କନକ ବ୍ୟୁରୋ : ସାରା ଦେଶରେ ଲାଗୁ ହେବ ଏସଆଇଆର । କାଲିଠୁ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ-ଏସଆଇଆର୍ ଲାଗୁ କରାଯିବ । ଆଜି ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି । ବିହାରରେ ସଫଳ ହେବା ପରେ ସାରା ଦେଶରେ ଏହାକୁ ଲାଗୁ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା ।

Advertisment

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରି, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏସଆଇଆରର ହେବ । ଭୋଟର ତାଲିକାରେ ଯୋଗ୍ୟ ଭୋଟରମାନଙ୍କୁ ଯୋଡ଼ା ଯିବ ଏବଂ ଅଯୋଗ୍ୟ ଓ ନକଲି ଭୋଟରଙ୍କ ନାଁ କଟାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ଏସଆଇଆର ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ଟାରେ ଫ୍ରିଜ୍ କରାଯିବ । ପ୍ରତି ପୁଲିଂ ବୁଥରେ ଜଣେ ବିଏଲଓ ଏବଂ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଜଣେ ପଞ୍ଜୀକରଣ ଅଧିକାରୀ ନିୟୋଜିତ ହେବେ । ସୂଚନା ସଂଗ୍ରହ ପାଇଁ ପ୍ରତ୍ୟେକ ବିଏଲଓ ପ୍ରତି ଘରକୁ ଅତି କମରେ ତିନିଥର ପରିଦର୍ଶନ କରିବେ । ନିର୍ବାଚନମଣ୍ଡଳୀ ବାହାରେ ଥିବା ଭୋଟରମାନେ ନିର୍ଦ୍ଦିଷ୍ଟ ଫର୍ମକୁ ଅନଲାଇନରେ ପୂରଣ କରିପାରିବେ । ଏହି ପ୍ରକ୍ରିୟା ସମୟରେ କୌଣସି ଅତିରିକ୍ତ କାଗଜପତ୍ର କି ଫର୍ମ ଦରକାର ହେବ ନାହିଁ ।