କନକ ବ୍ୟୁରୋ : ଏବେ କେଉଁ ଗାଁକୁ ଯିବା ବିଲକୁଲ ସହଜ ନୁହେଁ। ଅଜଣା, ଅଶୁଣା ଲୋକ ତ ଗାଁରେ ପଶିବା ମନା। ଗାଁ ଭିତରକୁ ଯିବାକୁ ହେଲେ ପର୍ଯ୍ୟାପ୍ତ କାରଣ ଥିବା ଆବଶ୍ୟକ। ପୁଣି ଗାଁକୁ ପଶିବା ପୂର୍ବରୁ ସାବୁନରେ ହାତ ଧୋଇବା ବାଧ୍ୟତାମୂଳକ। କାରଣ ଗାଁ ଜଗିଛନ୍ତି ଠେଙ୍ଗା ବାହିନୀ। ଗାଁ ଭିତରକୁ ଆଗନ୍ତୁକଙ୍କୁ ପଶିବାକୁ ଦେଉ ନାହାନ୍ତି। କରୋନା ନେଇ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ କୋରାପୁଟ ଜିଲ୍ଲାର ଶହ ଶହ ଗାଁରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ପାଳି କରି ଗାଁ ଜଗୁଛନ୍ତି ଯୁବଗୋଷ୍ଠୀ। ଗାଁକୁ କରୋନାରୁ ସୁରକ୍ଷା ଦେବା ପାଇଁ ଏମାନେ ସାରଥୀ ପାଲଟିଛନ୍ତି। କେବଳ ଏତିକି ନୁହେଁ, କରୋନା ମୁକାବିଲା ନେଇ ସେମାନେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ସମାଜକୁ ଏକ ସୁସ୍ଥ ସନ୍ଦେଶ ଦେଉଛନ୍ତି।
ସାରା ବିଶ୍ବରେ ଏବେ କରୋନା ଆତଙ୍କ। ଏହି କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତେବେ କେବଳ ସଚେତନତା ହିଁ ଏହି ଭାଇରସର ସଂକ୍ରମଣକୁ ରୋକିପାରିବ। ଏଥିପାଇଁ କୌଣସି ଔଷଧ ବାହାରି ନ ଥିଲା ବେଳେ ଲୋକମାନେ ନିଜ ଘରେ ରହି ସଂକ୍ରମଣରୁ ରକ୍ଷା ପାଇ ପାରିବେ। ବାହାରକୁ ବାହାରି ଭାଇରସକୁ ଗାଁକୁ ନ ଆଣିବା ପାଇଁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । ଏପରିକି ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। କିନ୍ତୁ କିଛି ଲୋକ ଏହାକୁ ମାନୁ ନାହାନ୍ତି। ଘରେ ନ ରହି ବାହାରେ ଚକ୍କର କାଟୁଛନ୍ତି । ଫଳରେ ସଂକ୍ରମଣର ଆଶଙ୍କା ବଢ଼ି ଯାଉଛି । ଏହାକୁ ପ୍ରତିହତ କରିବା ପାଇଁ ଏବେ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁରେ ସଚେତନ ଯୁବକମାନେ ଆଗକୁ ଆସିଛନ୍ତି ।
ଗାଁକୁ ଏହି କରୋନା ଭୂତାଣୁକୁ ପଶାଇ ନ ଦେବା ପାଇଁ ସେମାନେ ପଣ କରିଛନ୍ତି। ଅଜଣା ଲୋକଙ୍କୁ ଗାଁ ଭିତରକୁ ପଶିବାକୁ ଅନୁମତି ଦେଉ ନାହାନ୍ତି। ଖାଲି ଏତିକି ନୁହେଁ, ଗାଁ ଲୋକ ମଧ୍ୟ ବାହାରକୁ ଯିବା ଉପରେ ରୋକ୍ ଲାଗିଛି। ବିନା କାରଣରେ ଗାଁରୁ ଯେମିତି କେହି କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ତେବେ ଏହି ଯିବା ଆସିବା ସମୟରେ ସାବୁନରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି।
କୋରାପୁଟ ବ୍ଲକ୍ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ଡଙ୍ଗରି ଓ ଆଖପାଖ ୧୦ଖଣ୍ଡ ଗାଁର ଲୋକେ କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ଡଙ୍ଗରି ଛକରେ ଏକ ଅସ୍ଥାୟୀ ଫାଟକ ନିର୍ମାଣ କରି ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରବେଶକୁ ନିଷେଧ କରିବା ସହିତ ଗ୍ରାମବାସୀଙ୍କ ଯିବା ଆସିବାକୁ ମଧ୍ୟ ନିୟନ୍ତ୍ରଣ କରାଯାଉଛି । ଏହି ଦଶ ଖଣ୍ଡ ଗାଁରୁ ଜଣେ ଦୁଇଜଣ ପ୍ରତିନିଧି ଭାବେ ଏହି ଛକକୁ ଆସି ସାମାଜିକ ଦୂରତ୍ବ ପାଳନ କରିବା, ସାବୁନରେ ହାତ ଧୋଇବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଅଭ୍ୟାସ ସଂପର୍କରେ ଜାଣିବା ପାଇଁ ପ୍ରୟାସ କରିଥିଲେ। ଅଙ୍ଗନବାଡ଼ି ଦିଦି ଏମାନଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଧାରଣା ଦେଇଥିବା ବେଳେ ପଂଚାୟତର ୱାର୍ଡ ମେମ୍ବର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ନିର୍ଦେଶନାମା ସମ୍ପର୍କରେ ଅବଗତ କରାଇଥିଲେ ।
ଲୋକେ ଏକାଠି କଥାବାର୍ତା କରିବା ସମୟରେ ପରସ୍ପରଠାରୁ ଆବଶ୍ୟକ ହେଉଥିବା ଦୂରତ୍ୱ ବଜାୟ ରଖି ଏକ ଉଦାହରଣ ସୃଷ୍ଟି କରିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହଁ, ଜିଲ୍ଲାର ବିଭିନ୍ନ ଅଂଚଳରେ ଏମିତି ଚିତ୍ର ଏବେ ଦେଖିବାକୁ ମିଳୁଛି। ଏପରିକି ପଛୁଆ ଅଂଚଳ କୁହାଯାଉଥିବା ବନ୍ଧୁଗାଁ, ନାରାୟଣପାଟଣା ଆଦି ଅଂଚଳରେ ବି ଏମିତି ଯୁବ ଗୋଷ୍ଠୀ ଗାଁ ସୁରକ୍ଷାର ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି। ଏହା ସହିତ ଗୁଜବ ଉପରେ ବିଶ୍ବାସ ନ କରି ଟିଭି ଓ ଖବରକାଗଜରେ ଦିଆଯାଉଥିବା ବାର୍ତ୍ତାକୁ ବିଶ୍ବାସ କରିବାକୁ ପରାମର୍ଶ ଦେଉଛନ୍ତି।
ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ବ ଦେଉଛନ୍ତି ଏହି ଯୁବଗୋଷ୍ଠୀ। ଫଳରେ ପ୍ରଶାସନ ପାଇଁ ଏବେ କାମ କିଛି ସହଜ ହୋଇ ପାରିଛି। ସହରରେ ବାସ କରୁଥିବା ଲୋକ ବିଭିନ୍ନ ବାହାନାରେ ବାହାରକୁ ବାହାରୁଥିଲା ବେଳେ ଗାଁରେ ଏମିତି ଘଟଣା ଏକ ଭିନ୍ନ ଉଦାହରଣ ସୃଷ୍ଟି କରୁଛି। ଅପରପକ୍ଷରେ କୋରାପୁଟରୁ ଶୁଭିଥିବା ଏହି ପରିବର୍ତ୍ତର ସ୍ବର କରୋନା ସହ ଲଢ଼ିବା ପାଇଁ ସାରା ଓଡ଼ିଶାକୁ ଶକ୍ତି ଦେବ ବୋଲି ଆଶା କରାଯାଉଛି।