କନକ ବ୍ୟୁରୋ: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର୍‌ ଆଜି ପୁଣି ଭାରତ ବିରୋଧରେ ବିଷୋଦ୍‌ଗାର କରିଛନ୍ତି । ସେନାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁନିର୍‌ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ସିଧାସଳଖ ଧମକ ଦେଇଛନ୍ତି । ତାଙ୍କର ଏହି  ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ  ବଢ଼ାଇଦେଇଛି । ଏହି ଉତ୍ତେଜକ ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନ୍‌ ସୀମାରେ ସଂଘର୍ଷ ତୀବ୍ର ହେଉଛି ।

Advertisment

ପାକିସ୍ତାନୀ ସେନା ଆଫଗାନ ତାଲିବାନଙ୍କ ଆକ୍ରମଣର ଜବାବରେ ସୀମା ଅଞ୍ଚଳରେ ବୋମା ବର୍ଷା କରୁଥିବା ବେଳେ ଅଚାନକ ମୁନୀର୍‌ଙ୍କ ଭାରତ ବିରୋଧରେ ପରମାଣୁ ଅସ୍ତ୍ର ବୟାନ ଆଞ୍ଚଳିକ ଅସ୍ଥିରତା ବଢ଼ାଇବ ବୋଲି ଅନେକ ସାମରିକ ବିଶେଷଜ୍ଞ ମତ ରଖିଛନ୍ତି । ମୁନିର୍‌ ତାଙ୍କ ଭାଷଣରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ଉପରେ ଆଲୋଚନା କରି ଭାରତକୁ କଠୋର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ‘ଭାରତ ପକ୍ଷରୁ କୌଣସି ଛୋଟ ଆକ୍ରମଣ ହେଲେ ମଧ୍ୟ ଏଥର  ଆମେ ଏପରି ଜବାବ ଦେବୁ ଯାହା ଆକ୍ରମଣକାରୀଙ୍କ ସବୁ ଆକଳନକୁ ପଣ୍ଡ କରିଦେବ । ସେ କହିଛନ୍ତି ଯେ ପାକିସ୍ତାନ ଅସ୍ତ୍ରଶସ୍ତ୍ରର ଆକ୍ରମଣ କ୍ଷମତା, ରେଂଜ୍‌ ଓ ଧ୍ୱଂସାତ୍ମକ ଶକ୍ତି ଭାରତର ଭୌଗୋଳିକ ସ୍ଥିତିକୁ ଓଲଟପାଲଟ କରିଦେବ ।

ଆମେ ଏପରି ସାମରିକ ଓ ଆର୍ଥିକ କ୍ଷତି ପହଞ୍ଚାଇବୁ ଯାହା ଅସ୍ଥିରତା ସୃଷ୍ଟିକାରୀଙ୍କ କଳ୍ପନାରୁ ବହୁ ଅଧିକ ହେବ ବୋଲି ମୁନିର୍‌ କହିଛନ୍ତି । ସେ ଯୁଦ୍ଧର ସମ୍ଭାବନା ପାଇଁ ଭାରତକୁ ଦାୟୀ କରି କହିଛନ୍ତି ଯେ ଏପରି କୌଣସି ସଂଘର୍ଷ ସମଗ୍ର ଦକ୍ଷିଣ ଏସିଆ ଓ ଅନ୍ୟ ଅଂଚଳରେ ମଧ୍ୟ ଭୟଙ୍କର  ଭୟଙ୍କର ପରିଣାମ ଆଣିପାରେ ।

ସୂଚନାଯୋଗ୍ୟ, ମୁନିର୍‌ଙ୍କ ଆଜିର ଉତ୍ତେଜକ ବୟାନ ତାଙ୍କର ପୂର୍ବ ଭାଷଣକୁ ମଧ୍ୟ ମନେ ପକାଇଦେଉଛି।  ଏପ୍ରିଲ ୧୬, ୨୦୨୫ରେ ଇସଲାମାବାଦରେ ଓଭରସିଜ ପାକିସ୍ତାନୀ ସମ୍ମିଳନୀରେ ସେ କାଶ୍ମୀରକୁ ‘ପାକିସ୍ତାନର ଜୀବନ ରେଖା’ ବୋଲି ଅଭିହିତ କରିଥିଲେ ଏବଂ ହିନ୍ଦୁମାନଙ୍କ ବିରୋଧରେ ଘୃଣା ଭାଷଣ ରଖିଥିଲେ । ଏହି ଭାଷଣର କିଛି ଦିନ ପରେ ଜମ୍ମୁ-କାଶ୍ମୀରର ପହାଲଗାମରେ ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ।

ଆଜି ମୁନିର୍‌ଙ୍କ ଭାରତ ବିରୋଧୀ ବୟାନ ଭାରତ-ପାକ୍‌ ସମ୍ପର୍କକୁ ଆହୁରି ଜଟିଳ କରିପାରେ, ଯାହା କି ପୂର୍ବରୁ କାଶ୍ମୀର ଓ ସୀମାପାର ଆତଙ୍କବାଦ ପାଇଁ ଉତ୍ତେଜନାପୂର୍ଣ୍ଣ ରହିଛି । ଆଫଗାନିସ୍ତାନ ସହ ସଂଘର୍ଷ ସମୟରେ ପାକ୍‌ ସେନାମୁଖ୍ୟ ଏପରି ବୟାନ ଦେଇ   ପାକିସ୍ତାନରେ ଆଭ୍ୟନ୍ତରୀଣ ସମର୍ଥନ ବଢ଼ାଇବାକୁ ଓ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି ।