କନକ ବ୍ୟୁରୋ: ଇତିହାସରେ ପ୍ରଥମଥର ପାଇଁ ସୀମା ଡେଇଁଲା ଦୀପାବଳି ଧୂଆଁ । ବର୍ଡର ପାର୍ କରି ଶତ୍ରୁ ଦେଶରେ ଭାରତର ବାରୁଦ ବାୟୁ ପ୍ରଦୂଷଣ କରିଦେଇଛି । ଯାହା ଫଳରେ ପଡ଼ୋଶୀ ପାକ୍ ଅଣନିଶ୍ବାସୀ ହୋଇଥିବା ଭାରତ ମୁଣ୍ଡରେ ଦୋଷ ଲଦିଛି ।
ଦୀପାବଳି ଆତସବାଜି ଭାରତୀୟ ଆକାଶକୁ ଆଲୋକିତ କରିଥିବା ବେଳେ ଏହାର ପ୍ରଭାବ ପଡ଼ୋଶୀ ଦେଶରେ ବି ଅନୁଭୂତ ହୋଇଛି । ବାଣଫୁଟାରୁ ଭାରତର ପ୍ରଦୂଷିତ ବାୟୁ ପଡ଼ୋଶୀ ଦେଶକୁ ପ୍ରବାହିତ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ତଥା ଏହାର ରାଜଧାନୀ ଲାହୋରରେ ବାୟୁ ଗୁଣବତ୍ତାରେ ବଡ଼ ପ୍ରଭାବ ପକାଇଛି । ଫଳରେ ମରିୟମ ନୱାଜଙ୍କ ନେତୃତ୍ୱାଧୀନ ପ୍ରାଦେଶିକ ସରକାର ଚିନ୍ତା ପ୍ରକଟ କରିବା ସହ ଜରୁରୀ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ପାକିସ୍ତାନର ଅଧିକାରୀମାନେ ଏହି ପ୍ରଦୂଷଣ ପାଇଁ ଭାରତରୁ ପ୍ରବାହିତ ପ୍ରଦୂଷିତ ବାୟୁକୁ ଦାୟୀ କରିଛନ୍ତି ।
ଅଧିକ ପଢ଼ନ୍ତୁ... ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ନୀରଜ ଚୋପ୍ରା
ପଞ୍ଜାବ ପରିବେଶ ସୁରକ୍ଷା ବିଭାଗ ଅନୁଯାୟୀ, ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ଉତ୍ତର ଭାରତୀୟ ସହରରୁ ପ୍ରଦୂଷକ ପରିବହନ କରୁଥିବା ପବନ ପାକିସ୍ତାନର ପଞ୍ଜାବରେ ବାୟୁ ଅବସ୍ଥା ଖରାପ କରିଛି । ମଙ୍ଗଳବାର ସକାଳ ସୁଦ୍ଧା ଲାହୋରର ଏକ୍ୟୁଆଇ ୨୬୬ ବା ସଙ୍ଗିନ ସ୍ଥିତିରେ ପହଞ୍ଚିଥିଲା, ଯାହା ନୂଆଦିଲ୍ଲୀ ପରେ ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର ଥିଲା । ବିଷାକ୍ତ ବାୟୁକୁ ପ୍ରତିହତ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ଲାହୋରର ପ୍ରମୁଖ ରାସ୍ତାରେ ଧୂଆଁକୁହୁଡ଼ି-ବିରୋଧୀ ଗନ୍ ନିୟୋଜନ ଓ ଜଳ ଛିଞ୍ଚିବା ଅଭିଯାନ ସମେତ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିଥିଲେ । ଅପରେସନ୍ ପାଇଁ ଅତି କମ୍ରେ ନଅଟି ବିଭାଗକୁ ଦାୟିତ୍ବ ଦିଆଯାଇଥିଲା । ପ୍ରାଦେଶିକ ସରକାର ସ୍ମଗ୍ ରେସପନ୍ସ ସ୍କ୍ୱାର୍ଡ ମଧ୍ୟ ଗଠନ କରିଛନ୍ତି ଯାହା ପ୍ରତିଷ୍ଠାନ ଓ ବାୟୁକୁ ପ୍ରଦୂଷିତ କରୁଥିବା ଲୋକଙ୍କ ଉପରେ ଚଢ଼ାଉ କରୁଛି ।
ବଡ଼ କଥା ହେଉଛି, ଘଣ୍ଟାପ୍ରତି ୪ରୁ ୭ କିଲୋମିଟର ବେଗରେ ପବନ ବହିବା ସହିତ ବାୟୁବାହୀ କଣିକା ସୀମା ପାର ହୋଇ ପାକିସ୍ତାନର ଲାହୋର, ଫୈସଲାବାଦ, ଗୁଜରାନୱାଲା, ସାହିୱାଲ ଓ ମୁଲତାନ ଭଳି ସହରକୁ ପ୍ରଭାବିତ କରିଥିଲା । ମରିୟମ ନୱାଜଙ୍କ କ୍ୟାବିନେଟର ମନ୍ତ୍ରୀ ମରିୟମ ଔରଙ୍ଗଜେବ ଏହି ପରିସ୍ଥିତିକୁ ଭାରତ ପାଇଁ ହୋଇଥିବା କହିଛନ୍ତି । ଏହି ସମୟରେ ଲାହୋର ପୁଲିସ ବାଣଫୁଟା କଟକଣା ଭାଙ୍ଗିଥିବା ଅଭିଯୋଗରେ ୮୩ ଜଣଙ୍କୁ ଗିରଫ କରିଛି ।