ମାର ଚିକିତ୍ସା ପାଇଁ ଯାହା ଅର୍ଥ ସଂଚିଥିଲେ ତାହା ଖର୍ଚ୍ଚ ହୋଇ ସାରିଲାଣି । ଏବେ ମଜୁରି ଲାଗି ଯାହା ଦୁଇ ପଇସା ଆସୁଛି ସେଥିରେ କଷ୍ଟରେ ପରିବାର ଚଳୁଛି। ପୁଅ ଓ ମା’ର ଭତ୍ତା ଟଙ୍କା ଶିବଙ୍କୁ ଟିକେ ଆସ୍ବସ୍ତି ଦେଉଥିଲେ ବି ଘର ପାଇଁ ଚିନ୍ତାରେ ପୁରା ପରିବାର ।  ସରକାର ଗରିବ ଲୋକଙ୍କୁ ଘରୁ ଯୋଗାଇଦେବାକୁ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତଳସ୍ତରର ଅଧିକାରୀମାନଙ୍କ ଅବହେଳା ଯୋଗୁ ଗରିବ ଲୋକଟିକୁ ଘର ଖଣ୍ଡେ ପାଇଁ ଏଭଳି ବର୍ଷ ବର୍ଷ ଧରି ହଇରାଣ ହେବାକୁ ପଡୁଛି। କେକେ ସରକାରଙ୍କ ନଜର ଶିବଙ୍କ ପରିବାର ଉପରେ ପଡୁଛି ତାହା ଉପରେ ନିର୍ଭର କରୁଛି ତାଙ୍କର ଘର ସ୍ବପ୍ନ ।