କନକ ବ୍ୟୁରୋ: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ରାଜନୀତି ଛାଡ଼ି କେନ୍ଦ୍ର ରାଜନୀତିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟବର ରିପୋର୍ଟ ଅନୁସାରେ, ନୀତିଶ କୁମାରଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହି ପଦକ୍ଷେପ ବିହାରର ଭବିଷ୍ୟତ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ । ଯଦି ଚର୍ଚ୍ଚା ସତ ହୁଏ, ତେବେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଖୁବଶୀଘ୍ର ପାଟନାର ମୋହ ଛାଡ଼ି ଦିଲ୍ଲୀ ଦରବାରରେ ନଜର ଆସିପାରନ୍ତି ।

Advertisment

ଆହୁରି ପଢ଼ନ୍ତୁ: ଶତ୍ରୁର ଶତ୍ରୁ ଏବେ ମିତ୍ର

ସୂତ୍ର ଅନୁସାରେ, ନୀତିଶ କୁମାର ରାଜ୍ୟସଭା ଯିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି । ଜେଡିୟୁ ପକ୍ଷରୁ ତାଙ୍କ ନାମାଙ୍କନ ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ ହୋଇସାରିଛି ଏବଂ ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି । ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ଯଦି ନୀତିଶ କୁମାର ଦିଲ୍ଲୀ ଯାଉଛନ୍ତି, ତେବେ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବେ? ୨୦୨୫ ବିଧାନସଭା ନିର୍ବାଚନରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ ଜେଡିୟୁ ୮୫ଟି ଆସନ ପାଇଥିଲା । ଏଭଳି ପରିସ୍ଥିତିରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବାର ସମ୍ଭାବନା ସବୁଠାରୁ ଅଧିକ । ଦୀର୍ଘ ଦିନ ପରେ ବିହାରରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ବସାଇବାକୁ ଯୋଜନା କରୁଛି ।

କେବଳ ସେତିକି ନୁହେଁ, ଏହି ପରିବର୍ତ୍ତନରେ ଆଉ ଏକ ଆଶ୍ଚର୍ଯ୍ୟଜନକ ନାମ ସାମ୍ନାକୁ ଆସୁଛି- ସେ ହେଉଛନ୍ତି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ଏପର୍ଯ୍ୟନ୍ତ ରାଜନୀତିରୁ ଦୂରେଇ ରହିଥିବା ନିଶାନ୍ତ କୁମାରଙ୍କୁ ବିହାରର ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳୁଛି । ଜେଡିୟୁ କର୍ମକର୍ତ୍ତାମାନେ ମଧ୍ୟ ନିଶାନ୍ତଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ବହୁ ଦିନରୁ ଦାବି କରିଆସୁଥିଲେ ।

ଏପଟେ ସମ୍ବିଧାନ ଅନୁଯାୟୀ, ଜଣେ ବ୍ୟକ୍ତି ଏକାସଙ୍ଗେ ଦୁଇଟି ସଦନର ସଦସ୍ୟ ରହିପାରିବେ ନାହିଁ । ତେଣୁ ରାଜ୍ୟସଭାକୁ ନିର୍ବାଚିତ ହେଲେ ନୀତିଶଙ୍କୁ ବିଧାନସଭା ସଦସ୍ୟତା ଓ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ । ତେବେ କଣ ନୀତିଶ କୁମାର ନିଜର ଉତ୍ତରାଧିକାରୀ ଭାବେ ପୁଅଙ୍କୁ ପ୍ରୋଜେକ୍ଟ କରିବେ କି? ବିଜେପି ଏବଂ ଜେଡିୟୁର ଏହି ନୂଆ ଫର୍ମୁଲା ସତରେ କ’ଣ କାମ କରିବ? ତାକୁ ନେଇ ଏବେ ବିହାରରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ।