କନକ ବ୍ୟୁରୋ : ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍‌ସ୍ପନ୍ଦନ ସେତେ ତୀବ୍ର ହେଉଛି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ  ସବୁଠି ଉତ୍ସାହ । ଜିରୋନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ଆଜି ମଧ୍ୟରାତ୍ରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି । ସେଲିବ୍ରେସନ୍ ମାହୋଲରେ ମସଗୁଲ୍ ହୋଇଛି ପୂରା ସହର ।  ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ । ଯୁବପୀଢ଼ିଙ୍କ ନୂଆବର୍ଷ ପାଳନର ଉତ୍ସାହକୁ ଦୃଷ୍ଟିରେ ରଖି ସହରର ଛୋଟ ବଡ଼ ହୋଟେଲ, ରେସ୍ତୋରାଁ, କଫିଶପ୍, ଶପିଂମଲ୍ ଓ ଡିଜେ କ୍ଲବ୍ଗୁଡ଼ିକରେ ‘ଜିରୋ ନାଇଟ୍’ ସେଲିବ୍ରେଶନ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି ।

Advertisment

ରାତି ୮ଟାରୁ ସେଲିବ୍ରେଶନ ଆରମ୍ଭ ହୋଇ ମଧ୍ୟରାତି ପର୍ଯ୍ୟନ୍ତ ଚାଲିବ। ଲୋକଙ୍କ ପସନ୍ଦଙ୍କୁ ଦୃଷ୍ଟିରେ ରଖି କେତେକ ତାରକା ହୋଟେଲ ବିଦେଶୀ ଡ୍ୟାନ୍ସରଙ୍କ ନୃତ୍ୟ ସହ ଡିଜେ ନାଇଟର ଆୟୋଜନ କରିଥିବାବେଳେ ଆଉ କେତେକ ହୋଟେଲ ଓ କ୍ଲବ ଗୀତନାଚକୁ ଗୁରୁତ୍ୱ ନ ଦେଇ ଭଳିକିଭଳି ଖାଦ୍ୟ, ପାନୀୟର ଅଫର୍ ସହ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଜିରୋ ନାଇଟ ପାଇଁ ସଜାଗ ହେଲାଣି କମିଶନରେଟ ପୋଲିସ । ମଦପିଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ସେହିଭଳି କୌଣସି ଅଘଟଣ ଓ ଟ୍ରାଫିକ୍ ସମସ୍ୟାକୁ ଦୁରେଇବା ପାଇଁ, ପୋଲିସ ସଜାଗ ଥିବା କହିଛନ୍ତି ପୋଲିସ କମିଶନର ।

ସେପଟେ ସିଲଭରସିଟି କଟକରେ ବି ଜୋରଦାର ବ୍ୟବସ୍ଥା । ବିଭିନ୍ନ ଷ୍ଟାର ହୋଟେଲରେ ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ପାଇଁ ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ସବୁ ଛକରେ ବ୍ଲକିଂ ଓ ଚେକିଂ କରାଯିବା ସହ ବାଣ ଫୁଟାଇବା ଓ ଡାକ ବାଜିଯନ୍ତ୍ର ଉପରେ କଟକଣା ଲାଗୁ ହୋଇଛି ।