ଆଉ ପାଞ୍ଚ ଦିନ ରାଜ୍ୟରେ ସୃଷ୍ଟି ହେବ ଘନ କୁହୁଡି : ୨୨ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ 

130

କନକ ବ୍ୟୁରୋ : ଆସନ୍ତା ୫ ଦିନଯାଏଁ କୁହୁଡିରୁ ନିସ୍ତାର ନାହିଁ । ଏବଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ରାଜଧାନୀ ସମେତ ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିବ ବୋଲି କୁହାଯାଇଛି । ଆଜି ୧୦ଟି ଜିଲ୍ଲାରେ ଘନ କୁହୁଡି ହେବ ବୋଲି ଆକଳନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କନ୍ଧମାଳ, ସୋନପୁର ଓ କୋରାପୁଟରେ ଘନ କୁହୁଡି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ରାଜ୍ୟରେ ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ଭଳି ସ୍ଥିତି ଶନିବାର ବି ଜାରି ରହିବ। ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁଡୁଡ଼ି ହେବ। ୧୯ ଓ ୨୦ ତାରିଖ କୁହୁଡ଼ି ସାମାନ୍ୟ କମିବ। ୨୧ ଓ ୨୨ ତାରିଖରେ ଘନ କୁହୁଡ଼ି ହେବା ସହ ଅଧିକାଂଶ ସ୍ଥାନରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବନି।

ଘନ କୁହୁଡି ଯୋଗୁଁ ଗତ ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏପରିକି ଏକାଧିକ ଦୁର୍ଘଟଣା ମଧ୍ୟ ଘଟିଛି । ତେଣୁ ସତର୍କତାର ସହ ଗାଡିମଟର ଚଳାଇବାକୁ କୁହାଯାଇଛି ।