ହସ୍ପିଟାଲ ବାହାରେ ଛଟପଟ୍ ହେଉଛି ଆୟାନ୍ : ଲକଡାଉନର କଡ଼ା କଟକଣା ସାଙ୍ଗକୁ କରୋନା କରୋନା ଶବ୍ଦ ଭିତରେ ଲୁଚି ଯାଉଛି କୁନି ପୁଅର କାନ୍ଦଣା, ପୁଅକୁ ବଞ୍ଚାଇବାକୁ କାକୁତିମିତନି ହେଉଛି ଅଭାଗିନୀ ମା’

623

କନକ ବ୍ୟୁରୋ : ଯନ୍ତ୍ରଣାରେ ଝଟପଟ୍ ହେଉଛି କୁନି ଆୟାନ । ଦୁନିଆର ଭଲମନ୍ଦ ସୁଖଦୁଃଖ ଜାଣିବା ପୂର୍ବରୁ ଅସହ୍ୟ ଯନ୍ତ୍ରଣାରେ ଛାଟିପିଟି ହେଉଛି । ରାହା ଧରି କାନ୍ଦୁଛି, ଯେତେ ବୁଝାଇଲେ ତୁନି ହେଉନି । ପୁଅର କଷ୍ଟ ସହିପାରୁନି ଲାଚାର ମା’ । ଲକଡାଉନର କଡ଼ା କଟକଣା ସାଙ୍ଗକୁ କରୋନା କରୋନା ଶବ୍ଦ ଭିତରେ ଲୁଚି ଯାଉଛି କୁନି ପୁଅର କାନ୍ଦଣା । ପୁଅକୁ ବଞ୍ଚାଇବା ପାଇଁ କାହା ଗୋଡ଼ ଧରିପକାଉଛି ତ କାହାକୁ ହାରିଗୁହାରୀ ଶୁଣାଉଛି ଆଉ ଆକୁଳ ନିବେଦନ କରି ପୁଅକୁ ବଞ୍ଚାବାକୁ କାକୁତିମିନତି ହେଉଛି ଅଭାଗିନୀ ମା’ । ଜଟିଳ ମସ୍ତିସ୍କ ଅସ୍ତ୍ରୋପଚାରର ମାତ୍ର ଗୋଟିଏ ଦିନ ପରେ କୁନି ପୁଅକୁ ହସ୍ପିଟାଲରୁ ଡିସଚାର୍ଜ କରିଦଆଯାଇଛି । ଆଉ ଏବେ ହସ୍ପିଟାଲ ବାହାରେ ତମ୍ବୁ ମାରି ରୋଗୀଣା ପୁଅକୁ ଧରି ରହିବାକୁ ବାଧ୍ୟ ।

ସାରା ଦେଶରେ କରୋନାର ସଂକ୍ରମଣ ଭୟରେ ସମସ୍ତଙ୍କ ନଜର କରୋନା ରୋଗୀଙ୍କ ଉପରେ । କରୋନା ସଙ୍କଟରୁ ରକ୍ଷା ପାଇବାକୁ ଯାଇ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ କରାଯାଇଛି । ଦେଶର ସୁରକ୍ଷା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଥିଲେ ହେଁ ମୁଦ୍ରାର ଦୁଇ ଦୁଇ ପାର୍ଶ୍ୱ ପରି ଅନ୍ୟ ପାର୍ଶ୍ୱ ରେ ଭରିରହିଛି ସାଧାରଣ ମଧ୍ୟବିତ୍ତଙ୍କ ପାଇଁ ଦୁଃଖ ଆଉ ଯନ୍ତ୍ରଣା । ଭାଇରସ୍ ସଂକ୍ରମଣ ଭୟ ଭିତରେ ଅନ୍ୟ ରୋଗରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସମସ୍ୟା ବଢ଼ିଯାଇଛି । ଆଉ ତାହାର ଜଣେ ଭୁକ୍ତଭୋଗୀ ହେଲେ ୟୁପିର ଦେବରିଆର ସଲମା ଖାତୁନ୍ ।

୯ ମାସର କୁନି ଆୟାନ ମସ୍ତିସ୍କ ରୋଗରେ ପୀଡ଼ିତ । ପୁଅକୁ ଭଲ କରିବାର ଆଶା ନେଇ ୟୁପିରୁ ଦିଲ୍ଲୀ ବଡ଼ ମେଡ଼ିକାଲ ଧାଇଁଆସିଥିଲେ ସଲମା । ବଡ଼଼ ମେଡ଼ିକାଲରେ ମସ୍ତିସ୍କ ଅପରେସନ୍ ପରେ ପୁଅ ଯନ୍ତ୍ରଣାରୁ ଟିକେ ଶାନ୍ତି ପାଇବ ବୋଲି ଚିନ୍ତାକରିଥିଲେ । ଆୟାନର ମୁଣ୍ଡ ଅସ୍ୱାଭାବିକ ଭାବେ ବଢ଼ୁଥିବାରୁ ଅସ୍ତ୍ରୋପଚାର ହେଲା, ହେଲେ ମାତ୍ର ଗୋଟିଏ ଦିନରେ ସବୁ କିଛି ଓଲଟପାଲଟ ହୋଇଗଲା । ୨୨ ମାର୍ଚ୍ଚରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆୟାନର ଅପରେସନ୍ ହୋଇଥିଲା । କିନ୍ତୁ କରୋନା ଭାଇରସ ସହକ୍ରମଣ ବଢ଼ୁଥିବା ହସ୍ପିଟାତ୍ମ କର୍ତ୍ତୃପକ୍ଷ ମସ୍ତିସ୍କ ପରି ଜଟିଳଅସ୍ତ୍ରୋପଚାରର ମାତ୍ର ଗୋଟିଏ ଦିନ ପରେ ଡିସଚାର୍ଜ ଦେଇଦେବାକୁ ବାଧ୍ୟ ହୋଇଥିଲେ ।

ଆଉ ସେବେଠାରୁ ହସ୍ପିଟାଲ ବାହାରେ ଟେଣ୍ଟରେ ରୋଗୀଣା ପୁଅକୁ ଧରି ରହୁଛନ୍ତି ସଲମା । ସେ ଏବେ କ’ଣ କରିବେ ଚିନ୍ତା କରିପାରୁ ନାହାନ୍ତି । ଗୋଟିଏ ପଟେ ଗରମ ବଢ଼ିଯାଇଥିବା ବେଳେ ଆୟାନ ଯନ୍ତ୍ରଣା ସହିନପାରି ରାହା ଧରି କାନ୍ଦୁଛି । ନାତିକୁ ବଞ୍ଚାଇବା ପାଇଁ ଆୟନର ଅଜା ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ହେଲେ ଆୟନାର ଅବସ୍ଥା ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । କେବଳ ଏତିକି ନୁହେଁ ମୁଣ୍ଡ ସହ ଆୟାନର ପେଟ ବି ଫୁଲିବାରେ ଲାଗିଛି ।

ସଲମା ଅଭିଯୋଗ କରିଛନ୍ତି ଡାକ୍ତରମାନେ ଭଲ ବ୍ୟବହାର କରୁନାହାନ୍ତି । ସବୁ ଆଡ଼େ କେବଳ କରୋନା କରୋନା ଆଲୋଚନା ଭିତରେ ସଲମାଙ୍କ ଗୁହାରୀ ଶୁଣିବାକୁ କାହା ପାଖରେ ସମୟ ନାହିଁ । ପୁଅକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ମା’ ଟି ଏବେ କେବଳ ଭଗବାନ ଭରସାରେ ।