Image courtesy-https://i0.wp.com
ପ୍ରତ୍ୟେକ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ ଚକ୍ଷୁ ଦିବସ ଭାବେ ବିଶ୍ୱସ୍ତରରେ ପାଳନ କରାଯାଉଛି । ଅନ୍ଧତ୍ୱକୁ ରୋକିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଦେଶରେ ଯେତିକି ସଂଖ୍ୟକ ଲୋକ ପ୍ରତିବର୍ଷ ଚକ୍ଷୁ ହରାଉଛନ୍ତି ତାହାର ୫୦-୮୦ପ୍ରତିଶତ ହେଉଛି ମୋତିଆବିନ୍ଦୁ ଜନିତ । ଏହାସହ ମଧୁମେହ ଜନିତ ସମସ୍ୟା ଓ ଦୃଷ୍ଟିଦୋଷ ଯୋଗୁଁ ମଧ୍ୟ ଦେଶରେ ଅନ୍ଧତ୍ୱ ବଢ଼ିବାରେ ଲାଗିଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଛୋଟ ପିଲାଙ୍କ ମଧ୍ୟରେ ମାଇଓପିଆ ବା ଦୂରଦୃଷ୍ଟି ଦୋଷ ବଢ଼ିବାରେ ଲାଗିଛି । ଯାହାଫଳରେ ଶିଶୁଙ୍କୁ ଦୂର ଜିନିଷ ଦେଖିବାରେ କଷ୍ଟ ହେଉଛି । ଦେଶ ତଥା ରାଜ୍ୟ ସ୍ତରରେ ୯ପ୍ରତିଶତ ଶିଶୁ ଏହି ରୋଗର ଶିକାର ହେଉଥିବା ଜଣାପଡ଼ିଛି । ଯାହାକି ବେଶ ଚିନ୍ତାଜନକ। ଅତି ନିକଟରୁ ମୋବାଇଲ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରର ବ୍ୟବହାର ଓ କମ୍ ବୟସରୁ ପାଠପଢ଼ା ଏଥିପାଇଁ ମୁଖ୍ୟତଃ ଦାୟୀ । ତେଣୁ ବର୍ଷକୁ ଥରେ ଚକ୍ଷୁ ପରୀକ୍ଷା କରିବା ଉଚିତ୍ । ବାପାମା’ମାନେ ଏଥିପାଇଁ ଯତ୍ନବାନ ହେବା ଆବଶ୍ୟକ ।
ରାଜ୍ୟରେ ପ୍ରତିବର୍ଷ କେତେ ସଂଖ୍ୟକ ଲୋକ ବିଭିନ୍ନ କାରଣ ପାଇଁ ଚକ୍ଷୁ ହରାଉଛନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ
ନାହିଁ । ଏକ ତଥ୍ୟ ଅନୁଯାୟୀ, ପ୍ରତି ୧୦ଲକ୍ଷ ଲୋକ ସଂଖ୍ୟା ମଧ୍ୟରେ ଦେଶରେ ୫୮୦୦ ଲୋକଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଉଥିବା ବେଳେ ରାଜ୍ୟରେ ଏହା ୨୮୦୦ ରହିଛି । ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ କମ୍। ତେଣୁ ମୋତିଆବିନ୍ଦୁ ଜନିତ ଅନ୍ଧତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତହିଁରେ ଆସନ୍ତା ୫ବର୍ଷ ମଧ୍ୟରେ ୨୫ପ୍ରତିଶତ ଅନ୍ଧତ୍ୱ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ବିଶ୍ୱ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମର ଏକ ୱେବପୋର୍ଟାଲ ମଧ୍ୟ କାର୍ଯ୍ୟକାରୀ ହେବ। ଏଥିରେ ରାଜ୍ୟରେ ଥିବା ସମସ୍ତ ଚକ୍ଷୁ ରୋଗୀଙ୍କ ସଂପର୍କରେ ଡାଟାବେସ୍ ରହିବ। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୪୦ବର୍ଷ ପରେ ସମସ୍ତେ ନିଜ ଚକ୍ଷୁର ପରୀକ୍ଷା କରିବାର ଆବଶ୍ୟକ । ଅନେକ ସମୟରେ ଏଭଳି ପରୀକ୍ଷା କରିବା ସମୟରେ ବିଭିନ୍ନ ସମସ୍ୟା ସଂପର୍କରେ ଜଣାପଡ଼ିଥାଏ । ତେଣୁ ଏହି ବ୍ୟକ୍ତିମାନଙ୍କର ସମସ୍ତ ଡାଟାବେସ୍ ୱେବପୋର୍ଟାଲରେ ସଂରକ୍ଷିତ ରହିବ। ଯାହାଫଳରେ ପରବର୍ତୀ ସମୟରେ ସେହି ବ୍ୟକ୍ତିଙ୍କୁ ଟ୍ରାକିଂ କରିବା ସହଜ ହୋଇପାରିବ । ଏଥିପାଇଁ ସେହି ବ୍ୟକ୍ତିଙ୍କୁ ମେସେଜ୍ ଓ ଆବଶ୍ୟକ ପଡ଼ିଲେ ଫୋନ୍ କଲ ମଧ୍ୟ କରାଯିବ । ଏହାସହ ଗ୍ଲୋକମା ରୋଗୀଙ୍କୁ ମାଗଣାରେ ଔଷଧ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଆଶା କର୍ମୀଙ୍କୁ କିଟ୍ ପ୍ରଦାନ କରାଯିବ । ଯାହାଫଳରେ ସେମାନେ ଘରକୁ ଘର ବୁଲି ଚକ୍ଷୁ ପରୀକ୍ଷା କରିପାରିବେ ବୋଲି ଜଣାପଡ଼ିଛି ।
Follow Us