କନକ ବ୍ୟୁରୋ : ଦିନେ ଅବସର ବିନୋଦନର ବଳିଷ୍ଠ ମାଧ୍ୟମ ଥିଲା ଲୋକନୃତ୍ୟ । ଏହାସହ ଏକ ଗଭୀର ମନସ୍ତତ୍ୱ ଜଡ଼ିତ ଥିଲା । ସଂସ୍କୃତି, ପରମ୍ପରା, ସାମାଜିକ ବାର୍ତା ତଥା ଗ୍ରାମ୍ୟ ଜୀବନର ଭାବାବେଗକୁ ବାନ୍ଧି ରଖିଥିବା ଏହି ଲୋକନୃତ୍ୟ ଏବେ ଆଧୁନିକତାର ଚାପରେ ଶଯ୍ୟାଶାୟୀ । ଇଣ୍ଟରନେଟ୍ ଓ ଟେଲିଭିଜନ୍ ଯୁଗରେ ଆମ ପାରମ୍ପରିକ ମନୋରଞ୍ଜନଧର୍ମୀ ଲୋକକଳା ଧୀରେଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଚାଲି ଆସିଲାଣି । ବିଦେଶରେ ପାରମ୍ପରିକ ଲୋକକଳା ଓ ଷ୍ଟ୍ରିଟ୍ ଡ୍ୟାନ୍ସକୁ ପୁନରୁଦ୍ଧାର ସହ ଅଧିକ ଗବେଷଣା କରାଯାଉଥିବା ବେଳେ ଆମେ ପାଶ୍ଚାତ୍ୟ ସଭ୍ୟତାମୁହାଁ ହୋଇଛୁ । ପାଲା, ଦାସକାଠିଆ ଓ ଘୋଡ଼ା ନାଚ ଆଦି ପାରମ୍ପରିକ ନୃତ୍ୟକୁ ପାସୋରି ଦେଲୁଣି । ଗୋଟିଏ ପଟେ ଲୋକନୃତ୍ୟର ଭାଗ୍ୟକୁ ନେଇ ଅନିଶ୍ଚିତତା ଓ ଅନ୍ୟପଟେ ମୌଳିକତା ହ୍ରାସ ପାଇବା କଳାପ୍ରେମୀ ଓ ଗବେଷକଙ୍କୁ ବ୍ୟଥିତ କରିଛି ।
ନାଗା ନାଚ, ଶୁଆନାଚ, ଗାଁ ଡାଲଖାଇ, ଲହଁକୀ, ମୁଣ୍ଡତୋପା, ଖରିଆ, ସମର, ଶୀକାର, ବୀରୁ, ନଚନିଆଁ, ବିନାକାରିଆ, ଜାନୁଘଣ୍ଟ, କାଳୀ ଓ ବାଉଁଶରାଣୀ ଆଦି ଲୋକନୃତ୍ୟ ଏବେ ପ୍ରାୟ ଲୁପ୍ତ ହୋଇଗଲାଣି ବୋଲି କହିଛନ୍ତି ଲୋକକଳା ଓ ନୃତ୍ୟ ଗବେଷକ ରବି ରତନ ସାହୁ । ପୂର୍ବରୁ କ୍ରୀଡ଼ା, ବିବାହ, ବୃତ୍ତିଗତ, ଶିକାର ଓ ଯୁଦ୍ଧ ସମୟରେ ଭିନ୍ନଭିନ୍ନ ଲୋକନୃତ୍ୟ ପରିବେଷିତ ହେଉଥିଲା । କିନ୍ତୁ ବର୍ତ୍ତମାନର ନୂଆ ପିଢ଼ି ଏହାକୁ ଆପଣାଇବାକୁ ଅମଙ୍ଗ ହେଉଥିବା ବେଳେ ସାଂସ୍କୃତିକ ସଂଗଠନ ଏସବୁ କଳାକୁ ମଞ୍ଚ ଉପଯୋଗୀ କରିବା ଉଦ୍ଦେଶ୍ୟରେ ବହୁ ପରିବର୍ତ୍ତନ କରୁଛନ୍ତି । ‘ପ୍ରହ୍ଲାଦ ନାଟକ’ ପାରମ୍ପରିକ ଭାବେ ୮ରୁ ୧୨ ଘଣ୍ଟା ପରିବେଷିତ ହେଉଥିବା ବେଳେ ଏବେ ତାହା ଅଢ଼େଇ ଘଣ୍ଟା ଭିତରେ ସୀମିତ ରହୁଛି। ଫଳରେ ଲୋକନୃତ୍ୟ ଏହାର ମୌଳିକତା ହରାଉଛି । ତେଣୁ ସରକାରୀସ୍ତରରେ ଏସବୁ ନୃତ୍ୟକୁ ନେଇ ଗବେଷଣା କରାଯିବା ସହ ପୁନରୁଦ୍ଧାର କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଏନେଇ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହନ୍ତି, ବର୍ତମାନ ଓଡ଼ିଶାରେ ୪୭୧ଟି ଲୋକକଳାକୁ ସଂରକ୍ଷିତ କରାଯାଇଛି । ସମୁଦାୟ ୬୨ଟି ଜନଜାତିର ବିଭିନ୍ନ ନୃତ୍ୟ ଓ କଳା ଏଥିରେ ସାମିଲ୍ କରାଯାଇଛି । ସଂସ୍କୃତି ବିଭାଗ ତଥ୍ୟ ଅନୁସାରେ ରାଜ୍ୟରେ ୭୪୮୨ଟି ଲୋକକଳା ଦଳ ଓ ପ୍ରାୟ ୧ ଲକ୍ଷରୁ ଊର୍ଧ୍ୱ କଳାକାର ଅଛନ୍ତି। ତେବେ କେବଳ କିଛି ଉତ୍ସବରେ ଏହି ଲୋକନୃତ୍ୟ ସୀମିତ ରହି ଯାଉଥିବାରୁ ଏହାର ଭବିଷ୍ୟତ ଏବେ ବି ସନ୍ଦିହାନ ବୋଲି କିଛି ଗବେଷକ ମତ ଦେଇଛନ୍ତି ।