କନକ ବ୍ୟୁରୋ: ସକାଳୁ ଆଖି ଖୋଲୁ ଖୋଲୁ ବିଛଣାରୁ ଉଠି ଯେତେବେଳେ ପ୍ରଥମ ପାଦ ପକାଉ ସେତେବେଳେ ତଳି ପାଦରେ ପ୍ରବଳ ପୀଡ଼ା ଅନୁଭବ ହୁଏ । ଆଗକୁ ବଢ଼ୁଥିବା ପାଦଟି ପୁଣିଥରେ ପଛକୁ ଫେରିଯାଏ ବିଛଣାକୁ । ତା’ପରେ ଧିରେ ଧିରେ ଯନ୍ତ୍ରଣା କମିଲେ ଆରମ୍ଭ ହୁଏ ନିତ୍ୟକର୍ମ । ଦିନେ ଦୁଇଦିନ ହେଲେ କିଛି ଫରକ ପଡ଼େନି କିନ୍ତୁ ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼େ ତା’ହେଲେ ଏହାକୁ ଅଣଦେଖା କରିବା ଭାରି ପଡ଼ିପାରେ । ଲୋକ ଏହାକୁ ଥକ୍କାପଣ କିମ୍ବା ବର୍ଦ୍ଧିତ ବୟସରେ ଶରୀର ଏଭଳି ଯନ୍ତ୍ରଣା ଦେଇ ଗତି କରେ ବୋଲି ଭାବିଥା’ନ୍ତି । କିନ୍ତୁ ବାସ୍ତବରେ ଏହା ଆପଣଙ୍କ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱର ଅଭାବର ଲକ୍ଷଣକୁ ସୂଚାଉଛି । ସକାଳେ ଗୋଡ଼ରେ ଯନ୍ତ୍ରଣା ପ୍ରାୟତଃ ଭିଟାମିନ୍ ଡି, କ୍ୟାଲସିୟମ୍ କିମ୍ବା ମ୍ୟାଗ୍ନେସିୟମ୍ ଅଭାବ ସହିତ ଜଡ଼ିତ ଏବଂ ଏହାକୁ ଠିକ୍ କରିବା ମଧ୍ୟ ଆପଣଙ୍କ ହାତରେ । ତେବେ ଏଭଳି  ସମସ୍ୟା କେଉଁଥିପାଇଁ ହୁଏ ଆସନ୍ତୁ ଜାଣିବା । 

Advertisment

ବାରମ୍ବାର ଆତ୍ମହତ୍ୟା ଧମକ ଦେଲେ ଛାଡ଼ପତ୍ର

ଶରୀରରେ ‘ଭିଟାମିନ୍ ଡି’ , ‘କ୍ୟାଲସିୟମ’ର ଅଭାବ ହେଲେ ଏଭଳି ସମସ୍ୟା ଦେଖାଯାଏ । ଭିଟାମିନ୍ ଡି ହାଡ଼ ଏବଂ ମାଂସପେଶୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରି । ଏହାର ଅଭାବ ହାଡ଼କୁ ଦୁର୍ବଳ କରିପାରେ ଏବଂ ତଳିପାଦରେ ଯନ୍ତ୍ରଣା ସୃଷ୍ଟି କରିପାରେ । କ୍ୟାଲସିୟମ ଅଭାବ ହାଡ଼ ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିପାରେ । ସକାଳୁ ଉଠି ଯେତେବେଳେ ଆପଣ ଚାଲିବା ଆରମ୍ଭ କରନ୍ତି ଶରୀରରେ ଏକ ପ୍ରକାର ଚାପ ପ୍ରୟୋଗ କରନ୍ତି । ସେତେବେଳେ ଆପଣଙ୍କ ଗୋଡ଼ରେ ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖାଯାଏ । ମ୍ୟାଗ୍ନେସିୟମ୍ ଅଭାବ କାରଣରୁ ମଧ୍ୟ ଏହି ଅସୁବିଧା ଦେଖାଯାଏ । ସଠିକ୍ ସ୍ନାୟୁ ଏବଂ ମାଂସପେଶୀ କାର୍ଯ୍ୟ ପାଇଁ ମ୍ୟାଗ୍ନେସିୟମ୍ ଅତ୍ୟାବଶ୍ୟକ । ଏଥିରେ ଅଭାବ ହେଲେ କ୍ରାମ୍ପ୍ ଏବଂ ଜଳାପୋଡ଼ା ଭଳି ଲକ୍ଷଣ ସୃଷ୍ଟି ହୋଇପାରେ । ଶରୀରରେ ପାଣିର ଅଭାବ ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ତଳିପାଦ ଶୂନ୍ ପଡ଼ିଯାଏ କିମ୍ବା ଗୋଡ଼ରେ ଯନ୍ତ୍ରଣା ଅନୁଭବ ହୋଇପାରେ । ତେବେ ଏହି ଯନ୍ତ୍ରଣାରୁ କେମିତି ମୁକ୍ତି ପାଇବେ ଆସନ୍ତୁ ଜାଣିବା । 

ପ୍ରାକୃତିକ ଭାବରେ ଭିଟାମିନ୍ ଡି ପାଇବା ପାଇଁ ପ୍ରତିଦିନ ୨୦ ମିନିଟ୍ ସୂର୍ଯ୍ୟକିରଣରେ ବସନ୍ତୁ । ଖାଦ୍ୟରେ କ୍ଷୀର, ଦହି, ପନିର, ସବୁଜ ପନିପରିବା, ବାଦାମ ଏବଂ ଅଣ୍ଡା ଭଳି ସନ୍ତୁଳିତ ଆହାର ସାମିଲ କରନ୍ତୁ । ସକାଳେ ଉଠିବା ପୂର୍ବରୁ ବିଛଣାରେ ହିଁ ପାଦକୁ ଷ୍ଟ୍ରେଚିଙ୍ଗ୍ କରନ୍ତୁ । ତଳିପାଦରେ ଏକ ହାଲୁକା ଗରମ ସେକ ଦିଅନ୍ତୁ,ଏହା ମାଂସପେଶୀକୁ ଆରାମ ଦେବ । ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଇପାରିବେ । ସକାଳେ ଗୋଡ଼ ତଳେ ଯନ୍ତ୍ରଣା ହେବା ସାମାନ୍ୟ କଥା ନୁହେଁ । ଏହା ଏକ ଧୀରେ ଧୀରେ ବୃଦ୍ଧି ପାଉଥିବା ଅଭାବର ଲକ୍ଷଣ ହୋଇପାରେ ଯାହାକୁ ଶୀଘ୍ର ଚିହ୍ନଟ କରିବା ଜରୁରି । ଆପଣଙ୍କ ଶରୀର ଦେଉଥିବା ସିଗନାଲକୁ ଅଣଦେଖା କରନ୍ତୁ ନାହିଁ । ଟିକିଏ ଯତ୍ନ ନେଲେ ଆପଣ ଆପଣଙ୍କ ଦିନଟି ଯନ୍ତ୍ରଣାର ସହ ନୁହେଁ ବରଂ ଫୁର୍ତ୍ତିଲା ଅନୁଭବ କରି ଆରମ୍ଭ କରିପାରିବେ ।