ଥମୁନି ସାମ ପିଟ୍ରୋଡାଙ୍କ ଶିଖ ବିରୋଧୀ ମନ୍ତବ୍ୟ ରାଜନୀତି : ରାହୁଲ କହିଲେ ଲଜ୍ଜାଜନକ ମନ୍ତବ୍ୟ, ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ପିଟ୍ରୋଡା

129

କନକ ବ୍ୟୁରୋ : ଶିଖ ଦଙ୍ଗା ନେଇ ସମସ୍ତଙ୍କ ଆଗରେ କ୍ଷମା ମାଗିବାକୁ ଦଳୀୟ ନେତା ସାମ ପିଟ୍ରୋଡାଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପଂଜାବର ଫତେଗଡରେ ଏକ ଜନସଭାରେ ଉଦବୋଧନ ଦେଇ ପିଟ୍ରୋଡାଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ରାହୁଲ । ୧୯୮୪ ଶିଖ ଦଙ୍ଗା ନେଇ ହେଲା ତ ହେଲା ବୋଲି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ଏହି ପୁରୁଖା ନେତା । ବିବାଦ ପରେ ଏହାକୁ ନେଇ ସେ ଗଣମାଧ୍ୟମରେ କ୍ଷମା ମାଗିଥିଲେ । କିନ୍ତୁ ବିରୋଧୀ ଏହି ବୟାନକୁ ଆଧାର କରି କଂଗ୍ରେସକୁ ଘେରିବାରେ ଲାଗିଛନ୍ତି ।

ଗଣମାଧ୍ୟମ ଆଗରେ ଶିଖ ଦଙ୍ଗା ନେଇ ପ୍ରତିକ୍ରିୟା ରଖି ସାମ ପିଟ୍ରୋଡା ହେଲା ତ ହେଲା ବୋଲି ମନ୍ତବ୍ୟ ରଖିଥିଲେ । ଏନେଇ ବିରୋଧୀଙ୍କ ସହ ଖୋଦ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ସମାଲୋଚନା କରିଥିଲେ । ଫଳରେ ବିବାଦକୁ ଏଡାଇବାକୁ ଯାଇ କ୍ଷମା ମାଗିଥିଲେ ସାମ ପିଟ୍ରୋଡା । ତାଙ୍କ ହିନ୍ଦି ଜ୍ଞାନ ଦୁର୍ବଳ ଥିବାରୁ ଏଭଳି ଭୁଲ ଶବ୍ଦ କହିଥିଲେ ବୋଲି ସେ ପ୍ରତିକ୍ରିୟା ରଖିଥିଲେ ।

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନକୁ ନେଇ ଫାଇଦା ଉଠାଇବାକୁ ଚେଷ୍ଟା କରିଛି ବିଜେପି । ପିଟ୍ରୋଡାଙ୍କ ଏଭଳି ମନ୍ତବ୍ୟ ପରେ ନିଜର ପ୍ରତି ସଭାରେ କଂଗ୍ରେସକୁ କଡା ସମାଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲା ତ ହେଲା ପରି ମନ୍ତବ୍ୟ ଦଳର ଅହଂକାର ସୂଚନା ବୋଲି ସେ କହିଛନ୍ତି । ଶେଷ ପର୍ଯ୍ୟାୟ ମତଦାନରେ ପଂଜାବର ୧୩ଟି ଆସନ ପାଇଁ ମତଦାନ ହେବ । ଏପରିସ୍ଥିତି ଶିଖ ବିରୋଧୀ ମନ୍ତବ୍ୟ କଂଗ୍ରେସ ଦଳ ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଉଛି ।