ମୁଖ ସୌନ୍ଦର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ ଓଠ । ଗୋଲାପୀ , ନରମ ଏବଂ ସୁସ୍ଥ ଓଠ ପ୍ରତିଟି ବ୍ୟକ୍ତିତ୍ବକୁ ଆକର୍ଷଣୀୟ କରିଥାଏ । ଆପଣ ଅନେକ ଲୋକଙ୍କ ମଳିନ ପଡ଼ିଥିବା ଓଠକୁ ଦେଖିଥିବେ ଯାହା ଦେଖିବାକୁ ଶୁଷ୍କ ଏବଂ ନିସ୍ତେଜ ଦେଖାଯାଏ । ବେଳେବେଳେ ଏହା ଆତ୍ମବିଶ୍ବାସ କମିବାର କାରଣ ମଧ୍ୟ ପାଲଟିଯାଏ । ତେବେ ମନରେ ବେଳେବେଳେ ପ୍ରଶ୍ନ ଆସେ ଓଠ କଳା ପଡ଼େ କାହିଁକି ? ଅଧିକ ସମୟ ଖରା ସଂସ୍ପର୍ଶରେ ଆସିବା , ଧୂମପାନ କରିବା , ଶରୀରରେ ଜଳୀୟ ଅଂଶର ଅଭାବ,ବାରମ୍ବାର ଓଠକୁ ଦାନ୍ତରେ କାମୁଡ଼ିବା କିମ୍ବା ଚାଟିବା,ଅତ୍ୟଧିକ ରାସାୟନିକ ଯୁକ୍ତ ଲିପଷ୍ଟିକ୍ ବ୍ୟବହାର କରିବା କିମ୍ବା ଶରୀରରେ ଭିଟାମିନର ଅଭାବ ଦେଖାଦେଲେ ଓଠ କଳା ପଡ଼ିଥାଏ । ଅନେକ ସମୟରେ ଏ ସବୁ ପରିବର୍ତ୍ତନ ଉପରେ ଆମେ ଧ୍ୟାନ ଦେଇନଥାଉ କିନ୍ତୁ ବେଳ ଥାଉ ଥାଉ ଯତ୍ନ ନ ନେଲେ ଏହା ସ୍ଥାୟୀ ମଧ୍ୟ ହୋଇପାରେ । ତେବେ କିଛି ଘରୋଇ ଉପଚାର ମାଧ୍ୟମରେ ଆପଣ ନିଜ ଓଠର ହଜିଯାଇଥିବା ଆର୍ଦ୍ରତାକୁ ପୂର୍ବ ପରି ଫେରାଇ ଆଣିପାରିବେ ।
/kanak/media/media_files/2025/04/21/7wZyq7enGHzCg4BDXWmd.jpg)
ଓଠ କଳା ପଡ଼ିବାର କାରଣ ?
୧ . ବିନା କୌଣସି ସୁରକ୍ଷାରେ ଖରାବେଳେ ଅଧିକ ସମୟ ବାହାରେ ରହିଲେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିର ପ୍ରଭାବ ଓଠ ଉପରେ ପଡ଼ିଥାଏ , ଯେଉଁ କାରଣରୁ ଓଠ ଧୀରେ ଧୀରେ କଳା ପଡ଼ିବା ଆରମ୍ଭ ହୁଏ । ତେଣୁ ଖରାରେ ବାହାରିଲେ ଛତା ଧରିବାକୁ ଭୁଲନ୍ତୁ ନାହିଁ ।
୨ . ସିଗାରେଟ୍ , ବିଡ଼ି କିମ୍ବା ତମ୍ବାଖୁରେ ଥିବା ନିକୋଟିନ୍ ଓଠର ପ୍ରାକୃତିକ ରଙ୍ଗକୁ ନଷ୍ଟ କରିଦିଏ , ଯେଉଁଥିପାଇଁ ଓଠର ରଙ୍ଗ ମଳିନ ପଡ଼ି କଳା ହୋଇଯାଏ ।
୩ . ଶରୀରରେ ପାଣିର ଅଭାବ ମଧ୍ୟ ଓଠ କଳା ପଡ଼ିବାର ମୁଖ୍ୟ କାରଣ । ସଠିକ୍ ପରିମାଣରେ ପାଣି ନ ପିଇବା ଏବଂ ଶରୀରରେ ଆର୍ଦ୍ରତା କମିଯିବା କାରଣରୁ ଓଠ ଶୁଖିଲା ହୋଇ ଫାଟିବାକୁ ଲାଗେ ଏବଂ ଏହାର ରଙ୍ଗ ଫିକା ପଡ଼େ ।
୪ . ମହିଳାମାନେ ବ୍ୟବହାର କରୁଥିବା କିଛି ଲିପଷ୍ଟିକ୍ କିମ୍ବା ଲିପ୍ ବାମରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ ଯାହା ଚର୍ମକୁ କ୍ଷତି ପହଞ୍ଚାଇବାର କାମ କରେ । ତେଣୁ କମ୍ ଦାମରେ ମିଳୁଥିବା ଲିପଷ୍ଟିକ୍ କିମ୍ବା ବାମ୍ ଓଠରେ ଲଗାନ୍ତୁ ନାହିଁ ।
୫ . ଶରୀରରେ ଭିଟାମିନର ଅଭାବ ମଧ୍ୟ ଓଠ କଳା ପଡ଼ିବାର ମୁଖ୍ୟ କାରଣ ହୋଇପାରେ । ଭିଟାମିନ୍ B12 , C ଏବଂ Eର ଅଭାବ ହେଲେ ଚର୍ମ ଫିକା ଏବଂ କଳା ହେବାକୁ ଲାଗେ ।
/kanak/media/media_files/2025/04/21/lBiorasEOOgAf1sa7E6r.jpg)
ଓଠକୁ ପୁଣି ଗୋଲାପୀ କରିବାର ଘରୋଇ ଉପାୟ :
୧ . ବିଟ୍ ରସ : ବିଟରେ ପ୍ରାକୃତିକ ରଙ୍ଗ ଥାଏ ଯାହା ଓଠକୁ ଗୋଲାପୀ କରିଥାଏ । ଶୋଇବା ପୂର୍ବରୁ ବିଟର ରସକୁ ଓଠରେ ଲଗାନ୍ତୁ ଏବଂ ସକାଳେ ଓଠକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।
୨ . ଲେମ୍ବୁ ଓ ମହୁ : ଲେମ୍ବୁର ବ୍ଲିଚିଙ୍ଗ୍ ଗୁଣ ଏବଂ ମହୁର ଆର୍ଦ୍ରତା ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ । ୧ ଚାମଚ ଲେମ୍ବୁ ରସରେ ୧ ଚାମଚ ମହୁ ମିଶାଇ ଓଠରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ୍ ଛାଡ଼ି ଧୋଇ ନିଅନ୍ତୁ । ଏହି ଉପାୟକୁ ୨୦ ଦିନ ଧରି ଲଗାତାର କରନ୍ତୁ ଏବଂ ଫରକ ଜାଣନ୍ତୁ ।
୩ . ଆଲୋଭେରା ଜେଲ୍ : ଆଲୋଭେରା ଜେଲ୍ ଚର୍ମକୁ ଥଣ୍ଡା ରଖିବା ସହ ହଜିଯାଇଥିବା ରଙ୍ଗ ଫେରାଇ ଆଣିବାରେ ସହାୟକ ହୋଇଥାଏ । ଏଥିପାଇଁ ରାତି ସାରା ଓଠରେ ଆଲୋଭେରା ଜେଲ୍ ଲଗାଇ ଶୁଅନ୍ତୁ ସକାଳୁ ଏହାକୁ ଧୋଇନିଅନ୍ତୁ ।
୪ . ନଡ଼ିଆ ତେଲ ଓ ବାଦାମ ତେଲ : ଏହି ଦୁଇଟି ତେଲ ଓଠକୁ ପୋଷଣ ଦେବା ସହ କଳାପଣକୁ ମଧ୍ୟ ଦୂର କରିଥାଏ । ରାତିରେ ବିଛଣାକୁ ଯିବା ପୂର୍ବରୁ ଏ ଦୁଇଟି ତେଲ ମଧ୍ୟରୁ ଯେକୌଣସି ବି ତେଲ ନେଇ ଓଠରେ ମାଲିସ୍ କରିପାରିବେ ।
୫ . ମହୁ ଏବଂ ଚିନି : ମୃତ ଚର୍ମକୁ ସତେଜ ଏବଂ ନରମ କରିବାର ଶକ୍ତି ରଖେ ମହୁ ଏବଂ ଚିନିର ସ୍କ୍ରବ୍ । ଅଳ୍ପ ଚିନିରେ ମହୁ ମିଶାଇ ଓଠରେ ହାଲକା ମାଲିସ୍ କରନ୍ତୁ । ସପ୍ତାହରେ ୨ ରୁ ୩ ଥର ଏମିତି କଲେ ଫରକ ଜାଣିପାରିବେ ।