ଲୌହଦାନବ ସାମ୍ନାରୁ ଆଶ୍ଚର୍ଯ୍ୟଜନକ ଭାବେ ନିଜକୁ ବଞ୍ଚାଇଲେ ଯୁବକ : ମାଡିଆସୁଥିଲା ମରଣ, ଉପାୟ ନପାଇ ଟ୍ରାକ ମଝିରେ ଶୋଇପଡିଲେ, ଉପର ଦେଇ ଚାଲିଗଲା ଟ୍ରେନ୍

631

କନକ ବ୍ୟୁରୋ : ମୃତ୍ୟୁ ସହ ମୁହାଁମୁହିଁ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ । ଟ୍ରେନ ଆସୁଥିବା ଦେଖି ଦୁଇ ରେଳ ଧାରଣା ମଝିରେ ଶୋଇ ପଡିଥିଲେ ଯୁବକ । ଉପରେ ଟ୍ରେନ ଚାଲିଯାଇଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ଜୀବନ ବଂଚାଇପାରିଛନ୍ତି ସୁନ୍ଦରଗଡ ଖଣ୍ଡାଧାର ଗାଁର ଦେବରାଜ ପାତ୍ର । ଏଭଳି ଛାତିଧରା ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ମଂଚେଶ୍ୱର ଷ୍ଟେସନ ନିକଟରେ । ଘଟଣା ଅନୁସାରେ ଦେବରାଜ ଏକ ଘରୋଇ କମ୍ପାନୀ ଚାକିରୀ ପାଇଁ ସାକ୍ଷାତକାର ଦେବାକୁ ଆସିଥିଲେ ।

ଆଉ ରେଳ ଧାରଣା ଉପରେ ଅନ୍ୟମନସ୍କ ଭାବେ ଚାଲିଚାଲି ମଂଚେଶ୍ୱର ରେଳଷ୍ଟେସନ ଆଡକୁ ଆସୁଥିବାବେଳେ ଭୁବନେଶ୍ୱର ଷ୍ଟେସନ ପଟୁ ଦ୍ରୁତଗତିରେ ଆସୁଥିଲା ଧଉଳି ଏକ୍ସପ୍ରେସ । ଏହା ଦେଖି ରେଳଲାଇନ କଡରେ ଥିବା ଲୋକେ ଚିତ୍କାର କରିଥିଲେ । ସେଠାରୁ ହଟିଯିବା ପାଇଁ ସ୍ଥାନୀୟ ଲୋକେ କହିଥିଲେ । ପଛପଟୁ ଟ୍ରେନ ଆସୁଥିବା ଜାଣି ଦେବରାଜ ଦୁଇ ରେଳଧାରଣା ମଧ୍ୟରେ ଶୋଇପଡିଥିଲେ । ପ୍ରାୟ ୧ ମିନିଟରେ ଟ୍ରେନ ତାଙ୍କ ଉପରେ ଚାଲିଯାଇଥିଲା । ଦେବରାଜ ଉପସ୍ଥିତ ବୁଦ୍ଧି ଘଟାଇ ନିଜକୁ ବଂଚାଇବାରେ ସକ୍ଷମ ହୋଇଥିଲେ ।

ତେବେ ଟ୍ରେନର ଶେଷ ବଗିରେ ଝୁଲୁଥିବା ହୋସ ପାଇପ ମାଡରେ ତାଙ୍କ ବାମ ହାତ କହୁଣି ଆଘାତପ୍ରାପ୍ତ ହୋଇଛି । ଘରେଇ ହସ୍ପିଟାଲରେ ଚିକିତ୍ସ। ପରେ ଦେବରାଜଙ୍କୁ ଛାଡିଦିଆଯାଇଛି । ମଂଚେଶ୍ୱର ଶିଳ୍ପାଂଚଳ ରାସ୍ତା ଦେଇ ଶହ ଶହ ଲୋକ ଷ୍ଟେସନକୁ ଯାଉଛନ୍ତି । ରେଳ ଲାଇନ ଉପରେ ଫୁଟ ଓଭରବ୍ରିଜ ଥିଲେ ବି ଲୋକେ ଏହାକୁ ବ୍ୟବହାର କରୁନାହାନ୍ତି । ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ।