ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ ! ଟିକେଟ ମିଳିବା ପରେ ବି ସବୁଜ ଶିବିରରେ ଯୋଗ ଦେଉଛନ୍ତି ଗେରୁଆ ଦଳର ବିଧାୟକ ପ୍ରାର୍ଥୀ
କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ହେଉଛି । ଦଳବଦଳ ରାଜନୀତି ପାଇଁ ଚର୍ଚ୍ଚାରେ ରାଜ୍ୟ ରାଜନୀତି । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳଡିଆଁ ଅତି ସାଧାରଣ କଥା । ଟିକେଟ ନମିଳିବା ପରେ ଦଳ ଛାଡ଼ିବା ନିଷ୍ପତ୍ତି ସ୍ୱଭାବିକ । କିନ୍ତୁ ରାଜ୍ୟ ବିଜେପିର ଏହି ନୀତିର ବ୍ୟତିକ୍ରମ ଦେଖିବା ପାଇଁ ମିଳୁଛି । କାରଣ ବିଜେପି ଟିକେଟ ପାଇ ସୁଦ୍ଧା ନାମାଙ୍କନ ଭରିବା ପୂର୍ବରୁ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି ନେତା । ଟିକେଟ ପାଇବା ପରେ ବି ଦଳବଦଳ କଥା ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନିକଟରେ ଦୁଇ ଦୁଇ ଜଣ ବିଜେପି ବିଧାୟକ ପ୍ରାର୍ଥୀ ବିଜେଡ଼ିରେ ଯୋଗ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଉପରେ ଭରସା ତୁଟାଇ ସବୁଜ ଶିବିରରେ ଯୋଗ ଦେଇଛନ୍ତି ଦୁଇ ଜଣ ବିଜେପି ବଧାୟକ ପ୍ରାର୍ଥୀ । ବିଜେପି ଟିକେଟ ପ୍ରତ୍ୟାଖ୍ୟାନ କରି ବିଜେଡ଼ିରେ ମିଶିବା ପରେ ଚିନ୍ତାରେ ରାଜ୍ୟର ଶୀର୍ଷ ନେତୃବୃନ୍ଦ । ଆନନ୍ଦପୁର ପୂର୍ବତନ ବିଧାୟକ ଭାଗିରଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେଇଥିଲା ବିଜେପି । ହେଲେ ଦଳରେ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରି ଦଳ ଛାଡ଼ିଥିଲେ ଭାଗିରଥୀ । ଅନ୍ୟପଟେ ଗେରୁଆ ଶିବିର ଛାଡ଼ି ସବୁଜ ଶିବିରରେ ଯୋଗଦେବା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିନାହିଁ । ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାଗିରଥୀଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ସୂଚନାଯୋଗ୍ୟ ପୂର୍ବରୁ ବିଜେଡ଼ିରେ ଥିଲେ ଭାଗିରଥୀ ।
ସେହିପରି ଆଜି ବିଜେପିରୁ ଟିକେଟ ନେଇ ବିଜେଡ଼ିରେ ମିଶିଲେ କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା । ଗୈରିକ ଶିବିର ଛାଡ଼ି ସବୁଜ ଶିବିରକୁ ଲମ୍ଫ ପ୍ରଦାନ କରିଛନ୍ତି ତୁଷାରକାନ୍ତି । ନବୀନ ନିବାସରେ ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମର୍ଥକଙ୍କ ସମେତ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଦଳ ଛାଡ଼ିବା ସହ ଉଚ୍ଚ ଶିକ୍ଷିତ ଯୁବପୀଢ଼ିଙ୍କୁ ବିଜେଡ଼ିରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି ।
ଚଳିତ ନିର୍ବାଚନରେ ଦଳଡ଼ିଆଁ ନେତାଙ୍କୁ ଟିକେଟ୍ ଦେଇଛି ବିଜେପି । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ବିଜେପିରେ ନେତୃତ୍ୱର ଅଭାବ ରହିଛି । ଗୋଟିଏ ପଟେ ବିଧାୟକ ପ୍ରାର୍ଥୀ ପଟେ ଛାଡ଼ୁଛନ୍ତି ଅନ୍ୟପଟେ ଆଜି ବିଜେପି ଆଡ଼କୁ ଗୁଗଲି ଫିଙ୍ଗିଛନ୍ତି ବିଜେଡ଼ି ସୁପ୍ରିମୋ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାନ୍ତି । ତେଣୁ ସେମାନେ ବିଜେଡି କାର୍ୟ୍ୟାଳୟ ନିକଟରେ ନିଜର ପ୍ରାର୍ଥୀ ଖୋଜୁଛନ୍ତି । ନବୀନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି ।