ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ : ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌, ଛତୁଚାଷ କରି ସ୍ବାବଲମ୍ବୀ ହେଲେ କଟକର ପ୍ରଦୀପ୍ତ

289

କନକ ବ୍ୟୁରୋ : ଜୀବନ ସଂଗ୍ରାମରେ ସେ କେବେ ବି ହାର୍‌ ମାନି ନାହାନ୍ତି । ଦୃଢ ଇଚ୍ଛାଶକ୍ତି, ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଅଳ୍ପ ପାଠ ପଢ଼ିଥିଲେ ବି ନିଜର ବୁଦ୍ଧି ଓ ନିଷ୍ଠା ବଳରେ କଟକ ଜିଲ୍ଲା ସାଲେପୁର ବ୍ଳକ୍‌ ମହାଜନପୁର ଗ୍ରାମର ପ୍ରଦୀପ୍ତ କୁମାର ନାଥ (୪୯) ଛତୁଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟ ୩ଟି ପରିବାରକୁ ମଧ୍ୟ ରୋଜଗାର ଯୋଗାଉଛନ୍ତି ।

ପ୍ରଦୀପ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍‌ । ପରିବାର କହିଲେ ସ୍ତ୍ରୀ ସୁପ୍ରଭା, ଦୁଇ ଝିଅ ଓ ବୁଢ଼ା ବାପା । ପ୍ରଦୀପ୍ତ ପ୍ରଥମେ ଅଟୋ ଚଳାଉଥିଲେ । କିନ୍ତୁ ମାସକୁ ରୋଜଗାର ୭ ହଜାର ଟଙ୍କା ଭିତରେ ସୀମିତ ରହୁଥିଲା । ଝିଅ ଦୁହେଁ ଭଲ ପଢୁଥିବାରୁ ସେମାନଙ୍କ ପାଠପଢା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇ ପଡ଼ିଲା । ନିଜେ ଅଧିକ ପାଠ ପଢି ପାରି ନଥିବାରୁ ପିଲାଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବାକୁ ସ୍ବପ୍ନ ଦେଖୁଥିଲେ ପ୍ରଦୀପ୍ତ । ତେଣୁ ଅଧିକ ଅର୍ଥ ରୋଜଗାର ଆଶା ରଖି ୨୦୧୩ ମସିହାରୁ ଆରମ୍ଭ କଲେ ଛତୁଚାଷ । ଅଟୋ ଚଳାଇ ସଂଚୟ ରଖିଥିବା ୨୦ ହଜାର ଟଙ୍କାରେ ସେ ଦୁଇ ଗୁଣ୍ଠ ଜମିରେ ଆରମ୍ଭ କଲେ ଛତୁଚାଷ ।

ପ୍ରଥମେ ପ୍ରଥମେ ସେତେ ଭଲ ବ୍ୟବସାୟ ହୋଇ ନ ଥିଲେ ବି ପରବର୍ତ୍ତୀ ସମୟରେ ଭଲ ବ୍ୟବସାୟ ହେଲା। ଏବେ ତାଙ୍କ ଫାର୍ମରେ ମାସକୁ ୧୨ କ୍ବିଣ୍ଟାଲ ଛତୁ ଉତ୍ପାଦନ ହେଉଛି । ଘରୁ ପାଖାପାଖି ୨୫ କେଜି ଛତୁ ଲୋକ ଆସି ନେଉଛନ୍ତି। ବ୍ୟବସାୟ ପାଇଁ ବିଶେଷ କରି ଯୋବ୍ରା ବଜାର ଉପରେ ସେ ନିର୍ଭର କରନ୍ତି । ‌ବସ୍‌ରେ ଘରୁ ଛତୁ ପ୍ୟାକିଂ କରି ଯୋବ୍ରାରେ ବସୁଥିବା ବ୍ୟବସାୟୀଙ୍କୁ ପଠାନ୍ତି । ବର୍ଷତମାମ୍‌ କେବଳ ପାଳ ଛତୁ ଚାଷ କରୁଥିବା ପ୍ରଦୀପ୍ତ ଭବିଷ୍ୟତରେ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବଡ଼ଝିଅ ଏକ ଘରୋଇ କଲେଜରେ ପଢୁଥିବା ବେଳେ ସାନ ଝିଅ ସପ୍ତମ ଶ୍ରେଣୀରେ ପଢୁଛି ।

ପ୍ରଥମେ ସେ ନିଜସ୍ବ ଉଦ୍ୟମରେ ଛତୁ ଚାଷ ଆରମ୍ଭ କରିଥିବା ବେଳେ ଏବେ ଉଦ୍ୟାନ ବିଭାଗ ସହାୟତା ଦେଉଛି । ବିଭାଗ ମାଧ୍ୟମରେ ନେଇଥିବା ଦେଢ଼ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣରୁ ୧ଲକ୍ଷ ଟଙ୍କା ସବ୍‌ସିଡି ମିଳିବ ବୋଲି କୁହାଯାଇଛି । ନିଜ ପରିବାର ପୋଷିବା ସହ ଅନ୍ୟ ୩ଜଣଙ୍କୁ ନିଯୁକ୍ତି ଦେଇ ପ୍ରଦୀପ୍ତ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟ ହୋଇଛନ୍ତି । ପ୍ରଦୀପ୍ତଙ୍କ ସଂପର୍କରେ ଜିଲ୍ଲା ଉଦ୍ୟାନ କୃଷି ଉପ‌ନିର୍ଦ୍ଦେଶକ ବୈଷ୍ଣବ ଚରଣ ବାରିକ କହନ୍ତି ଯେ, ‘ତାଙ୍କୁ ଆମେ ଜିଲ୍ଲାର ମାଷ୍ଟର ଟ୍ରେନର୍‌ ଭାବେ ଗ୍ରହଣ କରିଛୁ । ସେ ଜିଲ୍ଲାର ସମସ୍ତ ଆଗ୍ରହୀ ଗ୍ରୁପ୍‌ଙ୍କୁ ଛତୁଚାଷ ଉପରେ ତାଲିମ୍ ଦେବେ। କୃଷିମନ୍ତ୍ରୀ ମଧ୍ୟ ପ୍ରଦୀପ୍ତଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କ ସଂପର୍କରେ ରିପୋର୍ଟ ମାଗିଥିବା ଜଣା ପଡିଛି ।