କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ରୋଚକ ହୋଇଛି ରାଜ୍ୟ ରାଜନୀତି । ଏଥର ସିଧାସଳଖ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହେବ ଲଢ଼େଇ । ବିଜେପିକୁ ଅଟକାଇବାକୁ ହାତ ମିଳାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ବିଜେପି ମଧ୍ୟ ସୁଚିନ୍ତିତ ଭାବେ ଗୋଟି ଚଳାଇଛି । ୨ଟି ଆସନରେ ବିଜୟକୁ ପକ୍କା କରିଛି ଏବଂ ତୃତୀୟ ଆସନରେ ସମର୍ଥନ ଦେଇ ରାଜ୍ୟସଭା ଗଣିତକୁ ଓଲଟପାଲଟ କରିଛି ।
ଅଢେଇ ଦଶନ୍ଧି ପୂର୍ବରୁ କଂଗ୍ରେସ ବିରୋଧରେ ଲଢି କ୍ଷମତାକୁ ଆସିଥିଲା ବିଜେଡ଼ି । ହେଲେ, ୨୬ ବର୍ଷ ପରେ ବଦଳିଛି ଓଡ଼ିଶା ରାଜନୀତି ପାଣିପାଗ । ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଏକାଠି ହୋଇଛନ୍ତି ଭକ୍ତ ଓ ନବୀନ । ରାଜନୈତିକ ଅସ୍ତିତ୍ବ ବଞ୍ଚାଇବା ପାଇଁ କିଛି ଏଭଳି ସମୀକରଣ ଜନ୍ମ ନେଇଛି । ଆଉ ଦତ୍ତେଶ୍ୱରଙ୍କ ପ୍ରାର୍ଥୀତ୍ୱ ଏହାକୁ ଅଧିକ ବଳ ଦେଇଛି । ବିଜେପିର ହାତ ଛାଡିବା ପରେ ଏବେ ଯାଏଁ ଦୀର୍ଘ ୧୭ ବର୍ଷ ଧରି ସମଦୂରତ୍ୱ ନୀତି ଆପଣାଇ ଆସୁଥିଲା ବିଜେଡି । ଏପରିକି ୨୦୨୪ରେ କେନ୍ଦ୍ରରେ ହୋଇଥିବା ମେଣ୍ଟ ରାଜନୀତିରୁ ଦୂରେଇ ରହିଥିଲେ ନବୀନ । ହେଲେ ସାମ୍ପ୍ରତିକ ରାଜନୈତିକ ବାଧ୍ୟବାଧ୍ୟକତା ଏବେ ବିଜେଡି ଓ କଂଗ୍ରେସକୁ ଗୋଟିଏ ଘାଟରେ ଏକାଠି କରିଛି । ଦୁଇ ବିରୋଧୀ ପରସ୍ପରର ସହଯୋଗୀ ସାଜିବା ଗ୍ରାଉଣ୍ଡରେ ଶାସକ ବିଜେପିର ମୁଣ୍ଡବିନ୍ଧା ବଢାଇଛି ।
ଅଧିକ ପଢ଼ନ୍ତୁ : ବିଜେପି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ରାଜ୍ୟସଭା ଯିବେ ମନମୋହନ ସାମଲ, ସୁଜିତ୍ କୁମାରଙ୍କୁ ରିପିଟ୍
ରାଜ୍ୟସଭା ପାଇଁ ବିଜେଡି ଓ କଂଗ୍ରେସ ଏକାଠି ହୋଇଥିବା ବେଳେ ବିଜେପି ନିଜର କାର୍ଡ ଖୋଲିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରୁ ୨ଟି ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ୩ୟ ଆସନ ପାଇଁ ରିସ୍କ ନନେଇ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରିଛନ୍ତି ବିଜେପିର ଥିଙ୍କଟ୍ୟାଙ୍କ୍ । ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିଥିବାରୁ ମୁଖିଆ ମନମୋହନଙ୍କୁ ରାଜ୍ୟସଭା ମୁକୁଟ ପିନ୍ଧାଇବାକୁ ନିଷ୍ପତ୍ତି ନେଇଛି ଦଳ । ସେହିଭଳି ଅଧାରାସ୍ତାରେ ବିଜେଡିର ହାତ ଛାଡିଥିବା ସୁଜିତଙ୍କୁ ଆନୁଗତ୍ୟ ପାଇଁ ପୁଣିଥରେ ବିଜେପି ସୁଯୋଗ ଦେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ କଂଗ୍ରେସ ଓ ବିଜେଡି ହାତ ମିଳାଇବାକୁ ନେଇ ବର୍ଷିଛି ବିଜେପି ।
ରାଜ୍ୟସଭା ନିର୍ବାଚନକୁ ନେଇ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଛକାପଞ୍ଝା ଭିତରେ କିଏ କାହା ଉପରେ ଭାରି ପଡିବ ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/03/a4-2026-03-03-19-19-45.jpg)