କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ହୋଇନାହିଁ କୌଣସି ମଧ୍ୟସ୍ଥତା । ଲୋକସଭାରେ ଅପରେସନ୍ ସିନ୍ଦୂରକୁ ନେଇ ଚାଲିଥିବା ବିତର୍କ ଉପରେ ବଡ଼ ବୟାନ ଦେଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । କହିଛନ୍ତି, ଆତଙ୍କବାଦୀ ବିରୋଧରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆମେ କଠୋର ପଦକ୍ଷେପ ଉଠାଇଛୁ । ବିଶ୍ବ ଦରବାରରେ ଆମେ ପାକିସ୍ତାନର ମୁଖା ଖୋଲିଛୁ ବୋଲି କହିଛନ୍ତି ଜୟଶଙ୍କର ।
ଏହାରି ଭିତରେ ଅସ୍ତ୍ରବିରତି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଜୟଶଙ୍କର । ଗୃହରେ ଜୟଶଙ୍କର କହିଛନ୍ତି, ଏପ୍ରିଲ ୨୨ରୁ ଜୁନ୍ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ । ସେପଟେ ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି । ୧୬ ଘଣ୍ଟା ଧରି ଆଲୋଚନା ଚାଲିବ । ତେବେ ଆଜି ଅଧିବେଶନ ଆରମ୍ଭରୁ ବିହାର ଭୋଟର ତାଲିକା ସଂଶୋଧନ ଉପରେ ଆଲୋଚନା ଦାବି କରି ବିରୋଧୀ ହଟ୍ଟଗୋଳ କରିବାରୁ ଗୃହ ବାରମ୍ୱାର ମୁଲତବୀ ରହିଥିଲା ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବାକୁ ବିରେଧୀ ବାରମ୍ୱାର ଦାବି କରିଥିଲେ । ପରବର୍ତ୍ତୀ ଦିନଗୁଡ଼ିକ ମଧ୍ୟ ଘଟଣାବହୁଳ ଥିଲା । ଭାରତର ଅପରେସନ ସିନ୍ଦୂର, ଅସ୍ତ୍ରବିରତି, ଅସ୍ତ୍ରବିରତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଯୁଦ୍ଧରେ ୪ଟି ଜେଟ୍ ବିମାନ ଖସିଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ଦାବି ଆଦି ପ୍ରସଙ୍ଗରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।
ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରାଯାଇଥିଲା । ଏହା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦାବି କରି ହଟ୍ଟଗୋଳ କରିବାରୁ ସଂସଦ ସ୍ୱାଭାବିକ ଚାଲିପାରିନଥିଲା । ବାରମ୍ବାର ମୁଲତବୀ ରହିଥିଲା ଉଭୟ ଗୃହ । ଶେଷରେ ସଂସଦର ମୌସୁମୀ ଅଧିବେଶନର ଷଷ୍ଠଦିନରେ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଛନ୍ତି । ବିରୋଧୀ ବି ଏଥିରେ ଭାଗ ନେଉଛନ୍ତି । ଆଉ ଜୟଶଙ୍କର ଯେଉଁ ବୟାନ ଦେଇଛନ୍ତି ତାହା ଚର୍ଚ୍ଚାକୁ ଆହୁରି ବଢାଇଦେଇଛି ।