କନକ ବ୍ୟୁରୋ : ଦକ୍ଷିଣ ଏସିଆରେ ଜନସଂଖ୍ୟାର ଘନତା ବିଶ୍ୱରେ ସର୍ବାଧିକ ହୋଇଥିବା ବେଳେ ସହରାଞ୍ଚଳରେ ଏହି ଘନତା ଆହୁରି ବେଶି । ଯଦି ଦାଦନ ଶ୍ରମିକମାନେ ଘରବାହୁଡ଼ା କରିବେ, ତେବେ କରୋନା ଭୂତାଣୁ ସଂକ୍ରମଣର ସେମାନେ ବାହକ ପାଲଟି ପାରନ୍ତି ବୋଲି ବିଶ୍ୱବ୍ୟାଙ୍କ୍ ଆଶଙ୍କା ପ୍ରକାଶ କରିଛି । ଯାହାକି ଭାରତ, ପାକିସ୍ତାନ, ଓ ବାଙ୍ଗଲାଦେଶ ପାଇଁ ଏକ ଆହ୍ୱାନ ହୋଇ ଦେଖାଦେବ । ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ ସମଗ୍ର ଭାରତୀୟ ଉପମହାଦେଶରେ ଲକ୍ଡାଉନ୍ ଲାଗୁ ହେବାରୁ ତାହା କୋଟିକୋଟି ଦାଦନଶ୍ରମିକଙ୍କ ମ଼ଧ୍ୟରେ ସହରାଞ୍ଚଳରେ କାର୍ଯ୍ୟରତ ଦିନମଜୁରିଆଙ୍କ ହାତରେ ଆଉ କୌଣସି କାମ ନାହିଁ ।
ଫଳରେ ସେମାନେ ବହୁସଂଖ୍ୟାରେ ଘରକୁ ବାହୁଡୁଛନ୍ତି ପାଦରେ ଚାଲିଚାଲି । ତେଣୁ ସେମାନଙ୍କ ଦ୍ୱାରା ଅଣପ୍ରଭାବିତ ରାଜ୍ୟମାନେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ରବିବାର ବିଶ୍ୱବ୍ୟାଙ୍କ ଏକ ଷାଣ୍ମାସିକ ଆଞ୍ଚଳିକ ବିବରଣୀରେ ପ୍ରକାଶ କରିଛି । ଲକ୍ଡାଉନ୍ ଘୋଷଣା ତାରିଖ ଓ ଲାଗୁହେବା ତାରିଖ ମଧ୍ୟରେ ମାତ୍ର ଦିନେ କି ଅଧାଦିନ ରହିବା ସହ ଯାତ୍ରୀ ପରିବହନ ହଠାତ୍ ବନ୍ଦ ହୋଇଯିବାରୁ ଦାଦନଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିପାରି ନାହାନ୍ତି। ଫଳରେ ସେମାନେ ଫେରିବା ପାଇଁ ବ୍ୟାକୁଳ ହୋଇ ଜନଗହଳି ସୃଷ୍ଟି କରୁଛନ୍ତି ଏବଂ ସାମାଜିକ ଦୂରାବସ୍ଥାନ ଅସମ୍ଭବ ହୋଇପଡୁଛି ।
ଦାଦନ ଶ୍ରମିକମାନେ ସହଜରେ ସେଇ ଭୂତାଣୁଜନିତ ରୋଗକୁ ଅନ୍ୟ ରାଜ୍ୟକୁ ଓ ଗାଆଁଗୁଡ଼ିକରେ ପହଞ୍ଚାଇଦେବେ ବୋଲି ବିଶ୍ୱବ୍ୟାଙ୍କ୍ ଦର୍ଶାଇଛି । ”ସାଉଥ ଏସିଆ ଇକୋନମିକ୍ ଅପ୍ଡେଟ୍: ଇମ୍ପାକ୍ଟ ଅଫ୍ କୋଭିଡ୍-୧୯” ଶୀର୍ଷକ ଏହି ରିପୋର୍ଟରେ ବିଶ୍ୱବ୍ୟାଙ୍କ୍ ଆଶ୍ୱସ୍ତ କରିଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ବା ଚୀନ୍ ଅପେକ୍ଷା ଭାରତରେ ୬୫ ବର୍ଷ ବୟସରୁ ବେଶି ବୟସର ଲୋକଙ୍କ ସଂଖ୍ୟା, ମୋଟ ଲୋକସଂଖ୍ୟାର ଆନୁପାତିକ ସଂଖ୍ୟା ଖୁବ୍ ନଗଣ୍ୟ ହୋଇଥିବାରୁ ମୃତ୍ୟୁହାର ସେତେ ଚିନ୍ତାଜନକ ହେବ ନାହିଁ ।
ତେବେ ଦେଶରେ ପରିବାର ଆକାର ବଡ଼ ଥିବା ବେଳେ ଆମଦାନୀ କରାଯାଉଥିବା ସାମଗ୍ରୀ ଯଥା:- ସାନିଟାଇଜର, ମାସ୍କ ଓ ଭେଣ୍ଟିଲେଟର ଆଦି ଯଥେଷ୍ଟ ନଥିବାରୁ ଉତ୍କଟ ସମସ୍ୟା ଉପୁଜିପାରେ। ତେଣୁ ସମ୍ଭାବ୍ୟ ହଟ୍ସ୍ପଟ୍ ଠାବ କରିବା ଗୁରୁତ୍ୱପୂର୍ଣ । ଏହା ସହ ଦାଦନଶ୍ରମିକଙ୍କ ଲେଉଟାଣିକୁ ସୀମିତ ରଖିବା ଆବଶ୍ୟକ ହେବ ବୋଲି ବିଶ୍ବବ୍ୟାଙ୍କ୍ ରିପୋର୍ଟରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/migrant-population.jpg)