ହୋମ ନିଆଁରେ ଜଳିଗଲା ଜୀବନର ସବୁ ଦୁଃଖ : ଚାନ୍ଦିନୀର ହାତ ପାହାନ୍ତରେ ସ୍ୱର୍ଗର ଚାନ୍ଦ, ଅଗ୍ନିକୁ ସାକ୍ଷୀ ରଖି ଅନାଥ ଝିଅର ହାତ ଧରିଲେ ବରଗଡ଼ର ଯୁବ ବ୍ୟବସାୟୀ

2,224

କନକ ବ୍ୟୁରୋ : ମନ୍ଦିର ପ୍ରାଙ୍ଗଣରେ ବେଦୀ ବନ୍ଧା ହୋଇଛି । ଆଉ ନୋଳ ମୁକୁଟ ପିନ୍ଧି ବେଦୀରେ ବସିଛି ଚାନ୍ଦିନୀ । ହାତରେ ଶଙ୍ଖା, ପାଦରେ ଅଳତା, ମଥାରେ ସିନ୍ଦୁର ନାଇ ମନର ମଣିଷକୁ ଅତି ସରାଗରେ ଅନେଇ ରହିଛି । ସ୍ୱପ୍ନରେ ବି ବିବାହ କଥା ଭାବିପାରୁନଥିବା ଅନାଥ ଝିଅଟି ଆଜି ଖୋଜିଲା ମଣିଷକୁ ପାଇଛି । ଏତେ ବଡ଼ ଦୁନିଆରେ ଏକା ଥିବା ଚାନ୍ଦିନୀ  ପାଇଛି ଭରିଲା ପୁରିଲା ପରିବାର । ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ବରକନ୍ୟା । ପିଲାବେଳୁ ଅନାଥାଶ୍ରମରେ ବଢ଼ିଥିବା ଚାନ୍ଦିନୀର ହାତ ଧରିଛନ୍ତି ବରଗଡ଼ର ଯୁବ ବ୍ୟବସାୟୀ କ୍ଷୀରୋଦ ଅଗ୍ରୱାଲ । ଅତି ଜାକଜମକରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଅନାଥ ଝିଅ ଚାନ୍ଦିନୀର ହାତ ଧରିଥିବା ଯୁବ ବ୍ୟବସାୟୀ ସମାଜସେବା କରୁକରୁ କେତେବେଳେ ଯେ ଚାନ୍ଦିନୀକୁ ମନ ଦେଇବସିଥିଲେ ଜାଣିପାରିନଥିଲେ । ବିବାହ ବାର୍ଷିକୀ, ଜନ୍ମୋତ୍ସବ, ଏକୋଇଶିଆ ଆଦି ପର୍ବରେ ନିୟମିତ ଅନାଥାଶ୍ରମ ଆସୁଥିଲେ କ୍ଷୀରୋଦ । ଆଉ ନିତିଦିନ ଦେଖାଚାହାଁ ଭିତରେ ଆଶ୍ରମରେ ମନରେ ମନ ମିଶିଲା । ଚାନ୍ଦିନୀ ଓ କ୍ଷୀରୋଦ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଆଉ ତା’ପରେ ପରିବାର ସମ୍ମତି କ୍ରମରେ ବିବାହ ।

ଚାନ୍ଦିନୀକୁ ସତେ ଯେମିତି ହାତପାହାନ୍ତାରେ ସ୍ୱର୍ଗର ଚାନ୍ଦ ମିଳିଯାଇଛି । ହାତକୁ ଦିହାତ ହୋଇଛି ଚାନ୍ଦିନୀ ।  ଭଙ୍ଗାଦଦରା ଘରେ ଭାଗ୍ୟକୁ ନିନ୍ଦୁଥିବା ଅନାଥ ଝିଅ ଚାନ୍ଦିନୀ ଆଜି ବଡ଼ଘର ବୋହୂ ସାଜିଛି । ହାତରେ ମେହେନ୍ଦି ସାଙ୍ଗକୁ ପିନ୍ଧିଥିବା ଲାଲ ଫରଫର ଶାଢ଼ୀରେ ଆଜି ବେଶୀ ସୁନ୍ଦର ଦିଶୁଛି ଚାନ୍ଦିନୀ । ଯୁବ ବ୍ୟବସାୟୀ କ୍ଷୀରୋଦ ଅଗ୍ରୱାଲଙ୍କ ସମସ୍ତ ହିନ୍ଦୁ ରୀତିନୀତି ଅନୁୁସାରେ ଚାନ୍ଦିନୀର ହାତ ଧରିଛନ୍ତି । ବରଗଡ଼ର ସିମେଣ୍ଟନଗର ସ୍ଥିତ ରାଣୀସତୀ ମନ୍ଦିରରେ ବର ପକ୍ଷଙ୍କ ପରିବାର ଓ ଅନାଥ ଆଶ୍ରମରେ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ବିବାହ ସମ୍ପର୍ଣ୍ଣ ହୋଇଛି । ଏହି ନିଆରା ବିବାହ ଭୋଜିରେ ଡାକ୍ତର, ସାମ୍ବାଦିକ, ଓକିଲ, ସମାଜସେବୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ଅନେକ ମାନଗଣ୍ୟ ବ୍ୟକ୍ତି ଯୋଗଦେଇ ନବଦମ୍ପତିଙ୍କୁ ଆଶିର୍ବାଦ ଦେଇଛନ୍ତି  ।

ହେଲେ ବିଦାୟ ବେଳାକୁ କୋହ ସମ୍ଭାଳି ପାରୁନି ଚାନ୍ଦିନୀ । ୨୧ ବର୍ଷ କାଳ ମନର ଡୋରରେ ବନ୍ଧା ସମ୍ପର୍କକୁ ଛାଡ଼ି ଗଲାବେଳକୁ ଆଖିର ଲୁହ ବୋଲ ମାନୁନି । କାନ୍ଦ ବୋବାଳିରେ ଫାଟିପଡ଼ୁଛି ଆଶ୍ରମ ପରିସର । ଚାନ୍ଦିନୀ ଦିଦିକୁ ଛାଡ଼ି ରହିବା କଥା ଚିନ୍ତା କରି କାନ୍ଦୁଛନ୍ତି କୁନି କୁନି ପିଲା । ବାଲ୍ୟକାଳର ଅଭୁଲା ସ୍ମୃତିକୁ ସାଉଣ୍ଟି ବିଦାୟ ନେଇଛି ଚାନ୍ଦିନୀ । ସେ ଯାହା ବି ହେଉ ଚାନ୍ଦିନୀ ଜୀନବରୁ ଦୁଃଖର ବାଦଲ ସବୁ ଅପରସରି ଯାଇଛି । ଅନାଥ ଝିଅ ଏବେ ସୁଖର ସଂସାର ଗଢ଼ିବ । ତେବେ ବିନା ଯୌତୁକରେ ଅନାଥ ଝିଅକୁ ବିବାହ କରିଥିବାରୁ ଯୁବ ବ୍ୟବସାୟୀ କ୍ଷୀରୋଦଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି । ସମାଜ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି ।