କନକ ବ୍ୟୁରୋ : ଜାଡ଼ି ନଦୀ କେନାଲ ଖୋଳାକୁ ନେଇ ବ୍ରହ୍ମଗିରି ହରିଦାସ ଗାଁରେ ଉତ୍ତେଜନା । କେନାଲ ଖୋଳାକୁ ନେଇ ପୁଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷରେ ସମସ୍ୟାକୁ ଆଖି ଆଗରେ ରଖି ଏ ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ସହ ଆଲୋଚନା ହୋଇଥିଲା । କିନ୍ତୁ ଆଲୋଚନାରୁ ସମାଧାନର ବାଟ ବାହାରିପାରିନଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସଂପୃକ୍ତ ସ୍ଥାନରେ ଗତକାଲି ବିଏନଏସ ୧୬୩ ଘୋଷଣା ହୋଇଥିଲା ।

Advertisment

ଆଜି ସକାଳୁ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ସହିତ କେନାଲରୁ ଅବରୋଧ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ପୂର୍ବରୁ ସୂଚନା ପାଇ ହରିଦାସ ଗାଁର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିବା ସହ କେନାଲ ନିକଟରେ ବସିରହିଥିଲେ । ପୁଲିସ ପହଞ୍ଚିବା ପରେ ହୋଇଥିଲା ଧସ୍ତାଧସ୍ତି

ଅଧିକ ପଢ଼ନ୍ତୁ : ଶନିବାର ରାତି, ସିସିଟିଭି ସାକ୍ଷୀ; ବାଣପୁର ଥାନାରେ ବର୍ବରୋଚିତ କାଣ୍ଡ !

କେନାଲକୁ ନେଇ ହରିଦାସ ଓ କୁସୁବେଣ୍ଟି ମଧ୍ୟରେ ବିବାଦ ଲାଗିଛି ରହିଛି । ଆଜି ସ୍ଥିତି ଏଭଳି ହୋଇଥିଲା ଯେ, ପୁରୁଷ ରାସ୍ତା ଉପରେ ଶୋଇରହିଲେ, ମହିଳା ପୁଲିସକୁ ଘେରବନ୍ଦୀ କରିରଖିଲେ । ମହିଳା ପୁଲିସ ଉପରକୁ ପଙ୍କ କାଦୁଅ ଫିଙ୍ଗିଥିଲେ । ପୁଲିସ ୩୦ ଜଣଙ୍କୁ ଉଠାଇନେଇଛି । ଠେଲାପେଲା ଓ ଧସ୍ତାଧସ୍ତିରେ ୫ଜଣ ପୁଲିସ ଆହତ ହୋଇଛନ୍ତି । ଆହତଙ୍କୁ ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ୪ ଘଣ୍ଟାର କସରତ ପରେ କେନାଲ ଖୋଳିଛି ପ୍ରଶାସନ । ମୁଖ୍ୟ ବନ୍ଧକୁ ମେସିନ ଲଗାଇ ଭଙ୍ଗାଯାଇଛି ଓ କେନାଲ ସଫା ହୋଇଛି ।

ତିରିଶ ବର୍ଷର ସମସ୍ୟା ସମାଧାନରେ ପ୍ରଶାସନ ଉଦ୍ୟମ ସଫଳ ହୋଇଛି । କିନ୍ତୁ ପରବର୍ତ୍ତୀ ସ୍ଥିତିକୁ ପୁଲିସ କିଭଳି ସାମ୍ନା କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।