ଦୂର ହେବ କି ସଙ୍କଟ ? ୟେସ୍ ବ୍ୟାଙ୍କର ୪୯ % ଅଂଶଧନ କିଣିପାରେ ଏସବିଆଇ

196

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କକୁ ଭରସା ଏସବିଆଇ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ସାମ୍ବାଦିକ ସମ୍ବିଳନୀ କରି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି-ୟେସ୍ ବ୍ୟାଙ୍କକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ ଏସବିଆଇ ୨୪ ଶହ ୫୦ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖିଛି । ବଡ଼ କଥା ହେଉଛି ୟେସ୍ ବ୍ୟାଙ୍କ ଏବେ ଦେବାଳିଆ ଭଳି ସ୍ଥିତିରେ ଥିବା ବେଳେ ଏହାର ପୁନରଉଦ୍ଧାର ପାଇଁ ଆଗେଇ ଆସିଛି ଏଏସବିଆଇ । ଏମିତି କି ନିବେଶକଙ୍କ ଜମାରାଶି ସୁରକ୍ଷିତ ଅଛି ବୋଲି ଗତକାଲି ସୂଚନା ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀର ୟେସ ବ୍ୟାଙ୍କ ଶାଖାରେ ଜଗନ୍ନାଥଙ୍କ ୫ଶହ ୪୫ କୋଟି ଟଙ୍କା ଜମା ରହିଛି । ଆଉ ୟେସ୍ ବ୍ୟାଙ୍କର ସ୍ଥିତି ଯୋଗୁଁ ଏହି ଟଙ୍କା ଫେରିବ ନା ନାହିଁ ତା ଉପରେ ସନ୍ଦେହ ପ୍ରକାଶ ପାଇଛି । ଠିକ୍ ଏମିତି ବେଳେ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିବା ନେଇ ଚିନ୍ତା କରୁଛି ଏସ୍ବିଆଇ ।

ସେପଟେ ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଅର୍ଥାତ ଏଣିକି ରାଣା କପୁର ଦେଶ ଛାଡି ବିଦେଶକୁ ଯାଇପାରିବ ନାହିଁ । ଅନ୍ୟପଟେ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଏକ ଟିମ୍ ରାଣାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଁଚିଛି । ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ଇଡିର ଟିମ ମନି ଲଣ୍ଡରିଂ କରିଥିବା ଅଭିଯୋଗରେ ରାଣା କପୁର ନାରେ ମାମଲା ରୁଜୁ କରିଛି । ଏହାପରେ ଇଡି ରାଣା କପୁରର ଘରର ଯାଂଚ କରିଛି । ଡିଏଚଏଫଲ ଦୁର୍ନୀତିକୁ ନେଇ ରାଣା କପୁରଙ୍କ ଘରେ ଇଡି ଯାଂଚ କରିଛି ।

ସୂଚନା ଅନୁଯାୟୀ ଡିଏଚଏଫଏଏର ୭୯ ନକଲି କମ୍ପାନୀ ଓ ଏକ ଲକ୍ଷ ନକଲି ଗ୍ରାହକଙ୍କ ସହଯୋଗରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଘୋଟାଲ ହୋଇଥିବା ଅଭିଯୋଗ ରହିଛି । ୟେସ୍ ବ୍ୟାଙ୍କ ୨୦୦୪ରେ ରାଣା କପୁର ଓ ଅଶୋକ କପୁର ମିଳିତ ଭାବେ ଆରମ୍ଭ କରିଥିଲେ । ସେହି ସମୟରେ ଉଭୟଙ୍କର ବେଶ୍ ନାଁ ରହିଥିଲା । ରାଣା କପୁର ଦିଲ୍ଲୀ ଶ୍ରୀରାମ କଲେଜ ଅଫ୍ କମର୍ସରେ ପଢ଼ିବା ପରେ ନ୍ୟୁଜର୍ସିର ରଟଗର୍ସ ବିଶ୍ୱବିଦ୍ୟାଳୟରୁ ଏମବିଏ ପାଠ ପଢ଼ିଥିଲେ । ଏପରିକି ସେ ୧୬ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ୍ ଆମେରିକାରେ ଚାକିରି ମଧ୍ୟ କରିଥିଲେ । ଦେଶର ଏତେ ବଡ ବଡ ଲୋକଙ୍କ ଦ୍ୱାରା ଗଠନ କରାଯାଇଥିବା ୟେସ୍ ବ୍ୟାଙ୍କ ଏବେ ସଂକଟ ମଧ୍ୟ ଦେଇ ଗତି କରୁଛି । ଆଉ ଏଥିରେ ହସ୍ତକ୍ଷେପ କରିଛି ଆରବିଆଇ ।

ଏସବୁ ଭିତରେ ୟେସ ବ୍ୟାଙ୍କରେ ଟଙ୍କାର ରଖିଥିବା ଜମାକାରୀଙ୍କ ମଧ୍ୟରେ ଚନକା ପଶିଛି । ବ୍ୟାଙ୍କର ବେଦାଳିଆ ସ୍ଥିତି ଯୋଗୁଁ ଟଙ୍କା ଫେରିବ ନା ନାହିଁ ତାକୁ ନେଇ ଚିନ୍ତା ବଢ଼ିଛି । ଲୋକମାନେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଓ ଏଟିଏମ୍ ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି ।