କନକ ବ୍ୟୁରୋ: ରୁଷଠାରୁ ତେଲ କିଣିବା ବନ୍ଦ କରିବା ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଲ୍ ଖେଳିଛନ୍ତି । ଶେଷରେ ମିଛ କହିବାକୁ ବି ପଛାଇନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଦମ୍ଭୋକ୍ତିର ସହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷରୁ ତେଲ ନ କିଣିବାକୁ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆମେ ଚୀନକୁ ମଧ୍ୟ ସେଭଳି ପଦକ୍ଷେପ ନେବାକୁ କହିବୁ । ଏହି ସମସ୍ୟା ଶୀଘ୍ର ସମାଧାନ ହୋଇଯିବ ବୋଲି ଟ୍ରମ୍ପ କହିଥିଲେ । ହେଲେ ଟ୍ରମ୍ପଙ୍କ ଏହି ଦାବି ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ତାହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ ଫୋନ୍ରେ କଥାବାର୍ତ୍ତା ହୋଇନାହାନ୍ତି । ଶେଷ ଥର ପାଇଁ ଗତ ୯ ତାରିଖ ଉଭୟ କଥା ହୋଇଥିଲେ । ତେବେ ଭାରତର ତୈଳ ନୀତିକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ ବିଶ୍ୱ ଶକ୍ତି ବଜାର ଅସ୍ଥିର ଥିବା ବେଳେ ଭାରତୀୟ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷାକୁ ନଜରରେ ରଖି ଭାରତ ତେଲ କିଣିବାକୁ ନିଷ୍ପତ୍ତି ନେଉଛି । ଟ୍ରମ୍ପଙ୍କ ଦାବି ଉପରେ ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ୍ ଅଲିପୋବ କହିଛନ୍ତି ଯେ ରୁଷରୁ ତେଲ କିଣିବା ଭାରତ ଓ ଏହାର ନାଗରିକମାନଙ୍କ ପାଇଁ ବହୁତ ଲାଭଦାୟକ । ତେଲ କିଣାରେ ଭାରତକୁ ସହଯୋଗ ଜାରି ରହିବ ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅତୀତରେ ଅଭିଯୋଗ କରିଥିଲେ ଯେ ଭାରତ ତେଲ କିଣି ଦେଉଥିବା ପାଣ୍ଠିକୁ ରୁଷ ଯୁଦ୍ଧରେ ବ୍ୟବହାର କରୁଛି । ୟୁକ୍ରେନ-ରୁଷ ଯୁଦ୍ଧ ବନ୍ଦ କରିବା ଲାଗି ଭାରତକୁ ରୁଷରୁ ତେଲ କିଣା ବନ୍ଦ କରିବାକୁ ପଡ଼ିବ । ସେଥିପାଇଁ ସେ ଭାରତକୁ ଚାପରେ ରଖିବା ଲାଗି ଲଗାତାର ଭାବେ ମିଛ ଦାବି କରୁଥିବାବେଳେ ପ୍ରତିଟି ଦାବିକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରୁଛି ।
ଏପଟେ ଏହି ମାମଲାରେ ମୋଦୀ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗକୁ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହାତଛଡ଼ା କରିନାହାନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଭୟ କରୁଛନ୍ତି । ଅପରେସନ୍ ସିନ୍ଦୂର ଉପରେ ଟ୍ରମ୍ପ ଦେଉଥିବା ବୟାନକୁ ମଧ୍ୟ ମୋଦୀ ବିରୋଧ କରୁନଥିବା ରାହୁଲ କଟାକ୍ଷ କରି କହିଛନ୍ତି ।